କନକ ବ୍ୟୁରୋ : ଭାରତର ପୂର୍ବତନ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଲୋକପ୍ରିୟ ଜନନାୟକ, ପ୍ରଖ୍ୟାତ ଲେଖକ, କବି, ଗାଳ୍ପିକ, ବିଦ୍ୟାନ ତଥା କୋଟି କୋଟି ଭାରତୀୟଙ୍କ ମଉଡ଼ମଣି ଭାରତରନ୍ ଅଟଳବିହାରୀ ବାଜପେୟୀଙ୍କ ସ୍ମୃତିରେ ଉତ୍ସଗୀକୃତ ଏକ ଅନନ୍ୟ କାର୍ଯ୍ୟକ୍ରମ “ଅଟଳ ଫେଷ୍ଟ୍ ଓ ଅଟଳ ଓଡିଶା ଆଇକନ୍‌ ଆୱାର୍ଡ-୨୫”, ଆସନ୍ତା ଅଗଷ୍ଟ ୧୬ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୨୬ ତାରିଖରେ ଶେଷ ହେବ ବୋଲି ପୂର୍ବତନ କର୍ପୋରେଟର, ବିଜେପି ନେତା ତଥା ଅଟଳ ସ୍ମୃତି କମିଟିର ପ୍ରତିଷ୍ଠାତା ଓ ଅଧକ୍ଷ ଶ୍ରୀ ଚିତ୍ତରଞ୍ଜନ ଦାସ ଏକ ପ୍ରେସ ବିଜ୍ଞପ୍ତିରେ ମତ ପୋଷଣ କରିଛନ୍ତି । ଏହି କାର୍ଯ୍ୟକ୍ରମ ଓଡିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଆୟୋଜିତ ହେବ ।

Advertisment

ଏହି ଅଦ୍ଵିତୀୟ ବରପୁତ୍ରଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଓଡିଶାରେ ପ୍ରଥମଥର ପାଇଁ ଅଟଳ ସ୍ମୃତି କମିଟି ଅନୁକୂଲ୍ୟରେ ପ୍ରତିଭା ଚୟନ, ସମ୍ବଦ୍ଧନା ଉତ୍ସବ ଅୟୋଜିତ ହେଉଥିବା ବେଳେ ଏହା ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ଆୟୋଜକ ମାନେ ପ୍ରକାଶ କରିଛନ୍ତି । ଅଟଳ ଫେଷ୍ଟ୍ ୨୦୨୫ର ପ୍ରଥମ ସଂସ୍କରଣ ଆସନ୍ତା ଅଗଷ୍ଟ ୧୬ ଓ ୧୭ ତାରିଖରେ ଆୟୋଜିତ ହେବ, ଯାହାକି ଅନ୍ତଃବିଦ୍ୟାଳୟ ଓ ମହାବିଦ୍ୟାଳୟର ସ୍ତରରେ ପ୍ରତିଭାମାନଙ୍କ ପ୍ରତିଭା ବିକାଶର ଏକ ନିଆରା ପ୍ରୟାସ ।

ଐତିହାସିକ କଟକର ଟାଉନହଲ ଠାରେ ୧୬ ତାରିଖ ଦିନ ଚିତ୍ରାଙ୍କନ, ବକୃକ୍ତା ପ୍ରତିଯୋଗିତା ଏବଂ ୧୭ ତାରିଖ ଦିନ ସଙ୍ଗୀତ, ଓଡିଶୀ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଚିତ୍ରାଙ୍କନ ପ୍ରତିଯୋଗିତାରେ ୫ମ ରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଓ ଛାତ୍ରୀମାନେ ଅଂଶ ଗ୍ରହଣ କରିପାରିବେ । ବକୃକ୍ତା ପ୍ରତିଯୋଗିତାରେ ୬ଷ୍ଠ ରୁ ୧୦ମ ଏବଂ ଯୁକ୍ତ ୨ରୁ ତଦୁର୍ଷ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିପାରିବେ ।

