କନକ ବ୍ୟୁରୋ: ଫଳକ ଶିଳାନ୍ୟାସକୁ ନେଇ ବ୍ରହ୍ମଗିରିରେ ହୋଇଛି ଖଣ୍ଡଯୁଦ୍ଧ । ଗାଁ ଦାଣ୍ଡରେ ହୋଇଛି  ବିଜେଡି-ବିଜେପି ସମର୍ଥକଙ୍କ ମଧ୍ୟରେ ହୋଇଛି ରକ୍ତାକ୍ତ ସଂଘର୍ଷ । ଶିଳାନ୍ୟାସ ଫଳକରେ କିଛି ଜନପ୍ରତିନିଧିଙ୍କ ନାଁ ନଥିବାରୁ ଗାଁ ଦାଣ୍ଡରେ ଚେୟାର ଉଡିବା ସହ ଦୁଇ ଦଳର ସମର୍ଥକ ମୁଥ ମରାମରି ହୋଇଛନ୍ତି ।

Advertisment

ବ୍ରହ୍ମଗିରିର ବଡଦିଆଣ୍ଡି ଗାଁରେ ବାଡିଆପିଟା । ଚେୟାର ଉଡିଲା । ପୋଲିସ ଠାରୁ କିଏ ଲାଠି ଛଡାଇ ପିଟିଲା, ତ ପୁଣି କିଏ ଟେକା ପଥର ଫିଙ୍ଗି ରକ୍ତାକ୍ତ କଲା । ଗାଁ ଦାଣ୍ଡରେ ଦେଖିବାକୁ ମିଳିଲା ରକ୍ତାକ୍ତ ସଂଘର୍ଷ । ଯେଉଁଥିରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଗୋଷ୍ଠୀ ସଂଘର୍ଷ ପଛର କାରଣ ସାଜିଛି ଏହି ଫଳକ । ଯେଉଁ ଫଳକର ଶିଳାନ୍ୟାସକୁ ନେଇ ଗାଁ ଦାଣ୍ଡରେ ମୁଣ୍ଡ ଫଟାଫଟି ହୋଇଛନ୍ତି ବିଜେପି-ବିଜେଡି ସମର୍ଥକ । ବାତ୍ୟା ଆଶ୍ରୟସ୍ଥଳ ଶିଳାନ୍ୟାସ ଫଳକରେ କେବଳ ବିଧାୟିକା ଓ ସରପଞ୍ଚଙ୍କ ନାଁ ରହିଥିଲା । ଅନ୍ୟ ଜନପ୍ରତିନିଧିଙ୍କ ନାଁ ନଥିବାରୁ ବିରୋଧ ହେବା ପରେ ଗାଁ ଦାଣ୍ଡ ପାଲଟିଥିଲା ଋଣକ୍ଷେତ୍ର । 

ଉଭୟ ଗୋଷ୍ଠୀ ମଧ୍ୟରେ ଜୋରଦାର ମାରପିଟ୍ ହୋଇଥିବା ବେଳେ ପୋଲିସ କିଛି ସମୟ ପାଇଁ ନିରୁପାୟ ହୋଇ ଯାଇଥିଲା । ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏହି ଘଟଣାକୁ ନେଇ ବ୍ରହ୍ମଗିରିର ପୂର୍ବତନ ବିଧାୟକ କହିଛନ୍ତି, ଶାନ୍ତ ବ୍ରହ୍ମଗିରିରେ ଜାଣିଶୁଣି ଅଶାନ୍ତି ସୃଷ୍ଟି କରାଯାଉଛି । ଗଣତନ୍ତ୍ରକୁ ଚପାଇ ଦେବାକୁ ପୋଲିସ ଚେଷ୍ଟା କରୁଛି ବୋଲି କହିଛନ୍ତି ସଞ୍ଜୟ । ବ୍ରହ୍ମଗିରିରେ ବିକାଶରେ ବାଧା ଦେବାକୁ ଏଭଳି ଅରାଜକତା ଓ ବିଶୃଙ୍ଖଳା ସୃଷ୍ଟି କରାଯାଉଛି । ବ୍ରହ୍ମଗିରିରେ ଫଳକ ରାଜନୀତି ବନ୍ଦ କରନ୍ତୁ ବୋଲି କହି ସଞ୍ଜୟଙ୍କୁ ଟାର୍ଗେଟ କରିଛନ୍ତି ବିଧାୟିକା ଉପାସନା ମହାପାତ୍ର । 

ନିର୍ବାଚନ ସରିଗଲା, ସଞ୍ଜୟ ଫେରିଲେ। ବ୍ରହ୍ମଗିରିରେ ପୁଣିଥରେ ଆରମ୍ଭ ହୋଇଗଲା ବଳ କଷାକଷି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ବ୍ରହ୍ମଗିରିରେ ଏଭଳି ମାହୋଲ ଅଞ୍ଚଳବାସୀଙ୍କ ମନରେ ଭୟ ସୃଷ୍ଟି କରିଛି ।