ବିକାଶମୁଖୀ ଦେଶରେ ଏବେ ଭିକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆପଣ ଯେଉଁ ସହରକୁ ବି ଯାଆନ୍ତୁ ନା କାହିଁକି ସବୁଠି ମାଳମାଳ ଭିକାରୀଙ୍କୁ ରାସ୍ତାରେ ଦେଖିବେ । ସ୍ଥିତି ତ ଏମିତି ବେଳେ ବେଳେ ହୋଇଯାଏ, ଯେବେ ଟ୍ରାଫିକ୍ରେ ଆପଣ ଗାଡ଼ି ଅଟକାନ୍ତି ସେବେ ଗାଡ଼ି କାଚ ସାମ୍ନାରେ ଘେରି ହୋଇଥାଆନ୍ତି ଭିକାରୀ । ଯାହା ଆପଣଙ୍କୁ ବିରକ୍ତ କରାଏ । ଏବେ ନୂଆ ନିୟମ ଆସୁଛି, ଯଦି ଭିକାରୀକୁ ଆପଣ ଭିକ ଦେଉଛନ୍ତି ତାହାଲେ ଆପଣଙ୍କ ବିରୋଧରେ ହେବ ଆକ୍ସନ। ଜାଣିରଖନ୍ତୁ କେଉଁଠି ଓ କେବେଠୁ ଲାଗୁ ହେଉଛି ଏହି ନିୟମ ।
କିଛିଦିନ ତଳେ ମଧ୍ୟପ୍ରଦେଶର ଇନ୍ଦୋର ସହର ସ୍ବଚ୍ଛତାକୁ ନେଇ ପୁରା ଦେଶରେ ନଂ ୱାନ ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ ଇନ୍ଦୋରରେ ଏତେ ମାତ୍ରାରେ ଭିକାରୀ ବୁଲିରେ ଯେ ରାସ୍ତାରେ ଲୋକମାନେ ଯିବାଆସିବା କରିବା କଷ୍ଟକର ହୋଇ ପଡ଼ିଲା । ଏନେଇ ପ୍ରଶାସନ ପାଖରେ ବାରମ୍ୱାର ଅଭିଯୋଗ ବି ହେଲା । ତେଣୁ ପ୍ରଶାସନର ନିଷ୍ପତ୍ତି ଅନୁସାରେ, ଆଗାମୀ ଜାନୁଆରୀ ୧ ତାରିଖରୁ ଇନ୍ଦୋରରେ ଆଉ କେହି ଭିକାରୀ ବୁଲିବେ ନାହିଁ। ଯଦି ବୁଲିବେ ସେମାନଙ୍କ ବିରୋଧରେ ଆକ୍ସନ ହୋଇପାରେ, ଖାସକରି ଯେଉଁମାନେ ଭିକାରୀଙ୍କୁ ଭିକ ଦେବେ ସେମାନଙ୍କ ବିରୋଧରେ ବି ଆକ୍ସନ ହେବ । ଇନ୍ଦୋର କଲେକ୍ଟର ଆଶିଷ ସିଂ କହିଛନ୍ତି,ପୂର୍ବରୁ ପ୍ରଶାସନ ଏମିତି ନିଷ୍ପତ୍ତି ନେଇଥିଲା କିନ୍ତୁ ଏବେ ଭିକ ଦେଉଥିବା ବ୍ୟକ୍ତିଙ୍କ ଉପରେ ଆକ୍ସନ ହେବା ପରେ ଭିକାରୀ ସଂଖ୍ୟା କମିପାରେ ।
ଦେଶରେ ଭିକାରୀଙ୍କ ସଂଖ୍ୟା ଅହେତୁକ ଭାବରେ ବଢିବା ପରେ ସୁପ୍ରିମକୋର୍ଟରେ ଏନେଇ ମାମଲା ରୁଜୁ ହୋଇଥିଲା । ମାମଲାର ଶୁଣାଣି ବି ହୋଇଥିଲା । କୋର୍ଟ କହିଥିଲେ, ଆର୍ଥିକ ଓ ସାମାଜିକ ସ୍ତରରେ ଯେଉଁମାନେ ଦୁର୍ବଳ ସେମାନେ ଭିକ ମାଗି ପରିବାର ପୋଷୁଛନ୍ତି । ତେଣୁ ସେମାନଙ୍କ ଉପରେ ରୋକ ଲାଗିପାରିବନି । ପୂର୍ବରୁ ୨୦୧୮ ମସିହାରେ ସମାନ ମାମଲାରେ ରୋକ ଲଗାଇବାକୁ ଦିଲ୍ଲୀ ହାଇକୋର୍ଟ ବି ମନା କରିଦେଇଥିଲା । କୋର୍ଟ କହିଥିଲେ, ରାସ୍ତାରେ ଯେଉଁମାନେ ଭିକ ମାଗୁଛନ୍ତି ସେମାନେ ଖୁସିରେ ମାଗୁନାହାନ୍ତି ବରଂ ପରିସ୍ଥିତିରେ ପଡ଼ି ମାଗୁଛନ୍ତି । ତେଣୁ କୋର୍ଟଙ୍କ ଶୁଣାଣି ପରେ ଭିକାରୀଙ୍କ ବିରୋଧରେ ମାମଲା ହେବାର ବାଟ ବନ୍ଦ ହୋଇଥିଲା । କିନ୍ତୁ ଏବେ ଇନ୍ଦୋର ପ୍ରଶାସନ ନେଇଥିନା ନିଷ୍ପତ୍ତିକୁ ନେଇ ଏବେ ଭାରି ଚର୍ଚ୍ଚା ।
ଦେଶରେ ଭିକାରୀ ସଂଖ୍ୟା କେତେ ?
