କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହେଉଛି ନବରାତ୍ରି । ଧରାପୃଷ୍ଠକୁ ଆଗମନ କରିଛନ୍ତି ମା’ ଦୁର୍ଗା ଦୁର୍ଗତିନାଶିନୀ । ମାଆଙ୍କ ନଅଟି ରୂପର ପ୍ରଥମ ରୂପ ହେଉଛନ୍ତି ମା’ ଶୈଳପୁତ୍ରୀ । ନବରାତ୍ରୀର ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କ ବିଧିବିଧାନର ସହ ପୂଜାର୍ଚ୍ଚନା କରାଯାଏ । ମା’ଙ୍କ ଏହି ରୂପ ପଛରେ ଥିବା ତାତ୍ତ୍ୱିକ ଅବଧାରଣା ଧାର୍ମିକ , ସାଂସ୍କୃତିକ ଏବଂ ସାମାଜିକ ବିକାଶ ପାଇଁ ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ମା’ଜଗଦମ୍ବାଙ୍କ ଏହି ରୂପ ବିଷୟରେ କିଛି ।
/filters:format(webp)/kanak/media/media_files/2025/09/22/maa-shailputr-2025-09-22-09-43-05.jpg)
ମା’ ଦୂର୍ଗା ସର୍ବପ୍ରଥମେ ଶୈଳପୁତ୍ରୀ ରୁପେ ପୂଜା ପାଆନ୍ତି । ହିମାଳୟ ଗର୍ଭରେ ଜନ୍ମ ନେଇଥିବାରୁ ମା’ଙ୍କ ନାଁ ରହିଲା ଶୈଳପୁତ୍ରୀ । ବୃଷଭ ପିଠିରେ ବିରାଜିଥିବା ମା’ ଙ୍କୁ ବୃଷାରୁଢା ନାମରେ ମଧ୍ୟ ଆବାହନ କରାଯାଏ । ମା’ଙ୍କ ଡାହାଣ ହସ୍ତରେ ତ୍ରିଶୂଳ ଧାରଣ ଏବଂ ବାମ ହସ୍ତରେ କମଳ ସୁଶୋଭିତ ହେଉଛି । ଦୁର୍ଗାଦେବୀଙ୍କ ପ୍ରଥମ ରୂପ ମା’ ସତୀଙ୍କୁ ମା’ ଶୈଳପୁତ୍ରୀଙ୍କ ସହ ତୁଳନା କରାଯାଏ । ପୌରାଣିକ କଥା ଅନୁସାରେ , ଦକ୍ଷ ପ୍ରଜାପତି ଯଜ୍ଞ ସମୟରେ ଜ୍ବାଇଁ ମହାଦେବଙ୍କୁ ଛାଡ଼ି ଆଉ ସମସ୍ତ ଦେବତାଙ୍କୁ ନିମନ୍ତ୍ରଣ କରିଥିଲେ ।
/filters:format(webp)/kanak/media/media_files/2025/09/22/maa-2025-09-22-09-44-27.jpg)
କିନ୍ତୁ ମାତା ସତୀଙ୍କ ପ୍ରବଳ ଇଚ୍ଛା ଜାଗ୍ରତ ହେବାରୁ ଭୋଳାନାଥ ତାଙ୍କୁ ପିତାଙ୍କ ଘରକୁ ଯିବା ପାଇଁ ଅନୁମତି ଦେଲେ । ମାତା ସତୀ ଯେତେବେଳେ ଘରେ ପହଞ୍ଚିଲେ କେବଳ ମାତୃସ୍ନେହ ହିଁ ପାଇଲେ ଭଗିନୀମାନଙ୍କ ବାକ୍ୟରେ ବ୍ୟଙ୍ଗ ଏବଂ ଉପହାସ , ପିତାଙ୍କ ବାକ୍ୟରେ ଭୋଳାନାଥଙ୍କ ପ୍ରତି ଅପମାନଜନକ ଏବଂ ତିରସ୍କାର ଶବ୍ଦ ଶୁଣିବା ପରେ ମା’ଙ୍କ ମନ ଦୁଃଖ ହେଲା । ନିଜ ପରମେଶ୍ୱରଙ୍କ ଅପମାନ ସହ୍ୟ ନ କରି ପାରି ମା’ ସ୍ବୟଂର ତେଜରେ ନିଜକୁ ଭସ୍ମ କରିଦେଲେ । ଏହି ଦାରୁଣ ଦୁଃଖରେ ବ୍ୟଥିତ ହୋଇ ଦେବାଧିଦେବ ମହାଦେବ ଯଜ୍ଞସ୍ଥଳକୁ ବିଧ୍ୱଂସ କରିଦେଲେ । ମାତା ସତୀ ନୂତନ ଜନ୍ମରେ ଶୈଳରାଜ ହିମାଳୟଙ୍କ ପୁତ୍ରୀ ଶୈଳପୁତ୍ରୀ ରୁପେ ଜନ୍ମ ନେଲେ । ପାର୍ବତୀ ଏବଂ ହେମବତୀ ନାଁରେ ମଧ୍ୟ ମାତାଙ୍କ ପ୍ରସିଦ୍ଧି ରହିଛି ।