କନକ ବ୍ୟୁରୋ: ବିଧାୟକଙ୍କ ଚିଠି ଧରାଇ ଦେଲା ସାର ସଙ୍କଟର ସତ । ଚାଷୀଙ୍କ ସଂଘର୍ଷର ସତ । ସାର ସଂକଟକୁ ନେଇ ଚାଷୀ ହନ୍ତସନ୍ତ ହେଉଛନ୍ତି । ରାଜନୀତି ମଧ୍ୟ ଜୋର ଧରିବାରେ ଲାଗିଛି । ଆଉ ଏହାରି ଭିତରେ ବିଜେପି ବିଧାୟକଙ୍କ ଚିଠି ସାର ସଂକଟର ସତ ଧରାଇଦେଇଛି । ଯାଜପୁର ଜିଲ୍ଲାରେ ଇଫକୋ ଅଧିକାରୀଙ୍କ ଚଞ୍ଚକତା ପାଇଁ ସାର ଅଭାବ ଭଳି ପରିସ୍ଥିତି ଉପୁଜିଥିବା ବିଧାୟକ ଅମର ନାୟକ କହିଛନ୍ତି । ଜିଲ୍ଲାରେ ସାର ମାର୍କଫେଡ୍ ଗୋଦାମକୁ ଯାଇ ବେସରକାରୀ ଗୋଦାମରେ ଅନଲୋଡ୍ ହୋଇଥିବା ନେଇ ବିଧାୟକଙ୍କୁ ଅଭିଯୋଗ ହୋଇଥିଲା । ପରେ ବିଧାୟକ ଏ ସଂକ୍ରାନ୍ତରେ ଉପମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଥିଲେ । ଖୁବଶୀଘ୍ର ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଧାୟକ କହିଛନ୍ତି ।

Advertisment

ବିଧାୟକଙ୍କ ଚିଠି ଧରାଇଲା ସାର ସଂକଟର ସତ 
ଇଫକୋ ଅଧିକାରୀଙ୍କ ଚଞ୍ଚକତା 
ଯାଜପୁର ରୋଡରେ ୧୩୫୦ ଟନର ସାର ଅନଲୋଡ୍ ହୋଇଥିଲା
ସାର ମାର୍କଫେଡ୍ ଗୋଦାମକୁ ନଯାଇ ବେସରକାରୀ ଗୋଦାମକୁ ଯାଇଥିଲା
ଏନେଇ ବିଧାୟକଙ୍କ ପାଖକୁ ଅଭିଯୋଗ ଆସିଥିଲା
ବିଧାୟକ ଅମର ନାୟକ ତୁରନ୍ତ ଉପମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଚିଠି କରିଥିଲେ

ସରକାର କହୁଛନ୍ତି ସାର ସଙ୍କଟ ନାହିଁ । ମନ୍ତ୍ରୀ ତ ପୂରା ହିସାବ ବି ଦେଉଛନ୍ତି । କିନ୍ତୁ ଗ୍ରାଉଣ୍ଡରେ ସ୍ଥିତି ଭିନ୍ନ । ସରୁଛି ସାର ସଂଘର୍ଷ । ସାରର ଅଭାବି ବିକ୍ରି ପାଇଁ ଅତିଷ୍ଠ ଚାଷୀ କୂଳ । ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରେ ସାର ସଙ୍କଟ ରାସ୍ତାରେ ଦେଖିବାକୁ ମିଳିଛି । ଦିଗପହଣ୍ଡିରେ ହଜାର ହଜାର ଚାଷୀ ରାସ୍ତାକୁ ଓହ୍ଲାଇଥିଲେ । ରାୟଗଡା ବ୍ରହ୍ମପୁର ଜାତୀୟ ରାଜପଥ ୨୧୭ ଅବରୋଧ କରିଥିଲେ । ସୂଚନା ଅନୁସାରେ, ଗତକାଲି ରାତିରେ କିଛି ଲୋକଙ୍କୁ ସାର ଦିଆଯାଇଥିଲା । ଯାହାକୁ ନେଇ ଆଜି ସକାଳୁ ରାସ୍ତା ଅବରୋଧ କରିଥିଲେ ଉତ୍ୟକ୍ତ ଚାଷୀ । ସେପଟେ, ଆସିକା ବ୍ଳକ ମଙ୍ଗଳପୁର ସୋସାଇଟି ସମ୍ମୁଖରେ ସାର ପାଇଁ ଚାଷୀଙ୍କ ଲମ୍ବା ଲାଇନ୍ । ଦୁଇ ଦିନ ତଳେ ନିଜେ ଯୋଗାଣ ମନ୍ତ୍ରୀ ଆସିକାଠାରେ ସାରକୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ । ଆଶା କରାଯାଉଥିଲା ସାର ସଙ୍କଟ ସ୍ଥିତିରେ ସୁଧାର ଆସିବ । ହେଲେ ନା । ସେମିତି କିଛି ହେଲା ନାହିଁ । ଆଜି ବି ସାର ପାଇଁ ଚାଷୀଙ୍କୁ ସଂଗ୍ରାମ କରିବାକୁ ପଡ଼ୁଛି ।  ଅନ୍ୟପଟେ କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ବି ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ଲ୍ୟାମ୍ପସ ସମ୍ମୁଖରେ ସାର ପାଇଁ ଲାଗିଛି ପ୍ରବଳ ଗହଳି । ଗତକାଲି ଲ୍ୟାମ୍ପସ ୧୨ଶହ ବସ୍ତା ସାର ଆସିଛି । ହେଲେ ସାର ନେବା ପାଇଁ ପ୍ରାୟ ତିନି ହଜାରରୁ ଅଧିକ ଚାଷୀ ଭିଡ଼ ଜମାଇଛନ୍ତି । 

