କନକ ବ୍ୟୁରୋ : ‘ସମ୍ବାଦ ସାହିତ୍ୟ ପକ୍ଷ’ର ପଞ୍ଚମ ସନ୍ଧ୍ୟା ହୋଇଥିଲା ଶିଶୁମନସ୍କ । ମନେପଡ଼ିଥିଲା ‘ଜହ୍ନମାମୁ’ ଓ ‘ଛବିଳ ମଧୁ ବର୍ଣ୍ଣବୋଧ’ । ମନେପଡ଼ିଥିଲା ‘ତୁମ ପରି ଛୋଟ ପିଲାଟିଏ, ଗାଁ ଚାହାଳିର ଚାଟ ସିଏ’ ଓ ସେହିଭଳି ପିଲାଦିନର ଅନେକ ଅଭୁଲା ଗୀତ ଓ କବିତା । ‘ଶିଶୁ ସାହିତ୍ୟ’ ପ୍ରସଙ୍ଗରେ ଆଜିର ମଞ୍ଚ ମହାନ ଶିଶୁ ସାହିତ୍ୟିକ ରାମ ପ୍ରସାଦ ମହାନ୍ତିଙ୍କୁ ସମର୍ପିତ କରାଯାଇଥିବା ବେଳେ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଆଶୀର୍ବଚନ ଦେଇଥିଲେ ବରିଷ୍ଠ ଶିଶୁ ସାହିତ୍ୟିକ ମହେଶ୍ବର ମହାନ୍ତି ।
ଆଜିର ମଞ୍ଚରେ 'ଚିତ୍ର ଓ ଶିଶୁ ସାହିତ୍ୟ' ପ୍ରସଙ୍ଗରେ ଜଣାଶୁଣା ଚିତ୍ରଶିଳ୍ପୀ ମୀନକେତନ ପଟ୍ଟନାୟକ ଓ ବିଶିଷ୍ଟ ଲେଖକ ରବି ମାଝୀ ଆଳାପ କରିଥିଲେ । ପିଲାଙ୍କ ପାଇଁ କାମ କଲେ ପିଲାପଣ ରହିବା ଦରକାର ବୋଲି ଏଥିରେ ମତ ପ୍ରକାଶ ପାଇଥିଲା । ସେହିପରି ‘ବୟସ୍କଙ୍କ ପାଇଁ ଲେଖିଥିଲେ ଭଲ ହୋଇଥାନ୍ତା କି ?’ ପ୍ରସଙ୍ଗରେ ଆଲୋଚନାରେ କରିଥିଲେ ବିଶିଷ୍ଟ ଲେଖକ ଶରତ କୁମାର ବିଶ୍ବାଳ, ଲକ୍ଷ୍ମୀକାନ୍ତ ଖୁଣ୍ଟିଆ ଓ ତନୟା ଦାସ ଗୋସ୍ବାମୀ । ଆଲୋଚନାକୁ ସଂଯୋଜନା କରିଥିଲେ ଲେଖକ ପ୍ରକାଶ ଚନ୍ଦ୍ର ଦାଶ । ଶିଶୁମାନେ ଆମ ଦେଶର ଚଳନ୍ତି ସମ୍ପଦ । ଶିଶୁଙ୍କ ଭିତରେ ସଂସାର ଅଛି । ଶିଶୁ ସାହିତ୍ୟ ମୂଳ ସାହିତ୍ୟ, ଏହାକୁ ଲେଖି ଆମେ ଗର୍ବିତ ବୋଲି ଆଲୋଚକମାନେ ମତ ଦେଇଥିଲେ ।
ଶିଶୁ ସାହିତ୍ୟ ସନ୍ଧ୍ୟାରେ କୁନିକୁନି ପିଲାଙ୍କ ଦ୍ବାରା ଶିଶୁଗୀତ 'ତୁମ ପରି ଛୋଟ ପିଲାଟିଏ' ଓ 'ନିଧିବୁଢା' ମଞ୍ଚରେ ପରିବେଷିତ ହୋଇଥିଲା । ଏଥିରେ ରୟାଲ ପବ୍ଲିକ ସ୍କୁଲ ଏବଂ ଲାସ୍ୟକଳା ଏକାଡେମୀର ପିଲାମାନେ ଭାଗ ନେଇଥିଲେ । କୁନି କଣ୍ଠଶିଳ୍ପୀ ବୈଭବ ସେନଙ୍କ ଗୀତ, ବକୁଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସୁଜିତ ମହାପାତ୍ରଙ୍କ ଗଳ୍ପ କଥନ ଏବଂ ଏମ.କେ ଡ୍ୟାନ୍ସ ଷ୍ଟୁଡିଓର କୁନିକୁନି ପିଲାଙ୍କ ଦ୍ବାରା ସମ୍ବଲପୁରୀ ନୃତ୍ୟରେ ଝୁମିଥିଲେ ଦର୍ଶକ ।
ସମସ୍ତ ଅତିଥି ଲେଖକ ଓ କଳାକାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ ‘ସମ୍ବାଦ’ ଓ ‘କନକ ନ୍ୟୁଜ’ର ସମ୍ପାଦକ ତନୟା ପଟ୍ଟନାୟକ । ଶିଶୁ ସାହିତ୍ୟକୁ ନେଇ ପ୍ରଶ୍ନୋତ୍ତର ପେଡ଼ି ଖୋଲିବା ସହ ମଞ୍ଚ ସଂଯୋଜନା କରିଥିଲେ ଆର୍.ଜେ ଅନିଲ । ସମ୍ବାଦ ପରିବାର ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ ବିପାଶା ରାଜ୍ ।
ମଞ୍ଚରେ ଓଡ଼ିଆପଣ, ଖାଦ୍ୟରେ ବି ଓଡ଼ିଆପଣ
ପ୍ରଥମ ସଂସ୍କରଣ ପରି ‘ସମ୍ବାଦ ସାହିତ୍ୟ ପକ୍ଷ’ର ଦ୍ବିତୀୟ ସଂସ୍କରଣରେ ବି ଓଡ଼ିଆ ଖାଦ୍ୟର ମହମହ ମହକ ବାରିଛନ୍ତି ଅତିଥି ଓ ଦର୍ଶକ । ପ୍ରଥମ ଦିବସରେ ବିରି ପୋଡ଼ ପିଠା-ଆଳୁକଷା, ଦ୍ବିତୀୟ ଦିବସରେ କାକରା-ଡାଲମା, ତୃତୀୟ ଦିବସରେ ବରା-ଘୁଗୁନି, ଚତୁର୍ଥ ଦିବସରେ ଚକୁଳି-ଆଳୁକଷା ଏବଂ ଆଜିର ସଞ୍ଜରେ ଦହିବରା-ଆଳୁଦମ୍ ପରଷା ଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/05/29a-2026-02-05-23-31-42.jpg)