କନକ ବ୍ୟୁରୋ: ରାଜ୍ୟରେ ସାର ସଙ୍କଟ ନାହିଁ ବୋଲି ମନ୍ତ୍ରୀ କହୁଥିବାବେଳେ ସତକୁ ପଦାରେ ପକାଇଛି କୃଷି ମନ୍ତ୍ରୀଙ୍କୁ ନିଜ ଦଳର ବିଧାୟକ ଲେଖିଥିବା ଚିଠି । ଏହାପରେ ଯାଜପୁରର ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଛି କନକ ନ୍ୟୁଜ । ସାର ଅଭାବକୁ ସ୍ବୀକାର କରିଛନ୍ତି ଚାଷୀ ।
ସମବାୟ ମନ୍ତ୍ରୀ କହୁଛନ୍ତି ରାଜ୍ୟରେ ସାର ସଙ୍କଟ ନାହିଁ । ହେଲେ ମନ୍ତ୍ରୀଙ୍କ ନିଜ ଜିଲ୍ଲା ଯାଜପୁରରେ ନିଜ ଦଳର ବିଧାୟକ କୃଷି ମନ୍ତ୍ରୀଙ୍କୁ ଲେଖିଥିବା ଚିଠି ସାର ଅଭାବର ସତକୁ ସାମ୍ନାକୁ ଆଣିଛି । ଏହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ଗ୍ରାଉଣ୍ଡ ଜିରୋର ପହଞ୍ଚିଛି କନକ ନ୍ୟୁଜ ଟିମ । ଧର୍ମଶାଳା ବ୍ଲକ ଗଙ୍ଗାଧରପୁର ପଞ୍ଚାୟତର କିଛି ଚାଷୀଙ୍କୁ ଭେଟିଥିଲା କନକ ନ୍ୟୁଜ ଟିମ । ଚାଷୀମାନେ ସାରର ଅଭାବକୁ ସ୍ବୀକାର କରିଛନ୍ତି । ଧର୍ମଶାଳା ବ୍ଲକର ଚୋରମୁହାଁ ଓ ଅଭୟପୁର ସେବା ସମବାୟ ସମିତିରେ ଚାଷୀ ମାନଙ୍କୁ ସାର ବଣ୍ଟନ କରାଯାଇଛି । ମାତ୍ର ଅନେକ ଅସାଧୁ ବ୍ୟକ୍ତି ନିଜର ଆଧାର କାର୍ଡ ଦେଇ ଚାଷୀ ପରିଚୟରେ ସାର ନେଇଯିବା ଫଳରେ ପ୍ରକୃତ ଚାଷୀମାନଙ୍କୁ ହତାଶ ହେବାକୁ ପଡିଛି ।
ବଡ଼ଚଣା ବ୍ଲକ୍ ରାଧାଦେଇପୁର ଠାକୁର ପାଟଣାଠାରେ ରାଧାଦେଇପୁର ସେବା ସମବାୟ ସମିତିର ଘଟଣା । ଚାଷୀ ସାର ନେଉଛନ୍ତି । କିନ୍ତୁ ଦୁଇବସ୍ତା ସାର ଦିଆଯାଉଥିବାରୁ ଚାଷୀ ହତାଶ ହୋଇଛନ୍ତି । ସରକାରୀ ଧାର୍ଯ୍ୟ ଦରଠାରୁ ଅଧିକ ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି । ରାଧାଦେଇପୁର ସମବାୟ ସମିତି ସଂପାଦକ ଏହି ଅଭିଯୋଗକୁ ଅସ୍ବୀକାର କରିଛନ୍ତି । ସେହିପରି କିଛି ସୋସାଇଟିରେ ମଧ୍ୟ ତାଲା ଝୁଲୁ ଥିବା ଦେଖିବାକୁ ମିଳିଛି । ପ୍ରଶ୍ନ ଉଠୁଛି ଆଧାର କାର୍ଡ ଦେଇ ସାର ନେଇଥିବା ବ୍ୟକ୍ତି ପ୍ରକୃତ ଚାଷୀ କି ଅଣଚାଷୀ ?