mahua-moitra-amit-shah Photograph: (google)
କନକ ବ୍ୟୁରୋ : ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ଏତଲା ଦାଖଲ ହୋଇଛି । ପଶ୍ଚିମବଙ୍ଗର କୃଷ୍ଣନଗର ପୁଲିସ୍ ଷ୍ଟେସନରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଅଗଷ୍ଟ ୨୮ ତାରିଖରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ମାମଲାରେ ମହୁଆଙ୍କ ବିରୋଧରେ ଏତଲା ଦାଖଲ କରାଯାଇଛି । ମହୁଆ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଏଭଳି ବୟାନ ଦେଇଥିଲେ ଯେ ବିଜେପି ଏହାକୁ ଘୃଣ୍ୟ ଏବଂ ହିଂସାତ୍ମକ ବୟାନ ବୋଲି କହିଛି ।
ବାଂଲାଦେଶରୁ ଭାରତକୁ ବେଆଇନ ଭାବେ ହେଉଥିବା ଅନୁପ୍ରବେଶକୁ ରୋକିବାରେ ବିଫଳ ହୋଇଥିବା ଅଭିଯୋଗ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପରେ ଲଗାଇଥିଲେ ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମୈତ୍ର । ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଏକ ସାମ୍ବାଦିକ ସମ୍ମିଳନୀରେ ମହୁଆଙ୍କୁ ବାଂଲାଦେଶରୁ ବେଆଇନ ଅନୁପ୍ରବେଶକୁ ନେଇ ପ୍ରଶ୍ନ କରାଯାଇଥିଲା, ଯାହାର ଉତ୍ତରରେ ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରି କହିଥିଲେ ସୀମାର ସୁରକ୍ଷା ଗୃହମନ୍ତ୍ରୀଙ୍କ ଦାୟିତ୍ୱ କିନ୍ତୁ ଅମିତ ଶାହା ଏହି ଦାୟିତ୍ୱ ତୁଲାଇବାରେ ବିଫଳ ହୋଇଛନ୍ତି । ଭାରତର ସୀମାରୁ ପ୍ରତିଦିନ ଅନୁପ୍ରବେଶ ହେଉଛି । କେତେବେଳେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଅନୁପ୍ରବେଶ କରୁଛନ୍ତି ତ କେତେବେଳେ ପଞ୍ଜାବରେ ଡ୍ରୋନ୍ ଏବଂ ନିଶା ବେପାରୀ ଅନୁପ୍ରବେଶ କରୁଛନ୍ତି । ବାଂଲାଦେଶ ପଟୁ ଆସି ଦିନକୁ ଦିନ ବେଆଇନ ଭାବେ ଅନୁପ୍ରବେଶ ହେଉଛି । ଏହି ଅନୁପ୍ରବେଶ କାରଣରୁ ହିଁ ଭାରତରେ ଅପରାଧିକ ଘଟଣା ଘଟୁଛି । ମାଆ ଭଉଣୀଙ୍କ ଉପରେ ଖରାପ ନଜର ପକାଯାଉଛି । ହତ୍ୟା କରି ଜମି ଛଡ଼ାଇ ନିଆଯାଉଛି । ଯଦି ଗୃହମନ୍ତ୍ରୀ ଅମିତ ଶାହା ସୀମାକୁ ରକ୍ଷା କରିପାରିବେ ନାହିଁ ତେବେ ତାଙ୍କ ମୁଣ୍ଡ କାଟି ଟେବୁଲ ଉପରେ ରଖିଦେବା ଉଚିତ୍ ।
ମହୁଆ ମୈତ୍ରଙ୍କ ବୟାନକୁ ଲଜ୍ଜାଜନକ, ଘୃଣିତ ଏବଂ ଘୃଣାଭରା ବୋଲି କହିଛି ବିଜେପି । ପଶ୍ଚିମବଙ୍ଗରେ ବିଜେପି ପ୍ରବକ୍ତା ପ୍ରଦୀପ ଭଣ୍ଡାରୀ ମହୁଆଙ୍କ ବୟାନକୁ ତାଙ୍କର ଏବଂ ଟିଏମସିର ହିଂସାତ୍ମକ ମାନସିକତା ବୋଲି କହିଛନ୍ତି । ଟିଏମସି ପ୍ରବକ୍ତା କୁଣାଲ ଘୋଷ ସାଂସଦ ମହୁଆଙ୍କୁ ସମର୍ଥନ କରିଛନ୍ତି । ସେ ମହୁଆଙ୍କ ବୟାନକୁ ପ୍ରତୀକାତ୍ମକ ବୋଲି କହିଛନ୍ତି । ମହୁଆ ମଧ୍ୟ ବିଜେପିକୁ ଟାର୍ଗେଟ୍ କରି ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ ବିଜେପିର ଟ୍ରୋଲ ସେଲ୍ ତାଙ୍କ ବୟାନକୁ ଭୁଲ ଢଙ୍ଗରେ ସୋସିଆଲ ମିଡିଆରେ ଭାଇରାଲ କରିବାକୁ ଚେଷ୍ଟା କରୁଛି । ସେମାନେ ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ।
Follow Us