କନକ ବ୍ୟୁରୋ:  ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ହତ୍ୟା ଘଟଣା ପଛର ଖିଅ କାଢ଼ିବାକୁ ଅଭିଯୁକ୍ତ ମାନଙ୍କୁ ଝାଳବୁହା ଜେରା କରୁଛି ପୁଲିସ୍ । ବୁଧବାର କେନ୍ଦୁଝରରେ ସିନ ରିକ୍ରିଏସନ ପରେ ଦୀପକ ଓ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଭୁବନେଶ୍ବର ଅଣାଯାଇଛି। କ୍ୟାପିଟାଲ ଥାନାରେ ୩ ଅଭିଯୁକ୍ତଙ୍କୁ ମାରାଥନ ଜେରା କରାଯାଇଛି । ସ୍ପେଶାଲ ସ୍କାର୍ଡ ଓ କ୍ୟାପିଟାଲ ଥାନା ପୁଲିସ ୩ ଜଣକୁ ଅଲଗା ଅଲଗା ରୁମରେ ଜେରା କରିବା ପରେ ସାମ୍ନାସାମ୍ନି ଜେରା କରିଛି । ପ୍ରଥମେ ଦୀପକ ଓ ପରେ ପପୁ ଏବଂ ଜଟିଆଙ୍କ ବୟାନ ରେକର୍ଡ କରାଯାଇଥିଲା । ଏହା ପରେ ସମସ୍ତଙ୍କୁ ଏକାଠି ବସାଇ ଜେରା କରାଯାଇଛି ।

Advertisment

ଜେରା ସମୟରେ ମୁଖ୍ୟ ଅଭିଯୁକ୍ତ ଦୀପକ ଭୋ ଭୋ ହୋଇ କାନ୍ଦିଥିବା ଜଣାପଡ଼ିଛି । ହତ୍ୟା ଅଭିଯୁକ୍ତ ଦୀପକ ଓ ତାର ସହଯୋଗୀକୁ ପୁଲିସ ଗିରଫ କରିବା ପରେ ଏହି ଲୋମହର୍ଷଣକାରୀ ହତ୍ୟା ଘଟଣା ପଦାକୁ ଆସିଛି। ଗତ ୬ ତାରିଖ ସନ୍ଧ୍ୟାରେ ଭିଭିଆଇପି ଅଞ୍ଚଳରେ ଏହି ହତ୍ୟାକାଣ୍ଡ ହୋଇଥିଲା ବେଳେ କମିସନରେଟ୍‌ ପୁଲିସ ଏହାର ସାମାନ୍ୟତମ ଟେର୍‌ ସୁଦ୍ଧା ପାଇ ନଥିଲା । ରାଜଭବନ, ମୁଖ୍ୟମନ୍ତ୍ରୀଙ୍କ ବାସଭବନଠାରୁ ଆରମ୍ଭ କରି ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କ ଘର ସମ୍ମୁଖରେ ଜଣେ ମହିଳା ପୁଲିସଙ୍କୁ ଏଭଳି ବୀଭତ୍ସ ଭାବେ ହତ୍ୟା କରାଯିବା ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଶୁଭମିତ୍ରାଙ୍କ ନିଖୋଜର ୧୦ ଦିନ ପରେ କମିସନରେଟ୍‌ ପୁଲିସ ଦୀପକକୁ ଘଟଣାସ୍ଥଳକୁ ଗଳିତ ମୃତଦେହ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଚଳାଇଛି ।