କନକ ବ୍ୟୁରୋ: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଜଗଜ୍ଜନନୀ ମା’ ଦୁର୍ଗାଙ୍କ ଷୋଡ଼ଶ ପୂଜା । ଏଥିପାଇଁ ଚଳଚଞ୍ଚଳ ହେଲାଣି ରାଜ୍ୟର ସବୁ ଶକ୍ତିପୀଠ । ଚଣ୍ଡୀପାଠ ଓ ମନ୍ତ୍ର ଉଚ୍ଚାରଣରେ କମ୍ପିବ ଶକ୍ତିପୀଠ । କଟକର ଗଡ଼ଚଣ୍ଡୀ, କଟକ ଚଣ୍ଡୀ, ଝଙ୍କଡ଼ର ମା’ ଶାରଳା, ଯାଜପୁରର ବିରଜା, ବାଙ୍କୀର ଚର୍କିକା ଭଳି ସବୁ ଶକ୍ତି ପୀଠରେ ମା’ଙ୍କର ଭିନ୍ନ ଭିନ୍ନ ବେଶ ହେବ ।
କାଲିଠୁ ଝଟକିବେ ଜଗଜ୍ଜନନୀ ମାଆ ଦୁର୍ଗା । ଚଳଚଞ୍ଚଳ ହେବ ରାଜ୍ୟର ସମସ୍ତ ଶକ୍ତିପୀଠ। ମୂଳାଷ୍ଟମୀଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ୧୬ ଦିନ ବ୍ୟାପୀ ଶକ୍ତିପୀଠରେ ଚାଲିବ ଷୋଡ଼ଶ ଉପଚାର। ମଙ୍ଗଳ ଆଳତୀ, ଚଣ୍ଡୀପାଠ, ସୂର୍ଯ୍ୟପୂଜା, ଅବକାଶ ଆଦି ବିଭିନ୍ନ ରୀତିନୀତି କରାଯିବ। ମନ୍ତ୍ର ଉଚ୍ଚାରଣ ଓ ପୂଜାର୍ଚ୍ଚନାରେ କମ୍ପିବ ଶକ୍ତିପୀଠ। ଏଥିପାଇଁ କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀ ଓ ଗଡ଼ଚଣ୍ଡୀଙ୍କ ପୀଠକୁ ସଜ୍ଜିତ କରାଯାଉଛି। ମନ୍ଦିରରେ ଶ୍ରଦ୍ଧାଳୁ ମାନେ କିଭଳି ସୁରୁଖୁରୁରେ ମାଆଙ୍କୁ ଦର୍ଶନ କରିପାରିବେ, ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ ଚର୍ଚ୍ଚିକାଙ୍କ ପୀଠରେ ହୋଇଛି ବ୍ୟାପକ ପ୍ରସ୍ତୁତି। ଭୋର ୪ଟା ସମୟରେ ମନ୍ଦିରର ସେବାୟତ ମାନେ ମହାନଦୀରୁ ୧୦୮ ଗରାରେ ପାଣି ଆଣି ପ୍ରଥମେ ମାଙ୍କ ନିକଟରେ ମାଜଣା କରିଥାନ୍ତି । ସମସ୍ତ ନୀତିକାନ୍ତି ପରେ ସକାଳ ଧୂପରେ ମାଆଙ୍କ ନିକଟରେ ମାଣ୍ଡୁକ ଭୋଗ ଲାଗି କରାଯିବାର ବିଧି ରହିଛି ।
ଜଗତସିଂହପୁରର ମା’ ଶାରଳାଙ୍କ ପୀଠ ବି ଚଳଚଞ୍ଚଳ । ଏଠାରେ ଷଷ୍ଠୀଠାରୁ ମହିଷାମର୍ଦ୍ଦିନୀ ବେଶ ତଥା ସୁନାବେଶ ଆୟୋଜିତ ହେବ । ସେହିପରି କାଲିଠୁ ଯାଜପୁରର ବିରଜାଙ୍କ ପୀଠରେ ହେବ ଷୋଡ଼ଶ ଉପଚାର ପୂଜା । ମାଆ ବିରଜା ମହିଷାସୁରକୁ ବଧ କରିବା ପାଇଁ ବ୍ରହ୍ମାକୁଣ୍ଡରୁ ଜାତ ହୋଇଥିବାରୁ ଏହି ପରମ୍ପରାରେ ପ୍ରତିବର୍ଷ ପୂଜାବିଧି ହୋଇଥାଏ । ମାଆଙ୍କ ପୀଠରେ ନବ ଦିନାତ୍ମକ ରଥଯାତ୍ରା ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି । ବ୍ରହ୍ମପୁରର ମା’ ବୁଢୀ ଠାକୁରାଣୀ, ସମ୍ବଲପୁରର ସମଲେଶ୍ବରୀ, କଳାହାଣ୍ଡିର ମାଣିକେଶ୍ବରୀ, ପୁରୀର କାକୁଡ଼ିଖାଇଙ୍କ ପୀଠରେ ମଧ୍ୟ ସ୍ବତନ୍ତ୍ର ରୀତିନୀତି କରାଯିବ ।