କନକ ବ୍ୟୁରୋ: ଆଉଟସୋର୍ସିଂ ବ୍ୟବସ୍ଥାରେ ଅଙ୍କୁଶ ଲଗାଇବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ବିଭାଗ ଗୁଡିକ ଉପରେ ପଡିଛି ଛାଟ । ଆଗକୁ ଅର୍ଥ ବିଭାଗର ବିନା ଅନୁମତିରେ ହେବନି ପରାମର୍ଶଦାତା ନିଯୁକ୍ତି । ଏନେଇ ଚିଠି ଲେଖି ଚେତାଇ ଦେଇଛନ୍ତି ସରକାର ।
ଶାସନକଳରେ କନସଲ୍ଟାନ୍ସିଂ ଓ ଆଉଟସୋର୍ସିଂ ବ୍ୟବସ୍ଥାର ଗୁରୁତ୍ବ ବଢି ଯାଇଥିଲା । ଗତ କିଛି ବର୍ଷ ଧରି ଏମାନଙ୍କ ଦବଦବା ଚାଲିଥିଲା । ବ୍ୟବସ୍ଥାକୁ ଏକରକମ ହାଇଜାକ କରିନେଇଥିଲେ । ହେଲେ ବଦଳିଲା ସରକାର, ପରିବର୍ତ୍ତନ ହେଲା ନିଷ୍ପତ୍ତି । ଏବେ କଠୋର ହୋଇଛନ୍ତି ଅର୍ଥ ବିଭାଗ । ବିଭାଗର ମୁଖ୍ୟ ଶାସନ ସଚିବ ସବୁ ବିଭାଗକୁ ଚିଠି ଲେଖି କହିଛନ୍ତି ଯେ, ଆମ ଅନୁମତି ବିନା ପରାମର୍ଶଦାତା ଓ ଉପଦେଷ୍ଟା ନିଯୁକ୍ତି ମନା ।
ଅର୍ଥ ବିଭାଗର ଅନୁମତି ପରେ ଏ ସଂକ୍ରାନ୍ତରେ ଆବଶ୍ୟକ ପଦକ୍ଷେପ ନିଅ
ଅର୍ଥବିଭାଗର ଦ୍ବାରା ଅନୁମୋଦିତ କମିଟିର ଅନୁମୋଦନ ବାଧ୍ୟତାମୂଳକ
ଅନ୍ୟଥା ଏପ୍ରିଲ ୨୦୨୬ ପରେ ବେଆଇନ ନିଯୁକ୍ତିକୁ ମିଳିବନି ପାରିଶ୍ରମିକ
ସରକାରୀ ବ୍ୟବସ୍ଥାରେ ଆଉଟସୋର୍ସିଂ ବ୍ୟବସ୍ଥାର ଉଚ୍ଛେଦ ଲାଗି ପୂର୍ବରୁ ତାଗିଦ କରିଥିଲେ ମୁଖ୍ୟମନ୍ତ୍ରୀ । ଏପରିକି କେତେ ବାହାର ସଂସ୍ଥା ବିଗତ ବର୍ଷରେ କାମ କରୁଛନ୍ତି ତାହାର ହିସାବ ମାଗିଥିଲେ । ତଥାପି ବାବୁଙ୍କ ଆଉଟସୋର୍ସିଂରେ ଲାଗିନଥିଲା ବିରାମ । ପ୍ରଶ୍ନ ଉଠୁଛି,
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି କି ବିଭାଗୀୟ ଅଧିକାରୀ?
ସରକାରୀ ବାବୁଙ୍କୁ ଭରସା କରିପାରୁନାହାନ୍ତି କି ବିଭାଗ?
ଆଉଟସୋର୍ସିଂ ନିଯୁକ୍ତି ପାଲଟିଛି କି ଥଇଥାନ କେନ୍ଦ୍ର?
ତାଗିଦ ପରେ ତାଗିଦ, ଚିଠି ପରେ ଚିଠି । ହେଲେ ଏସବୁକୁ ଫୁ କରି ଉଡାଇ ଦେଇଥିଲେ ବିଭାଗୀୟ ଉଚ୍ଚ ପଦାଧିକାରୀ । ଏବେ ଅର୍ଥ ବିଭାଗର କଟକଣା ଏହି ଧାରାରେ ପରିବର୍ତ୍ତନ ଆଣିବ କି ଯଥା ପୂର୍ବ ତଥା ପରଂ ନୀତିରେ ଚାଲିବ, ତାହା ଉପରେ ନଜର ରହିବ ।