କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ପଡିଆ ବ୍ଲକରେ ଏବେ ଲୋକେ ଭୟଭୀତ । ଶତାଧିକ ଲୋକଙ୍କୁ ଜ୍ୱର ସହ ଗୋଡ ହାତ ଫୁଲି ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଏକ ମାସରୁ ଅଧିକ ସମୟ ଧରି ଏହି ରୋଗ ନିୟନ୍ତ୍ରଣକୁ ଆସୁନଥିବାରୁ ଡାକ୍ତରୀ ଦଳ ଗ୍ରାଉଣ୍ଡ ଜିରୋରେ ପହଁଚି ଚିକିତ୍ସା ସହ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଛି । ବଡ କଥା ହେଲା, ଔଷଧ ଖାଇଲା ପରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଉଛି । କେଉଁ ରୋଗ ଓ ଏହା ପଛର କାରଣ ଜାଣିବା ପାଇଁ ନମୂନା ସଂଗ୍ରହ କରାଯାଇଛି ।
ଏକ ମାସ ଧରି ପଡିଆ ବ୍ଲକ ସଦର ମହକୁମା ସ୍ଥିତ ଖ୍ରୀଷ୍ଟିଆନ ସାହିରେ ଶତାଧିକ ଲୋକ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ପ୍ରଥମେ ଗୋଡ ହାତ ଫୁଲିବା ସହ ଜ୍ୱର ହେଉଛି । ପରେ ହାତର ଅଙ୍ଗୁଳି, ଗୋଡ ଓ ହାତ ସହ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଲାଗି ରହୁଛି । ଦେଖୁ ଦେଖୁ ରୋଗୀ ଦୁର୍ବଳ ହବା ସହ ଓଜନ ହ୍ରାସ ପାଇ ଶଯ୍ୟାଶାୟୀ ହୋଇ ପଡୁଛନ୍ତି । ପୁରୁଷ, ମହିଳା, ବୟସ୍କଙ୍କଠାରୁ ଆରମ୍ଭ କରି କୁନି କୁନି ପିଲା ମାନେ ମଧ୍ୟ ଏହି ରୋଗରେ ପୀଡିତ ହୋଇ କଲବଲ ହୋଉ ଥିବା ଦେଖିବାକୁ ମିଳିଛି । ପଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ନିରନ୍ତର ପରୀକ୍ଷା ନୀରିକ୍ଷା ସହ ଔଷଧ ଯୋଗାଇ ଦିଆଯାଉ ଥିଲେ ହେଁ ଔଷଧ ଖାଇ ଅନେକ ରୋଗୀ ପାର୍ଶ୍ୱପ୍ରତିକ୍ରିୟାର ଶିକାର ହେଉଛନ୍ତି । ଔଷଧ ଖାଇବା ପରେ ଦେହ ହାତ କୁଣ୍ଡାଇ ହେବା ସହ ମୁହଁ କଳା ପଡ଼ିଯାଉଛି ।
ଖ୍ରୀଷ୍ଟିଆନ ସାହିରେ ବ୍ୟାପି ଥିବା ରୋଗ ନିୟନ୍ତ୍ରଣକୁ ଆସୁ ନଥିବାରୁ ମାଲାକନଗିରି ଏଡିଏମଓଙ୍କ ନେତୃତ୍ୱରେ ୪ଟି ସ୍ୱତନ୍ତ୍ର ଟିମ ପଡିଆ ଅଂଚଳକୁ ଯାଇ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର ସ୍ଥାପନ କରି ଚିକିତ୍ସା କରିଛନ୍ତି । ଗାଁ ଲୋକଙ୍କ ପରୀକ୍ଷା ନୀରିକ୍ଷା ସହ ରୋଗୀଙ୍କ ରକ୍ତ ନମୂନା ଓ ପାନୀୟ ଜଳ ସଂଗ୍ରହ କରାଯାଇଛି । ତେବେ ବିଶେଷଜ୍ଞ ଡାକ୍ତରମାନେ ମ୍ୟାଲେରିଆ, ଟାଇଫଏଡ ଓ ସକ୍ରବଟାଇଫ୍ସ ଭଳି ରୋଗ ବ୍ୟାପୁଥିବା ଆଶଙ୍କା କରୁଥିବା ବେଳେ ରକ୍ତ ଓ ପିଇବା ପାଣି ରିପୋର୍ଟ ଆସିବା ପରେ ହିଁ ସ୍ଥିତି ସ୍ପଷ୍ଟ ହେବ ବୋଲି ଜଣାପଡିଛି ।
ତେବେ ପଡିଆ ଛତିଶଗଡ ସହ ଲାଗିଥିବାରୁ ଗତ ଏକ ମାସ ଧରି ଗାଁକୁ ଯିବା ଆସିବା କରୁଥିବା ଦାଦନ ଶ୍ରମିକଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖା ଯାଇଛି । ଏହି ସବୁ ଅଂଚଳରେ ପୂର୍ବରୁ ଅନେକ ଥର ଅଜଣା ରୋଗ ବ୍ୟାପିଥିବାରୁ ଏହାକୁ ଅତି ଗୁରୁତର ସହ ଗ୍ରହଣ କରିଛି ସ୍ୱାସ୍ଥ୍ୟ ବିଭାଗ ।