୨୦୧୧ ଜନଗଣନା ଅନୁସାରେ, ପୁରା ଦେଶରେ ୩ ଲକ୍ଷ ୭୨ ହଜାର ଭିକାରୀ ଥିଲେ । ସେଥିମଧ୍ୟରୁ ୧ ଲକ୍ଷ ୯୭ ହଜାର ପୁରୁଷ ଥିବା ବେଳେ ୧ ଲକ୍ଷ ୪୩ ହଜାର ମହିଳା ଭିକାରୀ ଥିଲେ । ଖାଲି ଏତିକି ନୁହେଁ ବରଂ ପାଖାପାଖି ୫୫ ହଜାର ନାବାଳକ ରାସ୍ତାରେ ବୁଲିବୁଲି ଭିକ ମାଗୁଛନ୍ତି । ଏହାସହ ଲକ୍ଷେ ୪୩ ହଜାର ପାଖାପାଖି ବୟସ୍କ ବି ରାସ୍ତାରେ ଭିକ ମାଗି ପେଟ ପୋଷୁଥିବା ରିପୋର୍ଟ କହିଛି ।
କେଉଁଠି ଅଛନ୍ତି କେତେ ଭିକାରୀ ?
ଦେଶରେ ସର୍ବାଧିକ ଭିକାରୀ ପଶ୍ଚିମବଙ୍ଗରେ ଅଛନ୍ତି । ସେଠାରେ ୮୧ ହଜାରରୁ ଅଧିକ ଭିକାରୀ ଅଛନ୍ତି । ଦ୍ବିତୀୟରେ ଉତ୍ତର ପ୍ରଦେଶ , ଯେଉଁଠାରେ ୬୫ ହଜାରରୁ ଅଧିକ ଭିକାରୀ ଅଛନ୍ତି । ଏହାସହ ଆନ୍ଧ୍ର ପ୍ରଦେଶରେ ୩୦ ହଜାରରୁ ଉର୍ଦ୍ଧ୍ବ,ବିହାରରେ ୨୯ ହଜାର, ମଧ୍ୟ ପ୍ରଦେଶରେ ୨୮ ହଜାର, ରାଜସ୍ଥାନରେ ୨୫ ହଜାର ଭିକାରୀ ଥିବା ବେଳେ ରାଜଧାନୀ ଦିଲ୍ଲୀରେ ୨ ହଜାରରୁ ଅଧିକ ଭିକାରୀ ଅଛନ୍ତି ।
ଭିକ ମାଗିବା ଅପରାଧ କି ?
ଭାରତରେ ଭିକ ମାଗିବା ଅପରାଧ ବୋଲି କୌଣସି କେନ୍ଦ୍ରୀୟ ଆଇନ ନାହିଁ । କିନ୍ତୁ ୧୯୫୯ ବମ୍ୱେ ପ୍ରିଭେସନ ଅଫ୍ ବେଙ୍ଗି ଆକ୍ଟ ୨୦ ଅନେକ ରାଜ୍ୟରେ ଲାଗୁ ହୋଇଛି । ଏହି ଆଇନ ଭିକ ମାଗିବାକୁ ଅପରାଧ ଦର୍ଶାଏ । ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ଆଇନ ଅନୁସାରେ, କେବଳ ରାସ୍ତାରେ ବୁଲିବୁଲି ଭିକ ମାଗିବା ଅପରାଧ ନୁହେଁ ବରଂ ରାସ୍ତାରେ ଗୀତ ଗାଇ, ଚିତ୍ର କରି କିମ୍ୱା କୌଣସି କଳା ଦେଖାଇ ଯଦି ପଇସା ରୋଜଗାର କରନ୍ତି ତାହାଲେ ଅପରାଧ ବୋଲି ବିବେଚିତ କରାଯିବ । ଏଥିରେ ଧରାପଡିଲେ ୩ ବର୍ଷ ପାଇଁ ବେଗର ହୋମ୍ରେ ରଖାଯାଇପାରେ, ଦ୍ବିତୀୟ ଥର ଧରାପଡ଼ିଲେ ୧୦ ବର୍ଷ ପର୍ଯ୍ୟନ୍ତ ମଧ୍ୟ ହୋଇପାରେ । ଭିକାରୀ ମୁକ୍ତ କରିବାକୁ ବିଭିନ୍ନ ରାଜ୍ୟ ଅନେକ ପ୍ରକାର ପଦକ୍ଷେପ ନେଉଛନ୍ତି, ଆଇନ ମଧ୍ୟ କରୁଛନ୍ତି । ହେଲେ ଇନ୍ଦୋର ପ୍ରଶାସନ ନେଇଥିନା ନିଷ୍ପତ୍ତିକୁ ନେଇ ଏବେ ସବୁଠି ଚର୍ଚ୍ଚା ।