କନକ ବ୍ୟୁରୋ : ରାଜ୍ୟରେ ଗଣେଶ ପୂଜାରୁ ଆରମ୍ଭ ହୋଇଯାଇଛି ପାର୍ବଣ । ପୂଜା ମାହୋଲରେ ଆଇନ ଶୃଙ୍ଖଳା ରକ୍ଷା କରିବା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ । ବିଶେଷ କରି ପୂଜା କମିଟିଗୁଡ଼ିକ ମଧ୍ୟରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାର ଆହ୍ୱାନ ରହିଛି । ମଣ୍ଡପ ବୁଲିବାକୁ ଆସୁଥିବା ଲୋକଙ୍କୁ ସୁଖଦ ଅନୁଭୂତି ଦେବା  ପାଇଁ ପୁଲିସ ସ୍ୱତନ୍ତ୍ର ରଣନୀତି କରିଛି । ଗଣେଶ ପୂଜା ଭସାଣିରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ । ରବିବାର ରାତିରେ ପୂର୍ବ ଶତ୍ରୁତାକୁ ନେଇ ସଂଘବଦ୍ଧ ଆକ୍ରମଣ ହୋଇଛି । ଖଣ୍ଡଗିରି ଥାନା ପାତ୍ରପଡ଼ା ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି । ପୂର୍ବଶତ୍ରୁତାରୁ ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରଥମେ କଥା କଟାକଟି ପରେ ମାରପିଟ ହୋଇଛି । ଉଭୟ ଗୋଷ୍ଠୀର ଲୋକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିବାବେଳେ ଆହତଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିଭଳି ୟୁନିଟ-୯ ଅଞ୍ଚଳରେ ଭସାଣି ସମୟରେ ଦୁଇଗୋଷ୍ଠୀ ମୁହାଁମୁହିଁ ହେବା ଫଳରେ ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା । 

Advertisment

କେବଳ ରାଜଧାନୀ କାହିଁକି ନୟାଗଡ଼ ଭାପୁରରେ ଗଣେଶ ଭସାଣୀ ଉତ୍ସବରେ କରଡ଼ାପଲ୍ଲୀ ଓ ପାଥପୁର ଗାଁର ଯୁବକଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । କେଉଁ ଠାକୁର ଆଗରେ ଯିବେ ତା’କୁ ନେଇ ଟଣାଓଟରା ହୋଇଥିଲା ପରେ ଘଟଣା ଏଭଳି ଉଗ୍ରରୂପ ନେଇଥିଲା ଯେ, ହରିହର ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ପାର୍ବଣ ପୂର୍ବରୁ ଭୁବନେଶ୍ୱରରେ ନାକାବନ୍ଦୀ ଓ ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବ ବୋଲି କହିଛନ୍ତି ପୁଲିସ କମିସନର । ରାଜଧାନୀ ବାହାରୁ ଅସ୍ଥିରତା ସୃଷ୍ଟି ପାଇଁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯିବ । ଉପଦ୍ରବକାରୀ ଓ ଲୁଟେରାଙ୍କ ଉପରେ ନଜର ରଖିବେ ସ୍ବତନ୍ତ୍ର ଟିମ୍‌ । ମହିଳା ପୁଲିସ ମୁତୟନ ସହ ମଣ୍ଡପଗୁଡ଼ିକୁ ସିସିଟିଭି ନଜରରେ ରଖାଯିବ । ଗଣେଶ ପୂଜାରୁ ଆରମ୍ଭ ହୋଇଗଲାଣି ହିଂସା । ଆଗକୁ ଦଶହରା ଥିବାରୁ ଆଇନ ଶୃଙ୍ଖଳା ରକ୍ଷା କମିସନରେଟ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ।