କନକ ବ୍ୟୁରୋ: କଂଗ୍ରେସ ଆନ୍ଦୋଳନ ବେଳେ ହିଂସାକୁ ନେଇ ମାମଲା ରୁଜୁ ହୋଇଛି । ମୋଟ ୩ଟି ମାମଲା ରୁଜୁ କରିଛି କ୍ୟାପିଟାଲ ଥାନା ପୋଲିସ । କେସ୍‌ ନମ୍ବର ୧୨୮, ୧୨୯ ଓ ୧୩୦ରେ ମାମଲା ରୁଜୁ ହୋଇଛି । ଭାରତୀୟ ନ୍ୟାୟ ସଂହିତାରେ ୧୭ଟି କଡ଼ା ଦଫା ଲଗାଇଛି ପୋଲିସ । ଦଙ୍ଗା ସୃଷ୍ଟି କରାଇବା ଭଳି ସଙ୍ଗୀନ ଦଫା ଲଗାଯାଇଛି । ପୋଲିସ ଉପରକୁ ଟେକାପଥର ମାଡ଼ ନେଇ ବି ପୋଲିସ ଦଫା ଲଗାଇଛି । ଏହାପରେ ଏବେ ଅଭିଯୁକ୍ତ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ଖବର ରହିଛି ।  ନାରୀ ସୁରକ୍ଷା ପ୍ରସଙ୍ଗକୁ ନେଇ ଆନ୍ଦୋଳନକୁ ଓହ୍ଲାଇଥିଲା କଂଗ୍ରେସ । ଏହି କ୍ରମରେ ବିଧାନସଭା ଘେରାଉ କରିବାକୁ ମାଡ଼ି ଆସିଥିଲେ କଂଗ୍ରେସ କର୍ମୀ । ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା । ସ୍ଥିତି ଅଣାୟତ୍ତ ହେବାପରେ ପୋଲିସ ଲାଠିଚାର୍ଜ କରିବା ସହ ପାଣିମାଡ଼ କରିଥିଲା । ଆନ୍ଦୋଳନକାରୀ ପୋଲିସ ଉପରକୁ ଚେୟାର ଫୋପାଡ଼ିବା ସହ ଟେକାପଥର ମାଡ଼ କରୁଥିବା ବି ଦେଖିବାକୁ ମିଳିଥିଲା ।

Advertisment

ଗତକାଲିର ଘଟଣାକୁ ନେଇ ଆଜି ଏକ ପ୍ରେସ୍‌ମିଟ୍‌ କରିଛନ୍ତି ଏଆଇସିସିର ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ପୱନ ଖେରା । ପ୍ରେସ୍‌ମିଟ୍‌ ଜରିଆରେ ସେ ଏକ ପ୍ରକାର ବର୍ଷିଛନ୍ତି । ପୱନ ଖେରା କହିଛନ୍ତି, “ଗତକାଲି ଆନ୍ଦୋଳନରେ କଂଗ୍ରେସ ଦଳର ମିଟୁ ଜେନା ଏବଂ ସସ୍ମିତା ପଣ୍ଡା ଗୁରୁତର ଆହତ ହୋଇଛନ୍ତି । ମୁଁ ହସ୍ପିଟାଲ ତାଙ୍କୁ ଭେଟ କରି ଫେରିଛି । ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ୧୦୦ ଦିନ ମଧ୍ୟରେ ମହିଳା ସୁରକ୍ଷା ପାଇଁ ପଦକ୍ଷେପ ନେବ ବୋଲି କହିଥିଲା, କିଛି ପଦକ୍ଷେପ ନେଇଛନ୍ତି କି ?  କିନ୍ତୁ ଯେଉଁମାନେ ନାରୀ ସୁରକ୍ଷା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଆନ୍ଦୋଳନ କଲେ ସେହି ନାରୀମାନଙ୍କୁ ମାଡ ମରାଗଲା ।“

