କନକବ୍ୟୁରୋ : ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ। ଆଉ ମାତ୍ର କିଛି ସମୟ ପରେ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍। ଦିନ ୧୧ଟା ବେଳେ ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ବଜେଟରେ କାହାକୁ କ’ଣ ମିଳିବ? ମଧ୍ୟବିତ୍ତଙ୍କ ଉପରେ ଟିକସ ବୋଝ କମିବ ନା ନିମ୍ନ ଆୟ ବର୍ଗଙ୍କ ପାଇଁ କ'ଣ ବିଶେଷ ରହିବ ? ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି କର୍ପୋରେଟ ଜଗତ ପର୍ଯ୍ୟନ୍ତ ଏନେଇ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ବଜେଟରେ ମହଙ୍ଗା ନିୟନ୍ତ୍ରଣ ନେଇ ଆସିବ ବଡ଼ ପଦକ୍ଷେପ ।
ସରକାର ମୁଦ୍ରାସ୍ଫୀତି ଓ ଟିକସ କ୍ଷେତ୍ରରେ ଲୋକଙ୍କ ପାଇଁ ବଡ଼ ଘୋଷଣା କରିପାରନ୍ତି। ସବୁଠାରୁ ବଡ ଉପହାର ସ୍ବରୂପ ଟିକସ ରିହାତି ଆକାରରେ ମିଳିବାର ସମ୍ଭାବନା ରହିଛି। ତେବେ ବିଭିନ୍ନ କ୍ଷେତ୍ର ପାଇଁ ବଜେଟରେ କ’ଣ କ’ଣ ରହିଛି, ତାହା ଅର୍ଥମନ୍ତ୍ରୀଙ୍କ ବଜେଟ ପେଡ଼ି ଖୋଲିବା ପରେ ସ୍ପଷ୍ଟ ହୋଇଯିବ। ଦିନ ୧୧ଟାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ୍ ଉପସ୍ଥାପନ କରିବେ ।
ସକାଳ ସାଢ଼େ ୮ଟା ବେଳେ ଅର୍ଥମନ୍ତ୍ରୀ ନିଜ ବାସଭବନରୁ ନର୍ଥ ବ୍ଲକ ଅଭିମୁଖେ ବାହାରିବେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଟିମ୍ ସହ ରାଷ୍ଟ୍ରପତି ଭବନ ଯିବେ ଏବଂ ରାଷ୍ଟ୍ରପତିଙ୍କୁ ବଜେଟର ନକଲ ପ୍ରଦାନ କରିବେ । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ସେ ମନ୍ତ୍ରଣାଳୟକୁ ଫେରିବେ ଏବଂ ପୂର୍ବାହ୍ନ ୯ଟାରେ ନର୍ଥ ବ୍ଲକର ଗେଟ୍ ନମ୍ବର ୨ରେ ଫଟୋସୁଟ୍ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟର ବୈଠକ ସଂସଦ ପରିସରରେ ପୂର୍ବାହ୍ନ ୧୦ଟା ୧୫ରୁ ୧୦ଟା ୪୦ ମଧ୍ୟରେ ବସିବ, ଯେଉଁଥିରେ ବଜେଟକୁ ମଞ୍ଜୁରୀ ମିଳିବ ଏବଂ ସେଠାରୁ ଅର୍ଥମନ୍ତ୍ରୀ ଲୋକସଭାରେ ପହଞ୍ଚିବେ। ଏହା ପରେ ବଜେଟ୍ ଉପସ୍ଥାପନା କରାଯିବ ।
--