କନକ ବ୍ୟୁରୋ : ହୀରାକୁଦ ଜଳଭଣ୍ଡାରୁ ଛଡାଯାଇଛି ଚଳିତ ବର୍ଷର ବନ୍ୟା ଜଳ । ପ୍ରଥମ ଦିନରେ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ହୀରାକୁଦରୁ ଛଡ଼ାଯାଇଥିବା ବନ୍ୟାଜଳ ୪୦ ଘଣ୍ଟାରେ ମୁଣ୍ଡଳୀରେ ପହଞ୍ଚିବ । ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ହୀରାକୁଦ ଛାଡ଼ିଛି ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ । ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ନିର୍ଦ୍ଧାରିତ ସମୟ, ସକାଳ ୧୦ଟା ୧୫ ମିନିଟ୍ରେ ଖୋଲାଯାଇଥିଲା ଜଳଭଣ୍ଡାରର ବାମପାର୍ଶ୍ୱର ୭ ନମ୍ବର ଗେଟ୍ । ୭ନମ୍ବର ଗେଟ୍କୁ ଶୁଭ ମାନୁଥିବାରୁ କର୍ତ୍ତୃପକ୍ଷ ଏହି ଟେଗ୍ ଦେଇ ପ୍ରଥମ ପାଣି ଛାଡ଼ିଥିଲେ । ପର୍ଯ୍ୟାୟ କ୍ରମେ ବାମପାର୍ଶ୍ୱର ୮ ଓ ଡାହାଣ ପାର୍ଶ୍ୱର ୪ଟି ଗେଟ୍ ଖୋଲି ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଇଥିଲା । ତାପରେ ପର୍ଯ୍ୟାୟକ୍ରମେ ଆଉ ୮ଟି ଗେଟ୍ ଖୋଲାଯାଇଛି । ଏହି ଦୃଶ୍ୟ ଦେଖିବାକୁ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।
ଜଳଭଣ୍ଡାରର ସକାଳ ୯ଟା ସୁଦ୍ଧା ଜଳସ୍ତର ୬୧୦.୨୯ ଫୁଟରେ ପହଞ୍ଚିଥିଲା । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ଲକ୍ଷ ୧ ହଜାର ୩୧୬ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ୨ ଲକ୍ଷ ୧୫ ହଜାର ୭୫୧ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି l ତେବେ ୬୦୫ ଫୁଟକୁ ଜଳସ୍ତର ଖସିବା ପର୍ଯ୍ୟନ୍ତ ଜଳ ନିଷ୍କାସନ ଜାରି ରହିବ ବୋଲି ମୁଖ୍ୟଯନ୍ତ୍ରୀ କହିଛନ୍ତି l ହୀରାକୁଦ ଗେଟ୍ ଖୋଲାଯାଉଥିବାରୁ ମହାନଦୀ ଅବବାହିକାରେ ଥିବା ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି। ତଳିଆ ଅଂଚଳରେ ରହୁଥିଲେ ଉଚ୍ଚା ସ୍ଥାନକୁ ଯିବା ପାଇଁ କୁହାଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/07/06/7pm3-hirakud-2025-07-06-21-49-38.jpg)