କନକ ବ୍ୟୁରୋ : ବର୍ଷା ଯୋଗୁଁ ସାରା ରାଜ୍ୟରେ ଏବେ ଧାନ ରୁଆ କାମ ଚାଲିଛି । ଆଉ ଏହି ସମୟରେ ସାର ଅଭାବ ଚାଷୀଙ୍କୁ ନାକେଦମ କଲାଣି । ଉତ୍ତରରୁ ଦକ୍ଷିଣ ଚାରିଆଡେ ୟୁରିଆର କଳାବଜାରୀ ଦେଖାଦେଇଛି । ଲ୍ୟାମ୍ପସ ଓ ସମବାୟ ସଂସ୍ଥା ଆଗରେ ଧାରଣା ଦେଲେ ବି ଉତ୍ତର ମିଳୁନି କେବେ ମିଳିବ ସାର । ମାଲକାନଗିରି ମାଥିଲି ଲ୍ୟାମ୍ପସ ସମ୍ମୁଖରେ ସାର ପାଇଁ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ଚାଷୀ । ଫଳରେ ମାଲକାନଗିରି-ଜୟପୁର ମୁଖ୍ୟ ରାଜପଥରେ ଯାନବାହନ ଚଳାଚଳ ଠପ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାରେ ବି ଦେଖାଦେଇଛି ୟୁରିଆ ସାରର ଅଭାବ । କଳାବଜାରୀ ଆରମ୍ଭ ହୋଇଯାଇଛି । ଚାଷୀ ଅଧିକ ଟଙ୍କାରେ ଚାଷୀ ସାର କିଣିବାକୁ ବାଧ୍ୟ ହେଉଛନ୍ତି ।
ଚଢ଼ା ଦରରେ ବିକ୍ରି ହେଉଛି ୟୁରିଆ
୧୦ ବସ୍ତା ସ୍ଥାନରେ ମିଳୁଛି ଏକ ବସ୍ତା
ସରକାରଙ୍କ ସବସିଡି ପରେ ୟୁରିଆ ୨୬୬ ଟଙ୍କା ୫୦ ପଇସା ଏବଂ ଡିଏପି ୧୩୫୦ ଟଙ୍କା ରହିଛି । କିନ୍ତୁ ବଜାରରେ ୟୁରିଆ ୫୦୦ ରୁ ୬୦୦ ଟଙ୍କା ଏବଂ ଡିଏପି ୧୮୦୦ ଟଙ୍କାରେ ବିକ୍ରି କରାଯାଉଛି । ଚାଷୀମାନେ ଯେଉଁଠି ଆନ୍ଦୋଳନ କରୁଛନ୍ତି ସେଇଠି କିଛି କିଛି ମାତ୍ରାରେ ସାର ଦିଆଯାଉଛି । କଳାବଜାରୀ କରାଯାଇ ଚାଷୀଙ୍କ ଠାରୁ ଭୟଙ୍କର ମାତ୍ରାରେ ଲୁଟ କରାଯାଉଛି । ଏହାର ପ୍ରତିବାଦରେ ଆଜି ବରଗଡ଼ରେ ଜୟ କିଷାନ ଆନ୍ଦୋଳନର ଏକ ପ୍ରତିନିଧିମଣ୍ଡଳୀ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି । ସମ୍ବଲପୁରରେ ବି ସେହି ଏକା ଅବସ୍ଥା । ସମ୍ବଲପୁରରେ ୪ ହଜାର ଏକରକୁ ମାତ୍ର ୧୫୦୦ ପ୍ୟାକେଟ ୟୁରିଆ ଅଛି । ଚାଷୀଙ୍କୁ ମାତ୍ର ୨ ପ୍ୟାକେଟ ୟୁରିଆ ଦିଆଯାଉଥିବାରୁ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ସାର ନ ମିଳିବାରୁ ଚାଷୀ ବାଧ୍ୟ ହୋଇ ଚାଷ କାମ ଛାଡ଼ି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଫଳରେ ବିଲରେ ଚାଷ ଉଜୁଡ଼ିଯିବାକୁ ବସିଲାଣି । ଅଧିକାଂଶ ପ୍ୟାକ୍ସରେ ସାର ନାହିଁ । ୧୦ ବସ୍ତା ମାଗିଲେ ଏକ ବସ୍ତା ମିଳୁଛି । ଏଭଳି ସ୍ଥଳେ ସାର ମାଗି ମାଗି ହାଲିଆ ହେଲେଣି ଚାଷୀ ।