କନକବ୍ୟୁରୋ : ଓଡ଼ିଶାର ଜଣାଶୁଣା ସିନେ  ପ୍ରଯୋଜକ ,ବିତରକ ତଥା ବିଶିଷ୍ଟ ବ୍ୟବସାୟୀ ରବୀନ୍ଦ୍ର ମୋହନ ସାହୁ ଆଉ ନାହାନ୍ତି । ସେ ଆଜି ରାଜଧାନୀର ଏକ ଘରୋଇ ହସ୍ପିଟାଲ‌ରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି ଚିକିତ୍ସାଧୀନ ଥିଲେ ।  ତାଙ୍କର ଧର୍ମପତ୍ନୀ, ୫ ପୁଅ ଓ ଜଣେ ଝିଅ ଅଛନ୍ତି । 
ପ୍ରଯୋଜକ ରବୀନ୍ଦ୍ର ମୋହନ ସାହୁଙ୍କ ପ୍ରଯୋଜିତ ପ୍ରଥମ ଓଡ଼ିଆ ଛବି ଥିଲା ‘ଏଇ ତ ଦୁନିଆଁ ’। 

Advertisment

ଦିଲ୍ଲୀରେ ଚିନ୍ତା ବଢ଼ାଇଲା ପ୍ରଦୂଷଣ: ଘରୁ ରହି କାମ କରିବେ ଅଧା ସରକାରୀ କର୍ମଚାରୀ:

ଶ୍ରୀବଳଦେବଜୀଉ ପ୍ରଡକସନ୍ ବ୍ୟାନରରେ ୧୯୮୭ରେ ମୁକ୍ତିଲାଭ କରିଥିବା ଏହି ସିନେମାର ନିର୍ଦ୍ଦେଶନା ଦାୟିତ୍ବ ବହନ କରିଥିଲେ ମହମ୍ମଦ ମହସୀନ୍। ଏଥିରେ ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ଅଜିତ ଦାସ, ମିହିର ଦାସ,ମହମ୍ମଦ ମହସୀନ୍, ଅନୀତା ଦାସ, ଅପରାଜିତା, ଜୟୀ, ଦେବୁ ବୋଷ ଓ ନରି ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଡାକ୍ତର ସୁବୋଧ ପଟ୍ଟନାୟକ ଏହାର ସଂଳାପ ରଚନା କରିଥିବା ବେଳେ ଚିରସବୁଜ ଅକ୍ଷୟ ମହାନ୍ତି ଥିଲେ ଏହାର ସଂଗୀତ ନିର୍ଦ୍ଦେଶକ। ଏହା ସୁପରହିଟ୍ ହେବା ପରେ ରବୀନ୍ଦ୍ର ମୋହନ ସାହୁ କ୍ରମାଗତ ଭାବେ ଓଡ଼ିଆ ସିନେମା ନିର୍ମାଣରେ ମନୋ‌ନିବେଶ କରିଥିଲେ । 

ଏହାପରେ ରବୀନ୍ଦ୍ର ମୋହନ ସାହୁ ‘ବସ୍ତ୍ରହରଣ, ବୋହୂ ହେବ ଏମିତି, ପାଚେରି ଉଠିଲା ମଝି ଦୁଆରୁ, ନାଗପଞ୍ଚମୀ, ମଣି ନାଗେଶ୍ବରୀ, ଶାଶୁ ହାତକଡ଼ି ଭାଉଜ ବେଡ଼ି, କୁଳନନ୍ଦନ, ରସିକନାଗର ଓ ‘ଆଲୋ ମୋର କଣ୍ଢେଇ’ ଆଦି ଓଡ଼ିଆ ଛବି ଦର୍ଶକଙ୍କୁ ଭେଟି ଦେଇଥିଲେ। ସେ ଜଣେ ଅଭିନେତା, କାହାଣୀକାର ଓ ଗୀତିକାର ମଧ୍ୟ । ଅଶୀ ଦଶକରେ ରବୀନ୍ଦ୍ର ମୋହନ ସାହୁ ଭାରତୀୟ ଜନତା ପାର୍ଟି ବିଜେପି ରେ ଯୋଗ ଦେଇ ଥରେ କେନ୍ଦ୍ରାପଡ଼ା ପୌରପାଳିକାର କାଉନସିଲର୍ ଭାବେ ନିର୍ବାଚିତ ହୋଇଥିଲେ ।

ଏହାଛଡ଼ା ସେ ଥରେ କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ। ଏହା ଅବଶ୍ୟ ଭିନ୍ନ କଥା ଯେ ସେଥିରେ ତାଙ୍କୁ ସଫଳତା ମିଳିନଥିଲା। ଏହାଛଡ଼ା ସେ କେନ୍ଦ୍ରାପଡ଼ା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ସଭାପତି ମଧ୍ୟ ଥିଲେ। ପ୍ରଯୋଜକ ରବୀନ୍ଦ୍ର ମୋହନ ସାହୁଙ୍କ ବିୟୋଗରେ ଓଲିଉଡରେ ଶୋକର ଛାୟା ଖେଳଯାଇଛି। ଠିକ୍ ସେହିପରି କେନ୍ଦ୍ରାପଡ଼ାରେ ବି ଶୋକମୟ ପରିବେଶ ପରିଲକ୍ଷିତ ହୋଇଛି। ଓଡ଼ିଆ ସିନେଜଗତ ପ୍ରତି ତାଙ୍କର ଅବଦାନକୁ ଓଲିଉଡ କେବେ ବି ଭୁଲିପାରିବ ନାହିଁ।