କନକ ବ୍ୟୁରୋ :ରାତି ପାହିଲେ ରଙ୍ଗର ପର୍ବ ହୋଲି। ପରସ୍ପରକୁ ରଙ୍ଗ ବୋଳି ଶୁଭେଚ୍ଛା ଜଣାଇବାର ଏ ହେଉଛି ଦିନ। ଭଳିକି ଭଳି ରଙ୍ଗ, ଅବିର, ପିଚକାରୀରେ ଭରି ଗଲାଣି ବଜାର। ତେବେ ବଜାରରେ ମିଳୁଥିବା ରଙ୍ଗ କେତେ ସୁରକ୍ଷିତ? ସୁରକ୍ଷିତ ହୋଲି ପାଇଁ ପ୍ରାକୃତିକ ରଙ୍ଗର ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର । ଇଏ ଏମିତି ଏକ ପର୍ବ, ଯାହା ମାନ, ଅଭିମାନ, ପର ଆପଣା ସମସ୍ତକୁ ଭାଇଚରା ବନ୍ଧନରେ ବାନ୍ଧି ଥାଏ। ତେଣୁ ଗାଁ, ସହର, ପୁରପଲ୍ଲୀ, ସବୁଠାରେ ଏହି ଗଣପର୍ବକୁ ପାଳିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି। ସହରର ଗଳିକନ୍ଦିରେ ଖୋଲିଛି ରଙ୍ଗର ପସରା। ଭଳିକି ଭଳି ଅବିର, ପିଚକାରି, ମାସ୍କ କିଣିବାକୁ ନାହିଁ ନଥିବା ଆଗ୍ରହ ଦେଖିବାକୁ ମିଳୁଛି। ୩୦ ଟଙ୍କାରୁ ଆରମ୍ଭ କରି ୨୦୦ ଟଙ୍କା ପର୍ଯ୍ୟନ୍ତ ରଙ୍ଗ ମିଳୁଛି। ତେବେ ରଙ୍ଗ ଖେଳିବା ବେଳେ ସତର୍କତା ଜରୁରୀ। ସୁରକ୍ଷା ଓ ନିୟମ ଭିତରେ ହୋଲି ପାଳନ କରିବାକୁ କମିସନରେଟ୍ ପୁଲିସ ପରାମର୍ଶ ଦେଇଛି। ନିଶାଶକ୍ତ ଅବସ୍ଥାରେ ନଦୀ, ପୋଖରୀକୁ ନଯିବାକୁ କୁହାଯାଇଛି।
କେମିକାଲ ନୁହେଁ, ଏଥର ହର୍ବାଲ ହୋଲି। ଏପରି କିଛି ନିଷ୍ପତ୍ତି ନେଇଛନ୍ତି ରାଜଧାନୀର ପ୍ରିୟଦର୍ଶିନୀ ଦାସ। ବିଭିନ୍ନ ପ୍ରାକୃତିକ ସାମଗ୍ରୀରୁ ପ୍ରସ୍ତୁତ କରିଛନ୍ତି ହର୍ବାଲ ଅବିର। ଯାହାକି ସମ୍ପୂର୍ଣ୍ଣ କେମିକାଲ ଫ୍ରି ଏବଂ ଶରୀର ପ୍ରତି ମଧ୍ୟ କ୍ଷତିକାରକ ନୁହେଁ। ୫ ବର୍ଷ ହେବ ଏଭଳି ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରୁଛନ୍ତି। ଆଉ ଏହି ରଙ୍ଗରେ ହିଁ ପ୍ରତିବର୍ଷ ହୋଲି ଖେଳୁଛନ୍ତି। ତେବେ ଏହି ରଙ୍ଗର କୌଣସି ପାର୍ଶ୍ବପ୍ରତିକ୍ରିୟା ନଥିବା କହିଛନ୍ତି। ସେପଟେ ରଙ୍ଗ ଖେଳିବା ପୂର୍ବରୁ ନିର୍ଦ୍ଦିଷ୍ଟ ପ୍ରସ୍ତୁତି ନଥିଲେ ଫିକା ହୋଇପାରେ ହୋଲି ପର୍ବ। ବିଶେଷକରି କେମିକାଲଯୁକ୍ତ ରଙ୍ଗରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର। କେମିକାଲ ରଙ୍ଗ ଠାରୁ ଚୁଟି, ଆଖି, ମୁହଁ, ପ୍ରତି ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।
Follow Us