କନକବ୍ୟୁରୋ : ବିରାଟ ନାଗ ସାପ ଦେଖାଇ ୪ ଜଣଙ୍କୁ ଅପହରଣ । ଗଞ୍ଜାମ ଚିକିଟି ଅଂଚଳରେ ଘଟିଛି ଏହି ହାଇଭୋଲଟେଜ ଅପହରଣ ଘଟଣା। ଦିଲ୍ଲୀର ଜଣେ ଫାଇନାନ୍ସ କର୍ମଚାରୀ ଓ କଟକର ୩ ଜଣ ସହଯୋଗୀଙ୍କୁ ଅପହରଣ ସାପ ଦେଖାଇ ଅପହରଣ କରିଥିଲେ ଦୁର୍ବୃତ୍ତ । ବନ୍ଧକ ରଖି ଏକ କୋଟି ଟଙ୍କା ଦେବାକୁ ଦାବି କରୁଥିଲେ ।
କୋଟିଏ ଟଙ୍କା ନଦେଲେ ସମସ୍ତଙ୍କୁ ବନ୍ଧକଙ୍କୁ ନାଗ ସାପ ଚୋଟରେ ଜୀବନ ନେଇଯିବେ ବୋଲି ଧମକ ଚମକ ଦେଉଥିଲେ । ଗୋଳନ୍ଥରା ଥାନା ଅଞ୍ଚଳରୁ ଅପହରଣ ପରେ ଚିକିଟି ଗଡ଼ରେ ଅଟକ ରଖି ଅତ୍ୟାଚାର କରୁଥିଲେ । ହେଲେ କୌଣସି ମତେ ଜଣେ ଅପହରଣକାରୀଙ୍କ କବଳରୁ ଖସି ଆସି ଚିକିଟି ତହସିଲ ଅଫିସରେ ପହଞ୍ଚି ଉଦ୍ଧାର ପାଇଁ ନେହାରୁ ହୋଇଥିଲେ ।
ଏନେଇ ପୋଲିସ ଖବର ପାଇବା ପରେ ଅଟକ ୩ ଜଣଙ୍କୁ ଦୁର୍ବୃତ୍ତଙ୍କ କବଳରୁ ଉଦ୍ଧାର କରିଛି । ପୋଲିସ ପହଞ୍ଚିବା ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ଏକ ଆହତ ନାଗସାପକୁ ଦେଖି ବନବିଭାଗକୁ ଖବର ଦେଇଥିଲା ଚିକିଟି ପୋଲିସ । ଆହତ ନାଗ ସାପକୁ ଉଦ୍ଧାର କରି ବନବିଭାଗ ନିଜ ହେପାଜତକୁ ନେଇ ଚିକିତ୍ସା କରୁଛି ।
ସାପଟିର ବେକ ଓ ଅଣ୍ଟା ପାଖରେ ଆଘାତ ଲାଗି ନିସ୍ତେଜ ଅବସ୍ଥାରେ ଥିବା ସାପଟିକୁ ଧରି ଅଭିଯୁକ୍ତମାନେ ଡରାଉଥିଲେ ବୋଲି ଜଣାପଡିଛି । ହାଇଭୋଲଟେଜ ଅପହରଣ ଘଟଣାର ସମସ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଏବେ ଜାଲ ବିଛେଇଛି । ଏବେ ବି ଘଟଣା ରହସ୍ୟ ଘେରରେ ରହିଥିବା ବେଳେ ପୋଲିସ ତଦନ୍ତ ଜାରି ରହିଛି ।