କନକ ବ୍ୟୁରୋ : ଉତ୍ତରପ୍ରଦେଶର ବରେଲିରେ ଅଭିନେତ୍ରୀ ଦିଶା ପଟାନିଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାରେ ଉତ୍ତରପ୍ରଦେଶ ସ୍ପେଶାଲ୍ ଟାସ୍କ ଫୋର୍ସ (STF) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ମାମଲାରେ ଉଭୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି । ଅଭିଯୁକ୍ତଙ୍କ ନାମ ରବିନ୍ଦ୍ର ଏବଂ ଅରୁଣ ବୋଲି ଜଣାପଡ଼ିଛି । ତେବେ ଆଜି ୟୁପି ସ୍ପେଶାଲ୍ ଟାସ୍କ ଫୋର୍ସ ନୋଏଡା ୟୁନିଟ୍ ଏବଂ ଦିଲ୍ଲୀ କ୍ରାଇମବ୍ରାଞ୍ଚର ମିଳିତ ଅପରେସନ୍ ଫଳରେ ଗାଜିଆବାଦର ଟେକ୍ନୋ ସିଟିରେ ଏହି ଏନକାଉଣ୍ଟର ହୋଇଥିଲା । ଏନକାଉଣ୍ଟରରେ ଉଭୟ ସନ୍ଦିଗ୍ଧ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

Advertisment
Disha
Disha Photograph: (google)

ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତମାନେ ରୋହିତ ଗୋଦାରା-ଗୋଲଡି ବ୍ରାର ଗ୍ୟାଙ୍ଗ୍ ସହିତ ଜଡ଼ିତ ବୋଲି ବିଶ୍ୱାସ କରାଯାଉଛି ଏବଂ ଏସଟିଏଫ୍ ଦଳ ଘଟଣାସ୍ଥଳରୁ ଏକ ଜିଗାନା ପିସ୍ତଲ ଏବଂ ବହୁ ପରିମାଣର ଗୁଳି ଜବତ କରିଛି । ସେପ୍ଟେମ୍ବର ୧୨ ତାରିଖ ଭୋର ସମୟରେ ଦୁଇ ଜଣ ଅଜ୍ଞାତ ବାଇକ୍ ଆରୋହୀ ବରେଲିର ସିଭିଲ୍ ଲାଇନ୍ସ ଅଞ୍ଚଳରେ ଦିଶା ପଟାନିଙ୍କ ଘର ବାହାରେ ୮-୧୦ ରାଉଣ୍ଡ ଗୁଳି ଚଳାଇଥିଲେ । ପୁଲିସ ଅନୁଯାୟୀ ପ୍ରାୟ ୩ ଟା ୪୫ ମିନିଟରେ ଗୁଳିକାଣ୍ଡ ଘଟିଥିଲା, ଯଦିଓ କେହି ଆହତ ହୋଇ ନଥିଲେ । ପଟାନିଙ୍କ ବାପା ଜଗଦୀଶ ସିଂହ (ଅବସରପ୍ରାପ୍ତ ଡିଏସପି) ମଧ୍ୟ ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ତାଙ୍କୁ ପୂର୍ଣ୍ଣ ସୁରକ୍ଷାର ଆଶ୍ୱାସନା ଦେଇଥିଲେ ଏବଂ ତୁରନ୍ତ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।