କନକ ବ୍ୟୁରୋ : ବାର୍ଡ ଫ୍ଲୁ ବ୍ୟାପିଥିବା ଅଂଚଳରେ ଜ୍ୱର ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ତେଣୁ କଂଟ୍ରୋଲ ରୁମ୍ ଖୋଲାଯାଇ ଏହି ସଂକ୍ରମଣକୁ ରୋକିବାକୁ ପଦକ୍ଷେପ ନିଆଯାଉଛି। ପିପିଲି ବାର୍ଡ ଫ୍ଲୁର ହଟସ୍ପଟ ରହିଛି। ତେଣୁ ଏଠାରେ କଂଟ୍ରୋଲ ରୁମ ଖୋଲାଯାଇଛି। ଅନ୍ୟପଟେ ସଂକ୍ରମିତ କୁକୁଡ଼ାକୁ ନ ବିକି ତୁରନ୍ତ ପୋତି ଦେବାକୁ ଫାର୍ମ ମାଲିକଙ୍କୁ ଅନୁରୋଧ କରିଛି ପ୍ରଶାସନ।
ବାର୍ଡ ଫ୍ଲୁ ରୋକିବାକୁ ଚାଲିଛି ଜୋରଦାର ଉଦ୍ୟମ। ପିପିଲି ଓ ସତ୍ୟବାଦୀ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ସଂକ୍ରମିତ ଅଞ୍ଚଳ ଗୁଡ଼ିକରେ କୁକୁଡ଼ା ମରା ଅଭିଯାନକୁ ବ୍ୟାପକ କରାଯାଇଛି । ୪ ଦିନରେ ମଧ୍ୟରେ ୨୮ ହଜାରରୁ ଅଧିକ ବ୍ରଏଲର ମରାଯାଇଥିବା ବେଳେ ଆଜି ମଧ୍ୟ କୁକୁଡ଼ା ମରାଯିବ ବୋଲି ସୂଚନା ଦିଆଯାଇଛି।
ସେପଟେ ସଂକ୍ରମଣ ଚିହ୍ନଟ ହୋଇଥିବା ଅଞ୍ଚଳରେ ଜ୍ୱର ବ୍ୟାପୁଥିବାରୁ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଛି। ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ସହ ରିପୋର୍ଟ ଦେବାକୁ ଆଶାକର୍ମୀଙ୍କୁ ନିୟୋଜିତ କରାଯାଇଛି। ପିପିଲିର ୪୦ଟି ଗାଁରେ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟଯାଞ୍ଚ କରିବେ ୨୮ ଜଣ ଆଶାକର୍ମୀ। ଠଣ୍ଡା କିମ୍ବା ଜ୍ୱର ଭଳି ଲକ୍ଷଣ ଦେଖାଦେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ନମୁନା ସଂଗ୍ରହ କରି ରିପୋର୍ଟ ଦେବେ। ଏଥିପାଇଁ ଏକ କଂଟ୍ରୋଲ ରୁମ ଖୋଲାଯାଇଛି। ଜଣେ ବ୍ୟକ୍ତିଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଭୋପାଳକୁ ପଠାଯାଇଛି।
ଅନ୍ୟପଟେ ସଂକ୍ରମିତ କୁକୁଡ଼ାକୁ ନ ବିକି ତୁରନ୍ତ ପୋତି ଦେବାକୁ ଫାର୍ମ ମାଲିକଙ୍କୁ ଅନୁରୋଧ କରିଛି ପ୍ରଶାସନ। କୁକୁଡ଼ା ମରାଯାଉଥିବା ଫାର୍ମର ମାଲିକଙ୍କୁ ଏଥିପାଇଁ ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ଆଶ୍ୱସ୍ତ କରାଯାଇଛି।