କନକ ବ୍ୟୁରୋ: କଲବଲ କଲାଣି ସାର ଅଭାବ । ରାତି ଅଧିଆ ଚଢା ଦରରେ ବିକ୍ରି ହୋଉଛି ୟୁରିଆ । ଇଏ ହେଉଛି ମାଲକାନଗିରି ମୋଟୁ ଅଞ୍ଚଳର ଚାଷୀଙ୍କ ରାଜରାସ୍ତା ଅବରୋଧ । ମୋଟୁ ଅଞ୍ଚଳରେ ୮ଶହରୁ ହଜାରେ ଟଙ୍କାରେ ୟୁରିଆ ସାର ବିକ୍ରି କରୁଛନ୍ତି ଡିଲର । ଏହାକୁ ନେଇ ତାତିଛନ୍ତି ଚାଷୀ । ରାଜ୍ୟର ଶେଷ ସୀମା ମୋଟୁ ଅଂଚଳରେ ରାତି ଅଧିଆ ଚଢ଼ା ଦରରେ ୟୁରିଆ ସାରର କଳାବଜାରି ହୋଉଥିବା ଜାଣି ଉତ୍ତେଜିତ ହୋଇଛନ୍ତି ଚାଷୀ । ପୁଶୁଗୁଡା ସ୍ଥିତ ଜ୍ୟୋତିର୍ମୟୀ ଆଣ୍ଡ ସୁଦର୍ଶନ ଟ୍ରେଡର୍ସ ନାମକ ଗୋଦାମରେ ୟୁରିଆ ସାର ଗଚ୍ଛିତ ରଖି ସାରର କଳାବଜାରି କରୁଥିବା ଜାଣିବାକୁ ପାଇ ଉତ୍ତେଜିତ ଚାଷୀ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ତେବେ ମୋଟୁ ପୁଲିସର ବୁଝାସୁଝା ପରେ ରାସ୍ତା ଅବରୋଧ ହଟିଥିବା ବେଳେ ସାର ନ ପାଇ ଏବେ ବି ହଟହଟ୍ଟା ହୋଉଛନ୍ତି ଚାଷୀକୂଳ ।
ସମ୍ବଲପୁର ଜିଲ୍ଲାରେ ମଧ୍ୟ ସାମନ ସ୍ଥିତି । ଖରିଫ ଋତୁ ପାଇଁ ସମ୍ବଲପୁରରେ ୨୪ ହଜାର ମେଟ୍ରିକ ଟନ୍ ୟୁରିଆର ଟାର୍ଗେଟ ଦିଆଯାଇଥିବା ବେଳେ ୨୧ ହଜାର ୮୩୨ ମେଟ୍ରିକ ଟନ୍ ସାର ଜିଲ୍ଲାକୁ ମିଳିସାରିଛି। ସେହିପରି ପ୍ୟାକ୍ସ ଗୁଡ଼ିକ ପାଇଁ ୮ ହଜାର ମେଟ୍ରିକ ଟନ୍ ୟୁରିଆ ସାରର ଟାର୍ଗେଟ ଥିବାବେଳେ ୪ ହଜାର ୭୫୦ ମେଟ୍ରିକ ଟନ୍ ଦିଆଯାଇଛି । ପ୍ରାୟ ୧୬ ହଜାର ମେଟ୍ରିକ ଟନ୍ ସାର ଘରୋଇ ସଂସ୍ଥା କିମ୍ବା ବେପାରୀଙ୍କୁ ଦିଆଯାଇଛି। କିଛି ଅଧିକାରୀ ସାରର ଅଭାବ ଥିବା କହୁଥିବା ବେଳେ ଆଉ କିଛି ଅଧିକାରୀ ୟୁରିଆର ଅଭାବ ନଥିବା କହିଛନ୍ତି । ଏପଟେ ସାର ପାଇଁ ଲମ୍ବା ଲାଇନ୍ ଲଗାଉଛନ୍ତି ଚାଷୀ ।
ସାର ଅଭାବ ଏଭଳି ହେଲାଣି ଯେ ବିଭିନ୍ନ ଅଞ୍ଚଳରେ ନିମ୍ନମାନର ସାର ବିକ୍ରି ହେଲାଣି । ୟୁରିଆରେ ନାଲି ରଙ୍ଗର ବାଲି ମିଶାଯାଇ ବିକ୍ରି କରାଯାଉଛି । କୋରାପୁଟ କୋଟପାଡ଼ ଅଞ୍ଚଳରେ ଜିଲ୍ଲା କୃଷି ଅଧିକାରୀ ବ୍ଲକ୍ କୃଷି ଅଧିକାରୀ ଅତିରିକ୍ତ ତହସିଲଦାର ଏବଂ ପୁଲିସ ପ୍ରଶାସନ ଉପସ୍ଥିତରେ ବିଭିନ୍ନ ସାର ଦୋକାନ ରେ ଚଢ଼ାଉ କରି କାଗଜପତ୍ର ଯାଞ୍ଚ ପରେ ଗୋଦାମକୁ ସିଲ୍ କରାଯାଇଛି ।