କନକ ବ୍ୟୁରୋ:  କାନାଡାରେ କପିଲ ଶର୍ମାଙ୍କ କାଫେରେ ପୁଣି ଥରେ ଗୁଳିକାଣ୍ଡ  ।  ଦୁର୍ବୃତ୍ତମାନେ ରେଷ୍ଟୁରାଣ୍ଟ ଉପରକୁ ଗୁଳିମାଡ଼ କରିଛନ୍ତି । ଏହି ଘଟଣାର ଦାୟିତ୍ୱ କୁଖ୍ୟାତ ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡୀ ବରାଡ଼ (ଢିଲୋଁ) ଗ୍ୟାଙ୍ଗ ନେଇଛି । ଗ୍ୟାଙ୍ଗ ପକ୍ଷରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଏହି ଆକ୍ରମଣ ପଛରେ ସେମାନେ ଥିବା କଥା ସ୍ୱୀକାର କରିଛନ୍ତି ଏବଂ ଭବିଷ୍ୟତରେ ଆହୁରି ବଡ଼ ଧରଣର ଆକ୍ରମଣର ଧମକ ଦେଇଛନ୍ତି ।
ମିଡିଆ ରିପୋର୍ଟ ଅନୁଯାୟୀ, ଗତ କିଛି ଦିନ ମଧ୍ୟରେ କପିଲ ଶର୍ମାଙ୍କ ବ୍ରିଟିଶ କଲମ୍ବିଆର ସରେ ସ୍ଥିତ ରେଷ୍ଟୁରାଣ୍ଟ ଉପରେ ଏହା ହେଉଛି ଦ୍ୱିତୀୟ ଆକ୍ରମଣ ।   ଦୁର୍ବୃତ୍ତମାନେ ରେଷ୍ଟୁରାଣ୍ଟକୁ ଲକ୍ଷ୍ୟ କରି ଅନେକ ରାଉଣ୍ଡ ଗୁଳି ଚଳାଇଥିଲେ, ଯାହାଫଳରେ ରେଷ୍ଟୁରାଣ୍ଟର କାଚ ଭାଙ୍ଗି ଯାଇଥିଲା । ତେବେ ସୌଭାଗ୍ୟବଶତଃ ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି । ଏହି ଘଟଣା ସେଠାରେ ଥିବା ଭାରତୀୟ ସମୁଦାୟ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରିଛି । 

Advertisment

ଏହି ଆକ୍ରମଣ ପରେ ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡୀ ବରାଡ଼  ଗ୍ୟାଙ୍ଗ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟରେ ସେମାନେ ଲେଖିଛନ୍ତି, "କପିଲ ଶର୍ମା, THEN AND NOW... ଏହା କେବଳ ଏକ ଟ୍ରେଲର । ଯଦି ତୁମେ ଆମ କଥା ନ ଶୁଣିଲ, ତେବେ ତୁମର ସବୁ ବ୍ୟବସାୟ ବନ୍ଦ ହୋଇଯିବ ।  ଏବଂ ଏହାର ପରିଣାମ ବହୁତ ଖରାପ ହେବ। ଆମେ ଯାହା କହୁଛୁ, ମନ ଦେଇ ଶୁଣ ।" ଏହି ପୋଷ୍ଟ ସହିତ ସେମାନେ ନିଜର ପ୍ରତିଦ୍ୱନ୍ଦ୍ୱୀ ଅର୍ଶ ଡାଲା ଗ୍ୟାଙ୍ଗକୁ ମଧ୍ୟ ଧମକ ଦେଇଛନ୍ତି । 

ପୁଲିସ ଏବଂ ସୂତ୍ର ଅନୁଯାୟୀ, ଏହି ଆକ୍ରମଣ ପଛରେ ମୁଖ୍ୟ କାରଣ ହେଉଛି ଦାଦାବଟି । ବିଷ୍ଣୋଇ ଗ୍ୟାଙ୍ଗ କପିଲ ଶର୍ମାଙ୍କଠାରୁ ମୋଟା ଅଙ୍କର ସୁରକ୍ଷା ରାଶି  ଦାବି କରୁଛି । କପିଲ ଶର୍ମା ଏବଂ ତାଙ୍କ ବିଜନେସ୍ ପାର୍ଟନର ଏହି ଦାବିକୁ ମାନିବାକୁ ମନା କରିଦେବାରୁ ସେମାନଙ୍କୁ ଡରାଇବା ପାଇଁ ଏଭଳି ଆକ୍ରମଣ କରାଯାଉଛି । କାନାଡାରେ ଦୁଇ ପ୍ରମୁଖ ଗ୍ୟାଙ୍ଗ୍‌ଷ୍ଟର ଗୋଷ୍ଠୀ - ଗୋଟିଏ ପଟେ ଅର୍ଶ ଡାଲା ଏବଂ ଅନ୍ୟ ପଟେ ଲରେନ୍ସ ବିଷ୍ଣୋଇ-ଗୋଲ୍ଡୀ ବରାଡ଼ ଗ୍ୟାଙ୍ଗ ମଧ୍ୟରେ ଥିବା ଶତ୍ରୁତା ମଧ୍ୟ ଏହି ଘଟଣାକୁ ଆହୁରି ଜଟିଳ କରିଛି । ବିଷ୍ଣୋଇ ଗ୍ୟାଙ୍ଗ ସନ୍ଦେହ କରୁଛି ଯେ କପିଲ ଶର୍ମାଙ୍କ ପାର୍ଟନର ଅର୍ଶ ଡାଲା ଗ୍ୟାଙ୍ଗକୁ ସମର୍ଥନ କରୁଛନ୍ତି ।