କନକ ବ୍ୟୁରୋ : ପ୍ରବଳ ଶୀତଲହରୀ ସହ ଘରେ ଘରେ ଏବେ ଥଣ୍ଡା, ଜ୍ବର ଓ କାଶ । ଯଦିଓ ଏହାର କୌଣସି ଜଟିଳ ଲକ୍ଷଣ ନାହିଁ ତେବେ HMPV ଭୂତାଣୁ ଯୋଗୁଁ ଚିନ୍ତା ବଢୁଛି । ଭୁବନେଶ୍ବର କ୍ୟାପିଟାଲ ହସପିଟାଲକୁ ଦିନକୁ ଦେଢଶହରୁ ୨ ଶହ ରୋଗୀ ଆସୁଛନ୍ତି ।
ସନ୍ଧ୍ୟା ହେଲେ ମାଡିଆସୁଛି ଥଣ୍ଡା । ଆଉ ଶୀତଲହରୀରେ ଏବେ ଚାରିଆଡେ ଘରେ ଘରେ ଡରାଇଲାଣି ଥଣ୍ଡା, ଜ୍ବର ଓ କାଶ । ଯାହା ଘରେ ଦେଖିବ ଥଣ୍ଡା ଜ୍ବରରେ ପରିବାରର ଜଣେ ସଦସ୍ୟ ଆକ୍ରାନ୍ତ ହୋଇଛନ୍ତି । ଦେଶରେ HMPV ଭୂତାଣୁକୁ ନେଇ ଭୟ ବଢିଥିବାବେଳେ ଥଣ୍ଡା , କାଶ ଓ ଜ୍ବର ଲୋକଙ୍କ ଚିନ୍ତା ବଢାଇଦେଇଛି । ଅତ୍ୟଧିକ ଥଣ୍ଡା ହେଲେ ନିମୋନିଆ ସମ୍ଭାବନା ବଢିଯାଇଥାଏ ତେବେ ଥଣ୍ଡା, କାଶ ଓ ଜ୍ବର ଯୋଗୁଁ ବ୍ୟସ୍ତବିବ୍ରତ ନ ହୋଇ କିଛି ପ୍ରତିଷେଧମୂଳକ ପଦକ୍ଷେପ ନେବାକୁ
ପରାମର୍ଶ ଦେଇଛନ୍ତି ଡାକ୍ତର ।
ଥଣ୍ଡାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ
ଥଣ୍ଡା ପାଣି ପିଅନ୍ତୁ ନାହିଁ
ଶୀତବସ୍ତ୍ର ପିନ୍ଧି ପଦାକୁ ବାହାରନ୍ତୁ, ମାସ୍କ ପିନ୍ଧନ୍ତୁ
ଚୀନରେ HMPV ଘାତକ ସାଜିଥିବାବେଳେ ଭାରତରେ ବି ମାମଲା ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୧୪ ମାମଲା ଚିହ୍ନଟ ହୋଇସାରିଲେଣି । ଗୁଜରାଟ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ଭଳି ରାଜ୍ୟ ମାର୍ଗଦର୍ଶିକା ବି ଜାରି କରିସାରିଲେଣି । ଓଡିଶା ସରକାର ବି ଖୁବଶୀଘ୍ର ଗାଇଡଲାଇନ ଆଣିବେ ବୋଲି କହିସାରିଛନ୍ତି ।
ତେବେ ଏହା ଏକ ସାମାନ୍ୟ ଜ୍ବର ଓ ଏଥିରେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଡାକ୍ତର କହିଛନ୍ତି । ଶିଶୁଙ୍କ ଠାରେ ଏହି HMPV ଲକ୍ଷଣ ଅଧିକ ରହିଥାଏ । ତେବେ ବର୍ତ୍ତମାନସୁଦ୍ଧା HMPV ପାଇଁ କୌଣସି ଔଷଧ କିମ୍ବା ଟୀକା ବାହାରିନାହିଁ । ତେଣୁ ସତର୍କତା ହିଁ ଏଥିରୁ ରକ୍ଷା ପାଇବାର ଉପାୟ ବୋଲି କହିଛନ୍ତି ଡାକ୍ତର ।