କନକ ବ୍ୟୁରୋ: ଇଚ୍ଛା ଥିଲା ଦେଶ ପାଇଁ ପଦକ ଜିତିବେ, ଦେଶର ନାଁ ବିଦେଶରେ ଉଚ୍ଚା କରିବେ । ସେଥିପାଇଁ ତାଙ୍କୁ ଅନେକ ସଂଘର୍ଷ ବି କରିବାକୁ ପଡିଥିଲା । ଏମିତି ସଂଘର୍ଷ କରିଥିଲେ ଯେ ସେ ଜଣେ ଯବାନରୁ ଦିବ୍ୟାଙ୍ଗ ପାଲଟିଯାଇଥିଲେ । ସେନାରେ ଶତ୍ରୁର ଗୁଳି ଖାଇ ବି ତାଙ୍କ ମନୋବଳ ଭାଙ୍ଗି ନଥିଲା । ଗୁଳି ମାଡରେ ଅଣ୍ଟା ଭାଙ୍ଗି ଯାଇଥିଲା ସିନା ହେଲେ କିନ୍ତୁ ପଦକ ଜିତିବାର ଜୁନୁନ କମିନଥିଲା ।  ଆମେ କହୁଛୁ ସେହି ବ୍ୟକ୍ତିଙ୍କ କଥା ଯିଏ ପାରା ଅଲିମ୍ପିକ୍ସରେ ପ୍ରଥମ ସ୍ୱର୍ଣ୍ଣପଦକ ଜିତିଥିଲେ । ସେ ହେଉଛନ୍ତି ମୁରଲୀକାନ୍ତ ପେଟକର । 

ପିଲାଟି ବେଳୁ ମୁରଲୀକାନ୍ତଙ୍କ ଅଲିମ୍ପିକ୍ସରେ ଯିବାକୁ ବେଶ ଇଚ୍ଛା ଥିଲା । କାରଣ ସେ ଚାହୁଁଥିଲେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିବାକୁ । ସେଥିପାଇଁ ସେ ଗାଁରେ କୁସ୍ତି ଖେଳିବା ଆରମ୍ଭ କରିଥିଲେ । ଆଉ ପରେ ଭାରତୀୟ ସେନାରେ ଯୋଗଦେଇଥିଲେ । କାରଣ ସେନାରୁ ଅଲିମ୍ପିକ୍ସରେ ଖେଳିବାକୁ ସୁଯୋଗ ମିଳିଥାଏ । ବକ୍ସି ଖେଳି ମୁରଲୀକାନ୍ତ ଦେଶ ପାଇଁ ଅନେକ ଗୌରବ ଆଣିଥିଲେ ସିନା ହେଲେ ସ୍ୱର୍ଣ୍ଣ ପଦକ ଜିତି ପାରିନଥିଲେ । କିନ୍ତୁ ଦିନେ ସମୟ ଏମିତି ଆସିଲା ତାଙ୍କୁ ବକ୍ସିଂ ସବୁଦିନ ପାଇଁ ଛାଡିବାକୁ ପଡିଥିଲା । 

୧୯୬୫ ମସିହା ଭାରତ-ପାକିସ୍ତାନ ଯୁଦ୍ଧରେ ଦେଶକୁ ରକ୍ଷା କରିବାକୁ ଯାଇ ନିଜ ଶରୀରରେ ୯ଟି ଗୁଳି ଖାଇଥିଲେ ମୁରଲୀକାନ୍ତ । ସବୁ ଗୁଳି ବାହାରି ଯାଇଥିଲା ସିନା ହେଲେ ମେରୁଦଣ୍ଡରେ ବାଜିଥିବା ଗୁଳି ବାହାରିପାରିନଥିଲା । ଆଉ ସେ ସେବେଠାରୁ ସବୁଦିନ ପାଇଁ ଦିବ୍ୟାଙ୍ଗ ପାଲଟିଯାଇଥିଲେ । କାରଣ ତାଙ୍କ ଅଣ୍ଟାଠାରୁ ଗୋଡ ଯାଏଁ ପାରାଲିସ ହୋଇଯାଇଥିଲା । ସେ ଠିକରେ ଛିଡା ବି ହୋଇପାରିନଥିଲେ । ଆର୍ମି ହସ୍ପିଟାଲରେ ରହି ବହୁଦିନ ଚିକିତ୍ସା ହୋଇଥିଲେ । ହେଲେ ସେ ସ୍ୱର୍ଣ୍ଣ ପଦକ ଜିତିବାର ଆଶା ଛାଡିନଥିଲେ । ଶତ୍ରୁର ଗୋଟିଏ ଗୋଟିଏ ଗୁଳି ତାଙ୍କ ସାହାସକୁ ଦ୍ୱିଗୁଣିତ କରିଥିଲା । 

୧୮ ମାସ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ଡାକ୍ତର ତାଙ୍କୁ ସ୍ୱିମିଂ କରିବାକୁ ପରାମର୍ଶ ଦେଇଥିଲେ । ଆଉ ସେହି ପରାମର୍ଶ ହିଁ ତାଙ୍କୁ ସ୍ୱର୍ଣ୍ଣ ପଦକ ଜିତିବାର ବାଟ ଦେଖାଇଥିଲା । ୧୯୭୨ ମସିହାରେ ହିଡଲବର୍ଗର ପାରାଅଲିମ୍ପିକ୍ସରେ ମୁରଲୀକାନ୍ତ ପେଟକର ସ୍ୱିମିଂରେ ୫୦ ମିଟର ଫ୍ରି ଷ୍ଟାଇଲ ଇଭେଣ୍ଟରେ ଇତିହାସ ରଚିଥିଲେ । ପ୍ରଥମଥର ପାରା ଅଲିମ୍ପିକ୍ସରେ କୌଣସି ଖେଳାଳି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହି ସ୍ୱର୍ଣ୍ଣ ପଦକ ଜିତିବା ସହ ନିଜ ସ୍ୱପ୍ନକୁ ପୂରଣ କରିଥିଲେ ମୁରଲୀକାନ୍ତ । 

ମୁରଲୀକାନ୍ତ ପେଟରଙ୍କ ଜୀବନକୁ ନେଇ ବଲିଉଡରେ ଏକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ ହୋଇଛି । ଯାହାର ନାଁ ହେଉଛି ଚନ୍ଦୁ ଚାମ୍ପିୟନ । ଏଥିରେ ତାଙ୍କ ସଂଘର୍ଷର ପୂରା ଘଟଣାରୁ ବର୍ଣ୍ଣନା କରାଯାଇଛି । କିପରି ଦିବ୍ୟାଙ୍ଗ ହୋଇ ମଧ୍ୟ ନିଜ ସ୍ୱପ୍ନକୁ ଛାଡିନଥିଲେ ମୁରଲୀ କାନ୍ତ ତାହାକୁ ଦେଖାଯାଇଛି । ତେବେ ଆଜିଠୁ ପ୍ୟାରିସରେ ଆରମ୍ଭ ହୋଇଯାଇଛି ପାରା ଅଲିମ୍ପିକ୍ସ । ଭାରତୀୟ ଖେଳାଳିମାନେ ନିଜ ନିଜ ଖେଳରେ ଆଜିଠାରୁ ଜଲୱା ଦେଖାଇବେ ।