କନକ ବ୍ୟୁରୋ: ଭଲ ବର୍ଷାକୁ ଦେଖି ଚାଷୀ ଚାଷ କାମ ଆରମ୍ଭ କରିଛି । ରୁଆ ବେଉଷଣ କାମ ଚାଲିଛି । ଏହି ସମୟରେ ଅଧିକ ମାତ୍ରାରେ ସାର ଆବଶ୍ୟକ ହୋଇଥାଏ । ଚାଷୀମାନେ ମୁଖ୍ୟତଃ କୃଷି ସମବାୟ ସମିତି ମାଧ୍ୟମରେ ସରକାରୀ ଦରରେ ସାର କିଣିଥାନ୍ତି । ହେଲେ ରାଜ୍ୟର ବିଭିନ୍ନ ସ୍ଥାନରେ ସାରର କଳାବଜାରୀ ହେଉଛି । ଚାଷୀ ସରକାର ଦରରେ ସାର ପାଉନାହାନ୍ତି । ସେପଟେ ଦୋକାନୀ ଚଢା ଦରରେ ସାର ବିକ୍ରି କରୁଛନ୍ତି। କିଛି ଦୋକାନୀ ସରକାରୀ ଦରର ଦୁଇ ରୁ ତିନି ଗୁଣା ଅଧିକ ମୂଲ୍ୟ ନେଉଥିବା ଚାଷୀ ଅଭିଯୋଗ କରୁଛନ୍ତି ।
ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ସମବାୟ ସମିତି ଗୁଡିକ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଇବାରେ ଅସମର୍ଥ ଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି । ତେଣୁ ଚାଷୀ ମାନେ ବାଧ୍ୟ ହୋଇ ଦୋକାନରୁ କିଣୁଥିବା ଅଭିଯୋଗ କରିଛନ୍ତି । ଏହାର ସୁଯୋଗ ନେଇ ଦୋକାନୀ ମାନେ ସାରର କଳାବଜାରୀ କରୁଛନ୍ତି । ସେପଟେ ଗଜପତି ଜିଲ୍ଲାରୁ ମଧ୍ୟ ସମାନ ଅଭିଯୋଗ ଆସିଛି । ପଦ୍ମପୁରରେ ଚାଷୀମାନେ ଅଭିଯୋଗ କରିବା ପରେ କୃଷି ବିଭାଗ କିଛି ଦୋକାନ ଚଢାଉ କରିଛି । ଏହି ଚଢାଉକୁ ନାମକୁ ମାତ୍ର। କଳାବଜାରୀରେ ଦୋକାନୀ ଓ କୃଷି ବିଭାଗର ମିଳିତ ଭାଗ ରହିଥିବା ଚାଷୀ ଅଭିଯୋଗ କରିଛନ୍ତି ।