କନକ ବ୍ୟୁରୋ : ଘର ଆଗରେ ମୁଣ୍ଡବାଡ଼େଇ କାନ୍ଦୁଛନ୍ତି ଜଣେ ଅସହାୟ ବୃଦ୍ଧା । କାନ୍ଦି କାନ୍ଦି କହୁଛନ୍ତି , ସବୁ ଜଳିଗଲା, ସବୁ ସରିଗଲା, ଏସବୁ କ’ଣ ହୋଇଗଲା ? ମୁଁ କ’ଣ କରିବି ? ମୋ ପିଲାମାନେ କ’ଣ ଖାଇବେ ? ଏମିତି କହି କହି କୋହରେ ଛାତି ଫାଟିଯାଉଛି । ପିଲାଙ୍କ ପେଟକଥା ଚିନ୍ତା କରି ବୁଢ଼ୀ ମାଆ ଜଣଙ୍କ ଅସହାୟ ହୋଇପଡ଼ୁଛନ୍ତି । ଦଇବ ଯଦି ଦାଉ ସାଧିବ, ଅଗ୍ନିକାଣ୍ଡ ଭଳି ବିପତ୍ତି ଅଭାବୀ ପରିବାରର ସବୁ ଜାଳିଦେବ, ସେଠି ଜଣେ ବୃଦ୍ଧା ମାଆ କେମିତି ସହିବ ?

Advertisment

ମିଳିଥିବା ସୂଚନା ଅନୁସାରେ, ବାଲେଶ୍ୱର ଜଳେଶ୍ଵର ଥାନା ଶାଳିକୋଠା ଗାଁର ପଦ୍ମାବତୀ ଜେନାଙ୍କ ଘରେ ହଠାତ୍ ନିଆଁ ଲାଗି ଯାଇଥିଲା । ସେହି ସମୟରେ ଘରେ ନଥିଲେ ପଦ୍ମାବତୀ । ଘରୁ ଧୂଆଁ ବାହାରୁଥିବା ଶୁଣି ଧାଇଁ ଆସିଥିଲେ । ଗାଁ ଲୋକ ଜଳେଶ୍ଵର ଅଗ୍ନିଶମ କର୍ମଚାରୀଙ୍କୁ ଡାକିଥିଲେ । ତୁରନ୍ତ ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛି । ହେଲେ ସେତେବେଳକୁ ଘରେ ଥିବା ସବୁ କିଛି ପୋଡ଼ି ପାଉଁଶ ହୋଇଯାଇଛି । ଅତ୍ୟନ୍ତ ଅଭାବୀ ପଦ୍ମାବତୀଙ୍କ ସଂସାର , ଘରକୁ ଛାଡ଼ି ଦେଲେ ନିଜର ଇଞ୍ଚେ ବି ଜମି ନାହିଁ । ଭୂମିହୀନ ପରିବାରର ଦୁଇ ପୁଅ ବାହାରେ ଦାଦନ ଖଟୁଛନ୍ତି । ଏପଟେ ସର୍ଟ ସର୍କିଟ୍‌ ଯୋଗୁଁ ଏଭଳି ବିପତ୍ତି ପରେ ପିଲାମାନେ କ’ଣ ଖାଇବେ ? କେମିତି କେଉଁଠି ରହିବେ ? ତାକୁ ନେଇ ଚିନ୍ତାରେ ପଦ୍ମାବତୀ ।