କନକ ବ୍ୟୁରୋ: ଖବର ବାଜିଲା ପ୍ରଶାସନ ତେଜିଲା । କଙ୍ଗାରୁ କୋର୍ଟ ଘଟଣାର ତଦନ୍ତ ପାଇଁ କମିଟି ଗଠନ । ପ୍ରେମ ବିବାହ ପାଇଁ ଦୁଇ ଜଣଙ୍କୁ ହଳ କରାଇବା ଘଟଣାରେ ତଦନ୍ତ ପାଇଁ ଗଠନ ହୋଇଛି କମିଟି । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ପ୍ରଶାସନ ତତ୍ପର ହୋଇଛି । ତଦନ୍ତ କମିଟିରେ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ବିଡ଼ିଓ, ସିଡିପିଓ, ତହସିଲଦାର ଓ ସାମାଜିକ ସୁରକ୍ଷା ଅଧିକାରୀ ସାମିଲ ଅଛନ୍ତି ।
ରାୟଗଡ଼ା କଲ୍ୟାଣସିଂହପୁର କଞ୍ଜମଝଡ଼ିରେ କଙ୍ଗାରୁ କୋର୍ଟ ଘଟଣାରେ ତଦନ୍ତ ପାଇଁ କମିଟି ଗଠନ କଲା ଜିଲ୍ଲା ପ୍ରଶାସନ । ଏଥିରେ ଜିଲ୍ଲାସ୍ତରୀୟ ଅଧିକାରୀ ସାମିଲ ଅଛନ୍ତି । କମିଟିରେ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ବିଡ଼ିଓ, ସିଡିପିଓ, ତହସିଲଦାର ଓ ସାମାଜିକ ସୁରକ୍ଷା ଅଧିକାରୀ ସାମିଲ ଅଛନ୍ତି । କେଉଁ ପରିସ୍ଥିତିରେ ଏପରି ହେଲା ? ଏଥିପାଇଁ କିଏ ଦାୟୀ ଏବଂ ସେହି ଦୁଇଜଣଙ୍କ ଠାରୁ ପଇସା କିଏ ନେଲା ଏବଂ ସେ ଦୁଇଜଣ କେଉଁଠି ଅଛନ୍ତି ତାହାର ତଦନ୍ତ କରାଯିବ । ଆସନ୍ତାକାଲି ଏହି କମିଟି ଘଟଣାସ୍ଥଳକୁ ଯାଇ ତଦନ୍ତ କରିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।
ପିୟୁସୀ ଓ ପୁତୁରାଙ୍କ ପ୍ରେମ ସମ୍ପର୍କକୁ ନେଇ ଗ୍ରାମବାସୀ କଙ୍ଗାରୁ କୋର୍ଟ କରି ଦଣ୍ଡ ଦେଇଥିଲେ। ନିର୍ଯାତନା ବର୍ବରତାର ସୀମା ଟପିଯାଇଥିଲା। ପ୍ରେମୀ ଯୁଗଳଙ୍କୁ ଲଙ୍ଗଳରେ ଯୋଚି ହଳ ବୁଲାଇଥିଲେ ଗାଁର ଲୋକ। ନିଜ ସମ୍ପର୍କୀୟଙ୍କୁ ବିବାହ ବାରଣ ଥିବାବେଳେ ଉଭୟ ଏହି ନିୟମକୁ ମାନିନଥିଲେ। ତେଣୁ କଙ୍ଗାରୁ କୋର୍ଟରେ ଉଭୟଙ୍କୁ ଦଣ୍ଡ ଦେଇଥିଲେ । ଏଠି ପ୍ରଶ୍ନ:
ଆଇନକୁ ହାତକୁ ନେବାକୁ ଗାଁ ଲୋକଙ୍କୁ ଅନୁମତି ଦେଲା କିଏ?
କଙ୍ଗାରୁକୋର୍ଟରେ ଦଣ୍ଡବିଧାନ କ୍ଷମତା ଆସିଲା କୁଆଡୁ?
କାହିଁକି ନିଜ ଆଡୁ ମାମଲା ରୁଜୁ କରୁନାହିଁ ପୋଲିସ?
କେବେ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ?
ସେପଟେ ମାମଲା ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ପହଞ୍ଚିଛି । ତଦନ୍ତ ଦାବି କରି କମିସନଙ୍କ ନିକଟରେ ଜଣେ ସାମାଜିକ କର୍ମୀ ଆବେଦନ କରିଛନ୍ତି ।