ଶ୍ରୀଜଗନ୍ନାଥଙ୍କ ଜମି ଜାଲିଆତିକୁ ନେଇ ମାମଲା; ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଏସପିଙ୍କ ସହଯୋଗ ଲୋଡିଲେ ଶ୍ରୀମନ୍ଦିର ପ୍ରଶାସନ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ଜାଲିଆତି ନେଇ ଥାନାରେ ମାମଲା । ଜବରଦଖଲକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ କଲେ ଓ ଏସପିଙ୍କ ସହଯୋଗ ଲୋଡ଼ିଲେ ମୁଖ୍ୟ ପ୍ରଶାସକ । ବେଆଇନ ହସ୍ତାନ୍ତରରୁ କ୍ଷାନ୍ତ ରହିବାକୁ ଜନସାଧାରଙ୍କୁ ଶ୍ରୀମନ୍ଦିର ପ୍ରଶାସନର ପରାମର୍ଶ ।

09jaga

କନକ ବ୍ୟୁରୋ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ଜାଲିଆତି ନେଇ ଥାନାରେ ମାମଲା। ଜବରଦଖଲକାରୀଙ୍କ ଉପରେ ଦୃଢ କାର୍ୟ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଅନୁରୋଧ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ବେଆଇନ ଭାବେ ସମ୍ପତ୍ତି କିଣି ଠକାମିରେ ନପଡ଼ିବାକୁ ଜନସାଧାରଙ୍କୁ ପରାମର୍ଶ। ପୁରୀ ମାଟିତୋଟା ମୌଜାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ଜମି

ବେଆଇନ ଭାବରେ ଜବରଦଖଲ କରି ହସ୍ତାନ୍ତର ଉଦ୍ୟମ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ନଜରକୁ ଆସିଛି ଓ ଏନେଇ ଆଇନ୍ ଗତ କାର୍ୟ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶନିବାର ବାସେଳୀସାହି ଥାନାରେ ଏତଲା ଦାୟର କରାଯାଇଛି। ମୌଜା- ମାଟିତୋଟା ୟୁନିଟ୍ ନଂ-୧, ଖାତା ନମ୍ବର-୩୮ର ସମୁଦାୟ ୧୦୯ ଟି ପ୍ଲଟର ଏହି ଜମିକୁ ବେଆଇନ୍ ଭାବେ ହାତେଇବାକୁ ହୋଇଥିବା ଉଦ୍ୟମକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହା ଉପରେ ତୁରନ୍ତ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ ଲାଗି ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଅନୁରୋଧ କରିଛନ୍ତି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୂସମ୍ପତ୍ତିର ଏଭଳି ବେଆଇନ୍ ହସ୍ତାନ୍ତର ସମ୍ପୂର୍ଣ୍ଣ ଭାବେ ଅବୈଧ ଓ ଏହା ଦ୍ବାରା ନିଜେ ଠକେଇ ଶିକାର ହେବା ସହ ଆଇନ ଅନୁଯାୟୀ ଦଣ୍ଡନୀୟ ମଧ୍ୟ ହେବେ। ତେଣୁ ଏଭଳି ବେଆଇନ ହସ୍ତାନ୍ତରରୁ ବ୍ୟକ୍ତି କିମ୍ବା ଅନୁଷ୍ଠାନ କ୍ଷାନ୍ତ ରହିବାକୁ ଜନସାଧାରଣଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe