କନକ ବ୍ୟୁରୋ: ମହାକୁମ୍ଭର ସେକ୍ଟର- ୨୨ରେ ଅଗ୍ନିକାଣ୍ଡ ଯୋଗୁଁ ଅନେକ ପେଣ୍ଡାଲ ପାଉଁଶ ହୋଇ ଯାଇଛି । ତେବେ ଅଗ୍ନିଶମ ବାହିନୀ ଠିକ୍ ସମୟରେ ନିଆଁକୁ ନିୟନ୍ତ୍ରଣ କରିଥିଲା । ଏହି ଘଟଣାରେ କୌଣସି ଜୀବନ ହୋଇନାହିଁ । ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ । ପୋଲିସ ଅଧିକାରୀମାନେ ଶାନ୍ତି ରକ୍ଷା କରିବା ପାଇଁ ଶ୍ରଦ୍ଧାଳୁମାନଙ୍କୁ ନିବେଦନ କରୁଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ଏହି ଅଗ୍ନିକାଣ୍ଡରେ ୧୫ଟି ପେଣ୍ଡାଲ ତମ୍ବୁ ପୋଡ଼ି ପାଉଁଶ ହୋଇଛି । ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଅବଗତ କରାଯାଇଥିଲା । ତେବେ ଘଟଣାସ୍ଥଳକୁ ପହଞ୍ଚିବା ପାଇଁ ରାସ୍ତାନ ଥିବାରୁ ଅଗ୍ନିଶମ କର୍ମୀ ଘଟଣାସ୍ଥଳରେ ପହଞ୍ଚିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏହା ସତ୍ତ୍ୱେ ଅଗ୍ନିଶମ ବାହିନୀ କୌଣସି ମତେ ଠିକ୍ ସମୟରେ ପହଞ୍ଚି କୌଣସି ବଡ଼ ଅଘଟଣ ଘଟିବା ପୂର୍ବରୁ ନିଆଁକୁ ନିୟନ୍ତ୍ରଣ କରିଥିଲା ।
#WATCH | Prayagraj | UP Fire Department official Pramod Sharma says, "We got information about a fire in 15 tents under the Chatnag Ghat Police Station area, today. Taking immediate action, the fire was brought under control and doused. As per the SDM, it was an unauthorised tent… pic.twitter.com/a5cRkrCWKW
— ANI (@ANI) January 30, 2025
ଘଟଣାକୁ ନେଇ ୟୁପି ଅଗ୍ନିଶମ ବିଭାଗର ଅଧିକାରୀ ପ୍ରମୋଦ ଶର୍ମା କହିଛନ୍ତି, “ଆଜି ଚାଟନାଗ ଘାଟ ପୋଲିସ ଷ୍ଟେସନ ଅଧୀନରେ ୧୫ଟି ତମ୍ବୁରେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇଥିଲୁ । ତୁରନ୍ତ ପଦକ୍ଷେପ ନେଇ ନିଆଁକୁ ନିୟନ୍ତ୍ରଣକୁ କରାଯାଇଥିଲା । ଅଗ୍ନିଶମ ବିଭାଗର ଅଧିକାରୀଙ୍କ ମୁତାବକ ଏହି ସବୁ ତମ୍ବୁ ବା ପେଣ୍ଡାଲ ଅନଧିକୃତ ଥିଲା ।
ମହାକୁମ୍ଭରେ ପୂର୍ବରୁ ମଧ୍ୟ ଅଗ୍ନିକାଣ୍ଡ ଘଟଣା ଦୁଇଥର ସାମ୍ନାକୁ ଆସିଛି । ମହାକୁମ୍ଭ ମେଳାର ସେକ୍ଟର ୨ରେ ଦୁଇଟି କାରରେ ନିଆଁ ଲାଗିଯିବା ପରେ ଆତଙ୍କ ଖେଳିଯାଇଥିଲା । ତେବେ ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇନଥିଲା । କାରଣ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣାକୁ ନିୟନ୍ତ୍ରଣକୁ ଆଣିଥିଲେ ।
ଏହାପୂର୍ବରୁ ଜାନୁଆରୀ ୧୯ରେ ବି ମହାକୁମ୍ଭ ମେଳାର ସେକ୍ଟର ୧୯ରେ ଆଉ ଏକ ଅଗ୍ନିକାଣ୍ଡ ଘଟିଥିଲା । ଏକ ଶିବିରରେ ରଖାଯାଇଥିବା ଘାସ ଓ ନଡ଼ାରେ ଅଚାନକ ନିଆଁ ଲାଗି ଯାଇଥିଲା । ଏହି ଘଟଣାରେ ପ୍ରାୟ ୧୮ଟି ଶିବିରରେ ପାଉଁଶ ହୋଇଯାଇଥିଲା । ତେବେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ତୁରନ୍ତ ନିୟନ୍ତ୍ରଣ ଆଣିବାକୁ ଆପ୍ରାଣ ଚେଷ୍ଟା କରିଥିଲେ । ଏଥିରେ କୌଣସି ଜୀବନହାନୀ ହୋଇନଥିଲା ।