କନକ ବ୍ୟୁରୋ : ତୁଟୁନି ସାର ସମସ୍ୟା । ସାର ପାଇଁ ସବୁଠି ହୋହଲ୍ଲା । ଗଞ୍ଜାମ ଧରାକୋଟ ବ୍ଳକ ରୂଗୁମୁ ସୋସାଇଟି ସମ୍ମୁଖରେ ଚାଷୀଙ୍କ ଭିଡ଼ । ୪୫୦ ବସ୍ତା ସାର ସୋସାଇଟିକୁ ଆସିଥିବା ବେଳେ ଅଛନ୍ତି ଦୁଇଟି ପଞ୍ଚାୟତର ଶହ ଶହ ଲୋକ । ଉତ୍ତେଜନାମୂଳକ ସ୍ଥିତି ଉପୁଜିବାରୁ ଘଟଣା ସ୍ଥଳରେ ପୋଲିସ ଉପସ୍ଥିତିରେ ସାର ବଣ୍ଟନ କରାଯାଇଛି । ଯେତିକି ସାର ଆସିଛି ତା’ ଠାରୁ ଅଧିକ ଲୋକ ସାର ପାଇଁ ଅପେକ୍ଷା କରିଛନ୍ତି । ସେଥିପାଇଁ ଘଟଣାସ୍ଥଳରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି ।
ଦୂର ହେଉନାହିଁ ସାର ସଙ୍କଟ । ସବୁଠି ମାତିଛନ୍ତି କଳାବଜାରୀ, ଚାଷୀ ହନ୍ତସନ୍ତ । ଖରିଫ ଧାନ ଚାଷ ଗୁରୁତର ଭାବେ ପ୍ରଭାବିତ ହେଲାଣି । ଶୋଷିତ ହେଉଛନ୍ତି ଚାଷୀ, ଖଳ ବେପାରୀ ମାଲାମାଲ । ଦଣ୍ଡ ଦେଉଛନ୍ତି ସରକାର, ତଥାପି ପଡ଼ୁନି ପ୍ରଭାବ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଲେଖିଥିଲେ ପତ୍ର । କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ସାର ସଙ୍କଟ । ସାରା ଦେଶରେ ଦେଖାଦେଇଛି ୟୁରିଆ ସାରର ସଙ୍କଟ । ପଞ୍ଜାବ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ସବୁଠି ସ୍ଥିତି ଗମ୍ଭୀର । ୨୦୨୪ରେ ବି ଦେଖାଦେଇଥିଲା ସାର ସଙ୍କଟ । ବିଦେଶରୁ ୫୫ଲକ୍ଷ ଟନ୍ ସାର ଆମଦାନି କରିଥିଲେ କେନ୍ଦ୍ର ସରକାର । ସେବର୍ଷ ୩୮୫ଲକ୍ଷ ଟନ୍ ଥିଲା ୟୁରିଆ ସାରର ଚାହିଦା । ଆମଦାନି ପୂର୍ବ ବର୍ଷ ତୁଳନାରେ ୧୨.୭ ପ୍ରତିଶତ କମିଥିଲା । ୨୦୨୫ରେ ଦେଶରେ ବଢ଼ିଗଲା ସାରର ଦର । ଜୁଲାଇରେ ଟନ୍ ପିଛା ୫୭୦ଡଲାରରୁ ବଢ଼ିଗଲା ଦର । ୬୩୦ ଡଲାରକୁ ଛୁଇଁଗଲା ସାର ଟନ୍ ମୂଲ୍ୟ । ଅନ୍ତର୍ଜାତୀୟ ବଜାରରେ ୩୦ ପ୍ରତିଶତ ଦର ବଢ଼ିଲା ।
ସେପଟେ କମିଛି ସାର ଉତ୍ପାଦନ । ଭାରତୀୟ କଂପାନି ବି ୟୁରିଆ ସାର ଉତ୍ପାଦନ କମାଇଛନ୍ତି । ପୂର୍ବ ବର୍ଷ ତୁଳନାରେ ୮.୫ ପ୍ରତିଶତ କମିଛି ଉତ୍ପାଦନ । ଏପ୍ରିଲରୁ ଜୁଲାଇ ଭିତରେ ଉତ୍ପାଦନ ୯୩.୬ ଲକ୍ଷ ଟନ୍ । ୨୦୨୫-୨୬ ସୁଦ୍ଧା ଆତ୍ମନିର୍ଭରଶୀଳ ଲକ୍ଷ୍ୟ ଥିଲା । ସାରରେ ଭାରତ ସ୍ୱୟଂ ସମ୍ପୂର୍ଣ୍ଣ ହେବ ବୋଲି କହିଥିଲେ କେନ୍ଦ୍ର ସରକାର । ୟୁରିଆ ସାରର ବସ୍ତା ଧାର୍ଯ୍ୟ ମୂଲ୍ୟ ୨୬୭ ଟଙ୍କା ରହିଛି ।ସବୁଠି ଚାଷୀ ବସ୍ତା ପିଛା ୩୦୦ ଟଙ୍କାରୁ ଅଧିକ ଦରରେ କିଣୁଛନ୍ତି । ସର୍ବଭାରତୀୟ ସ୍ତରରେ ଏକର ପିଛା ୫୬ କେଜି ସାର ବ୍ୟବହାର ହୁଏ । ଓଡ଼ିଶାରେ ସେ ପରିମାଣ ୨୩କେଜି ପାଖାପାଖି ରହିଛି ।ତଥାପି ରାଜ୍ୟରେ ସାର ସଙ୍କଟ କାରଣରୁ ସ୍ଥିତି ଗମ୍ଭୀର ହେଲାଣି ।