କନକ ବ୍ୟୁରୋ: ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ପାଇଲେ ହିତାଧିକାରୀ । ଆଜି ୨ ଲକ୍ଷ ୩୦ ହଜାରରୁ ଅଧିକ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ପଠାଇଛନ୍ତି ସରକାର । ଏଥିସହ ୧ କୋଟି ଟପିଛି ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା । ପୂର୍ବରୁ ପ୍ରଥମ କିସ୍ତିର ଟଙ୍କା ୪ଟି ପର୍ଯ୍ୟାୟରେ ୯୮ ଲକ୍ଷ ୩୦ ହଜାରରୁ ଅଧିକ ମହିଳା ପାଇଥିଲେ ।
ଦିନକ ପରେ ଅର୍ଥାତ ମହିଳା ଦିବସରେ ସୁଭଦ୍ରାର ଦ୍ୱିତୀୟ କିସ୍ତି ପାଇବେ କୋଟିଏରୁ ଅଧିକ ମହିଳା । ମାର୍ଚ୍ଚ ୩୧ ରହିଛି ସୁଭଦ୍ରା ଆବେଦନର ଶେଷ ତାରିଖ । ଏହି ସମୟ ଭିତରେ ଆବେଦନ କଲେ ରକ୍ଷା ବନ୍ଧନ ବେଳକୁ ଏକାଥରେ ସୁଭଦ୍ରାର ତିନୋଟି କିସ୍ତି ପାଇବେ ହିତାଧିକାରୀ । ଅନ୍ୟପଟେ ମାର୍ଚ୍ଚ ୩୧ ପରେ ସୁଭଦ୍ରା ଆବେଦନ ବନ୍ଦ ହେବ ଏବଂ ସରକାର ଘରକୁ ଘର ବୁଲି ସୁଭଦ୍ରାରୁ ବଞ୍ଚିତ ହିତାଧିକାରୀଙ୍କ ସର୍ଭେ କରିବେ ।
ପୂର୍ବ ସୂଚନା ଅନୁସାରେ, ପଞ୍ଚମ ପର୍ଯ୍ୟାୟ ପରେ ବି ରାକ୍ଷୀ ପୂର୍ଣ୍ଣିମାରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକା ବେଳେ ୩ଟି କିସ୍ତିର ଟଙ୍କା ଅର୍ଥାତ୍ ୧୫ ହଜାର ଟଙ୍କା । ସୁଭଦ୍ରାରୁ ମହିଳାଙ୍କୁ ନିଜ ସହ ଯୋଡି ହୋଇ ରଖିବାକୁ ଅନ୍ତର୍ଜାତୀୟ ମହିଳା ଦିବସରେ ବଡ଼ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସରକାର । ୮ ତାରିଖ ଯାଏଁ ପଞ୍ଚାୟତ ସ୍ତରରେ ଚାଲିବ କାର୍ଯ୍ୟକ୍ରମ ।