ସେ ଆହୁରି କହିଛନ୍ତି, ଓଡ଼ିଶା ଭଳି ସୁନ୍ଦର ଏବଂ ଶାନ୍ତିପ୍ରିୟ ରାଜ୍ୟକୁ ଏବେ ଅଶାନ୍ତ କରିଦିଆଯାଇଛି । ଓଡ଼ିଶା ଏବେ ସାପ ମୁହଁରୁ ବାହାରି ବିଛା ମୁହଁରେ ପଡିଛି । ପୂର୍ବ ସରକାର ସମୟରେ ୪୪ ହଜାର ମହିଳା ନିଖୋଜ ହୋଇଯାଇଥିଲେ । ଏବେ ବିଜେପି ସରକାରରେ ୮ ମାସରେ ୨୦ ହଜାର ମହିଳା ନିଖୋଜ ହୋଇଯାଇଛନ୍ତି । ଆମେ ସୁଭଦ୍ରା ମା‘ଙ୍କୁ ପୂଜା କରୁଛେ କିନ୍ତୁ ନାବାଳିକାଙ୍କୁ ସୁରକ୍ଷା ଦେଇପାରୁନୁ ।  ଏହାଠାରୁ ଲଜ୍ଜାଜନକ ଆଉ କିଛି ନାହିଁ । ରାଜ୍ୟରେ ନାବାଳିକାମାନେ ମା‘ ହେଉଛନ୍ତି ।  ଏବେ ସମୟ ଏମିତି ଆସିଛି ବାପା ମା‘ ନାବାଳିକାଙ୍କୁ ବାହାରକୁ ଛାଡ଼ିବାକୁ ଭୟ କରୁଛନ୍ତି । ଏହା ଅପରାଧ ନୁହେଁ, ଏହା ପାପ ।“

“ସୁଭଦ୍ରାଙ୍କ ନାଁରେ ଯୋଜନା କରୁଛନ୍ତି କିନ୍ତୁ ରାଜ୍ୟରେ ନାରୀଙ୍କୁ ସୁରକ୍ଷା ଦିଆଯାଇପାରୁନାହାନ୍ତି । ଯେଉଁ ରାଜ୍ୟରେ ମହିଳା ଓ ବାଳିକାଙ୍କ ଉପରେ ଅତ୍ୟାଚାର ହୁଏ, ସେଠାରେ ଭଗବାନ ଅଶାନ୍ତି ରୁହନ୍ତି । ଜାମ୍ମୁରେ ମଧ୍ୟ ନାବାଳିକାଙ୍କ ସହ ଦୁଷ୍କର୍ମ ହେଉଥିଲା, କିନ୍ତୁ ସେଠାରେ ବିଜେପି ନେତା ଦୁଷ୍କର୍ମକାରୀଙ୍କ ସମର୍ଥନରେ ଆନ୍ଦୋଳନ କରୁଥିଲେ । ଏଭଳି କ୍ଷେତ୍ରରେ ଓଡ଼ିଶାରେ ବିଜେପି ଦଳର ଏଜେଣ୍ଡା କଣ ହେବ ସମସ୍ତେ ଅନୁମାନ କରିପାରିବେ । କିନ୍ତୁ ଆମେ କହି ରଖିବାକୁ ଚାହୁଁ  ଯେପର୍ଯ୍ୟନ୍ତ ଓଡ଼ିଶାର ନାରୀଙ୍କୁ ସୁରକ୍ଷା ନମିଳିଛି ସେପର୍ଯ୍ୟନ୍ତ କଂଗ୍ରେସ ପଛକୁ ହଟିବ ନାହିଁ, ଲଢେଇ ଜାରି ରଖିବ ।“ କହିଛନ୍ତି ପୱନ ଖେରା । 

କଂଗ୍ରେସ ଦଳର ନେତାଙ୍କ ସଂଖ୍ୟା ଯେତେ କମ ହେଉ ନା କାହିଁକି, ଇତିହାସ କହୁଛି ଆମେ ସବୁବେଳେ ଲଢେଇ କରିଛୁ । ସରକାର ଲାଠି ମାଡ଼ କରନ୍ତୁ କିନ୍ତୁ ଆମେ ବିରୋଧ ପ୍ରଦର୍ଶନ କରିବୁ । ଓଡିଶା ଜନତା ଦେଖୁଛନ୍ତି କିଏ କଣ କରୁଛି ।  ଯେତେ ବେଳେ ବିଜେଡି ସରକାରରେ ଥିଲା ବିଜେପି ଚୁପ୍‌ ରହୁଥିଲା ଏବେ ବିଜେପି ସରକାରରେ ରହିଛି ବିଜେଡି ଚୁପ ଅଛି ବୋଲି କହିଛନ୍ତି ପୱନ ଖେରା ।