ସେହିପରି ସଂଗୀତ ପ୍ରତିଯୋଗିତାରେ ଷଷ୍ଠରୁ ଦଶମ ଏବଂ ଯୁକ୍ତରୁ ତଦୁର୍ଦ୍ଧ୍ୱ ପିଲାମାନେ ଏବଂ ଓଡିଶୀରେ ଷଷ୍ଠରୁ ଦଶମ ଓ ଯୁକ୍ତ ୨ ତଦୁର୍ଦ୍ଧ୍ୱ ପିଲାମାନେ ଅଂଶ ଗ୍ରହଣ ମହିଳା ସମାବେଶ (ଏସଏଚଜି) ଓ ପ୍ରତିଯୋଗିତା, ୬ ସେପ୍ଟେମ୍ବରରେ ଆଶା ଦିଦି ସମାବେଶ ଓ ପ୍ରତିଯୋଗିତା ୭ ସେପ୍ଟେମ୍ବରରେ ଅଙ୍ଗନୱାଡି ଦିଦି, ସ୍ଵଚ୍ଛସାଥୀ ସମାବେଶ ଓ ପ୍ରତିଯୋଗିତା, ୧୪ ସେପ୍ଟେମ୍ବରରେ ରକ୍ତଦାନ ଶିବିର, ୨୧ ସେପ୍ଟେମ୍ବରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ୧୨ ଅକ୍ଟୋବରରେ ସ୍ଵାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ପ୍ରତିଯୋଗୀମାନଙ୍କୁ କୌଣସି ପଞ୍ଜୀକୃତ ଅର୍ଥ ଦେବାକୁ ପଡିବ ନାହିଁ । ବିଜେତାମାନଙ୍କୁ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଆସନ୍ତା ଅକ୍ଟୋବରରେ ହେବାକୁ ଥିବା ଅଟଳ ଓଡିଶା ଆଇକନ୍‌ ଆୱାର୍ଡ ସମାରୋହରେ ପୁରଷ୍କୃତ କରାଯିବ ।

ସେହିପରି ଉପରୋକ୍ତ ସମାରୋହରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ୮ ଜଣ ଶ୍ରେଷ୍ଠ ଓଡିଆ ଓ ୨ ଜଣ ଶ୍ରେଷ୍ଠ ଭାରତୀୟ ପ୍ରତିଭାଙ୍କୁ ଅଟଳ ଉତ୍କର୍ଷ ସମ୍ମାନରେ ସମ୍ମାନୀତ କରା‌ଯିବ । ପ୍ରତିଭାମାନଙ୍କୁ ସାହିତ୍ୟ, କ୍ରୀଡ଼ା, ସମାଜସେବା ବାଣିଜ୍ୟ, କଳା, ସଂସ୍କୃତି, ସ୍ଵାସ୍ଥ୍ୟସେବା ଓ କୃଷି ଆଦି କ୍ଷେତ୍ରରେ ସମ୍ବନ୍ଧିତ କରାଯିବାକୁ ସ୍ଥିର କରାଯାଇଥିବା ବେଳେ ବିଶିଷ୍ଟ କଳାକାର ମାନଙ୍କ ଦ୍ଵାରା କଟକର ଇଣ୍ଡୋର ଷ୍ଟାଡିୟମଠାରେ ଦେଶାତ୍ମକବୋଧ କାର୍ଯ୍ୟକ୍ରମ ପରିବେଷଣ ମଧ୍ୟ କରାଯିବ । ଏ ସମ୍ପର୍କରେ ପୁନଶ୍ଚ ସର୍ବଶେଷ ତଥ୍ୟ ପ୍ରଦାନ କରାଯିବା ସହ ପ୍ରଚାର ଓ ପ୍ରସାର କରାଯିବ । ବିଦ୍ୟାଳୟ ଓ ମହାବିଦ୍ୟାଳୟର ବହୁ ପ୍ରତିଭା ମାନେ ଏଥିରେ ଅଂଶଗ୍ରହଣ କରିବାକୁ ଆୟୋଜକ ମାନେ ନିବେଦନ କରିଥିବା ବେଳେ ଏପରି କାର୍ଯ୍ୟକ୍ରମ ଏକ ନିଆରା ପରମ୍ପରା ତିଆରି କରିବ ବୋଲି ପ୍ରକାଶ କରିଥିଲେ ।

ଆଜିର ଏହି ପ୍ରେସ ବିଜ୍ଞପ୍ତି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ସହ ଅନୁଷ୍ଠାର ଅଟଳ ସ୍ମୃତି କମିଟିର ସଭାପତି- ପ୍ରହଲ୍ଲାଦ ଖଣ୍ଡେଲୱାଲ, ସାଧାରଣ ସଂପାଦକ– କିଶୋର ମହାନ୍ତି, ରଶ୍ମିତା ମିଶ୍ର, ଗୀତା ଦାଶ, ଗୀତାଞ୍ଜଳୀ ବେହୁରା, ଚନ୍ଦ୍ର ଶେଖର ବିଶ୍ୱାଳ, ସ୍ପନ୍ଦନ ମହାନ୍ତି, ବିଜୟ ମହାରଣା, ସୁମନ୍ତ ସାହୁ, ପୁଷିତା ମହାପାତ୍ର, ସଦାନନ୍ଦ ବିଶ୍ଵାଳ, ଜଗଦାନନ୍ଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ଆମେ ସମସ୍ତେ ମିଶି ଏହି କାର୍ଯ୍ୟକ୍ରମକୁ ସୁଫଳ କରିବେ ବୋଲି ଅଟଳ ସ୍ମୃତି କମିଟିର ସମସ୍ତ ସଦସ୍ୟ ଓ ସଦସ୍ୟା ଆହ୍ୱାନ ଦେଇଛନ୍ତି ।