୧୩ ତାରିଖରେ ଆସିକାରେ ସମୀକ୍ଷା ବୈଠକ କରିଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ସାର ସମୀକ୍ଷା ବୈଠକରେ ସାମିଲ ହୋଇଥିଲେ ଗଞ୍ଜାମ ଜିଲ୍ଲାପାଳ ସମେତ ବହୁ ପଦାଧିକାରୀ 
ଆଶା କରାଯାଉଥିଲା ଆଉ ଜିଲ୍ଲାରେ ସାରର ସମସ୍ୟା ରହିବ ନାହିଁ
ଆଜିର ଘଟଣା ପୁଣି ସେହି ସାର ସମସ୍ୟାକୁ ଦୋହରାଇଛି 
ଆସିକା ସମେତ ଧରାକୋଟ ବ୍ଳକର ବିଭିନ୍ନ ସ୍ଥାନରେ ସାର ପାଇଁ ସଂଘର୍ଷ 
ରାତିରୁ ସୋସାଇଟି ଆଗରେ ଧାଡ଼ିରେ ଠିଆ ହେବାକୁ ପଡ଼ୁଛି
୪୫୦ ବସ୍ତା ସାରକୁ ହଜାରେରୁ ଅଧିକ ଚାଷୀ
ସାର ନପାଇ କଲବଲ ସାରା ରାଜ୍ୟର ଚାଷୀ

ସାର ପାଇଁ ବିଭିନ୍ନ ସ୍ଥାନରେ ଚାଷୀ ହନ୍ତସନ୍ତ ହେଉଥିବା ବେଳେ ସାରର ହିସାବ ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। କହିଛନ୍ତି, ସରକାରଙ୍କ ପାଖରେ ଆହୁରି ୧ ଲକ୍ଷ ୮୦ ହଜାର ଟନ ସାର ମହଜୁତ ଅଛି। ଗତ ବର୍ଷ ଚଳିତ ମାସ ସୁଦ୍ଧା ୮ ଲକ୍ଷ ୫୦ ହଜାର ଟନ ସାର ବଣ୍ଟା ଯାଇଥିଲା। ଚଳିତ ବର୍ଷ ୧୦ ଲକ୍ଷ ୮୫ ହଜାର ଟନ ସାର ବଣ୍ଟା ସରିଲାଣି। ମନ୍ତ୍ରୀ କହିଛନ୍ତି, ପର୍ଯ୍ୟାପ୍ତ ସାର ମହଜୁଦ ରହିଛି। ଆବଶ୍ୟକ ହେଲେ ଆହୁରି ସାର ମଗାଯିବ। ହେଲେ ସାର ନଥିବା ଲୋକଙ୍କ ପାଖରେ କହୁଛନ୍ତି ବିରୋଧୀ। ଚଳିତ ବର୍ଷ ଅଧିକ ଧାନ ଚାଷ କରାଯାଇଛି। ଆଗୁଆ ବର୍ଷା ଯୋଗୁଁ ଶୀଘ୍ର ସାରର ଦରକାର ହେଉଛି। ଏହା ସହ ଡିଲରଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଯେଉଁଠି ସାର କଳାବଜାରୀ ହେବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଲୋକେ ସବୁ ଜାଣୁଛନ୍ତି, ବିଜେଡି ଯେତେ ସୋବାଜି କଲେ ଵି ଲାଭ ହେବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ।