କନକବ୍ୟୁରୋ : ସମ୍ବଲପୁରରେ ଫିଲ୍ମ ଷ୍ଟାଇଲରେ ଜଣେ ବ୍ୟକ୍ତିଙ୍କୁ ଅପହରଣ ଉଦ୍ୟମ । ଘଟଣାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଗତକାଲି ରାତିରେ ଟ୍ରାନ୍ସପୋର୍ଟ ବ୍ୟବସାୟୀ ମନୋଜ ବହିଦାର ତାଙ୍କର ଅଇଁଠାପାଲି ସ୍ଥିତ କାର୍ଯ୍ୟାଳୟରେ ବସିଥିଲେ । ଏହି ସମୟରେ ୩ ଜଣ ପଞ୍ଜାବୀ ଯୁବକ ମାରଣାସ୍ତ୍ର ଧରି ଅଚାନକ ତାଙ୍କର କାର୍ଯ୍ୟାଳୟକୁ ପ୍ରବେଶ କରି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।
କାର୍ଯ୍ୟାଳୟରେ ଥିବା ୨ ଜଣ ମହିଳା କର୍ମଚାରୀ ମନୋଜଙ୍କୁ ବଞ୍ଚେଇବା ପାଇଁ ପ୍ରୟାସ କରିଥିଲେ । କିନ୍ତୁ ଯୁବକ ମାନେ କାହାରି କଥା ନଶୁଣି ମନୋଜକୁ ପ୍ରବଳ ମାଡ଼ ମାରିଥିଲେ । ଏହାପରେ ଅଫିସରୁ ଘୋଷାଡି ଘୋଷାଡି ନେଇ ଯାଉଥିବା ଦୃଶ୍ୟ ସିସିଟିଭି ଫୁଟେଜରୁ ଜଣାପଡୁଛି । କାର୍ଯ୍ୟାଳୟ ବାହାରକୁ ନେଇ ଏକ ଥାର୍ ଗାଡ଼ିରେ ବସାଇ ନେଇଯାଇଛନ୍ତି । ବରେଇପାଲି ନିକଟରେ ମନୋଜ ବହିଦାର ଗାଡ଼ିରୁ ଡ଼େଇଁ ଦୌଡ଼ି ପଳାଇଥିଲେ । ସେପଟେ ଏନେଇ ଅଇଁଠାପାଲି ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। କାହିଁକି ଅଚାନକ୍ ପଞ୍ଜାବୀ ଯୁବକ ମାନେ ମନୋଜଙ୍କୁ ଆକ୍ରମଣ କଲେ ଏବଂ ଗାଡିରେ ନେଇ ପଳାଇଲେ, ତାହା ଜଣାପଡିନାହିଁ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି l