କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ରାଜ୍ୟର ୩ ହଜାର ୨୯ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ ଏଥର ପ୍ରଥମ କରି ବୋର୍ଡ ପକ୍ଷରୁ କ୍ୟୁଆର କୋର୍ଡ ବ୍ୟବସ୍ଥା କରାଯାଇଥିଲା। ସେପଟେ ଦଶମ ପରୀକ୍ଷା ପାଇଁ ଘରୁ ବାହାରିବାବେଳେ ବାଲେଶ୍ବର ବାହାନଗାର ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି।
ଚଳିତବର୍ଷର ମାଟ୍ରିକ ପରୀକ୍ଷା ଆଜିଠୁ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ। ସକାଳ ୯ଟାରୁ ଦିନ ୧୧ଟା ୩୦ ପର୍ୟ୍ୟନ୍ତ ହୋଇଥିଲା ପରୀକ୍ଷା। ଏହାର ଅଧଘଣ୍ଟା ପୂର୍ବରୁ ପିଲାମାନେ ନିଜ ନିଜର ଆଡମିଟ୍ କାର୍ଡ ଧରି ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିଥିଲେ।
ଏଥର ପ୍ରଶ୍ନପତ୍ର ଲିକ୍ ଓ କପି ରୋକିବାକୁ ବୋର୍ଡ ପକ୍ଷରୁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା। ପ୍ରଥମଥର ପାଇଁ ପ୍ରଶ୍ନପତ୍ରରେ ରହିଛି କ୍ୟୁଆର କୋର୍ଡ। ୬୦୦ ପରୀକ୍ଷା କେନ୍ଦ୍ରରେ ସିଧାସଳଖ ଲାଇଭ୍ ଷ୍ଟ୍ରିମିଂ ହୋଇଛି। ସବୁ କେନ୍ଦ୍ରରେ ଲାଗିଛି ସିସିଟିଭି। ପରୀକ୍ଷା କେନ୍ଦ୍ରରେ ଯେମିତି କୌଣସି ଅନିୟମିତତା ନହେବ, ସେଥିପାଇଁ ଫ୍ଲାଇଙ୍ଗ ସ୍କ୍ବାଡ୍, ସେଣ୍ଟ୍ରାଲ ଅବଜରଭର୍ ଓ ଜିଲ୍ଲାସ୍ତରୀୟ ପର୍ୟ୍ୟବେକ୍ଷକଙ୍କୁ ନିୟୋଜିତ କରାଯାଇଛି। କମାଣ୍ଡ କଣ୍ଟ୍ରୋଲ ରୁମ୍ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ବୋର୍ଡ ସଭାପତି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଭୁବନେଶ୍ବର କ୍ୟାପିଟାଲ ହାଇସ୍କୁଲରେ ପରୀକ୍ଷା କେନ୍ଦ୍ରକୁ ଯାଇ ସ୍ଥିତି ପରଖିଛନ୍ତି।
ମାଟ୍ରିକ ପରୀକ୍ଷା ପ୍ରଥମ ଦିନ ବାଲେଶ୍ବରରେ ଘଟିଛି ଅଘଟଣ। ପରୀକ୍ଷା ପାଇଁ ଘରୁ ବାହାରିବା ବେଳେ ଟଳିପଡ଼ିଛନ୍ତି ବାଲେଶ୍ବର ଜିଲ୍ଲା ବାହାନଗାର ଚନ୍ଦ୍ରଶେଖର ମାଝୀ। ୩ ଦିନ ତଳେ ଏକ ଭୋଜି ଖାଇବା ପରେ ପେଟ ଯନ୍ତ୍ରଣା ହୋଇଥିଲା। ଆଜି ପରୀକ୍ଷା ଦେବା ପାଇଁ ଘରୁ ବାହାରିବା ବେଳେ ପରିବାର ଲୋକେ ସୋର ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ । ସେପଟେ କେନ୍ଦ୍ରାପଡ଼ା ରାଜନଗରରେ ମାଟ୍ରିକ ପିଲାଙ୍କୁ ନେଇ ଯାଉଥିବା ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଗାଡିରେ ଥିବା ୧୧ ପରୀକ୍ଷାର୍ଥୀ ଆହତ ହୋଇଥିଲେ। ଦୁର୍ଘଟଣା ଯୋଗୁଁ ବିଳମ୍ୱ ହୋଇଥିଲେ ମଧ୍ୟ ଆଶୁ ଚିକିତ୍ସା ପରେ ସମସ୍ତଙ୍କୁ ପରୀକ୍ଷା ଦେବାର ସୁଯୋଗ ମିଳିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/02/21/bTos5n2rQ7pqyGRgPpqj.jpg)