କନକ ବ୍ୟୁରୋ : ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଘର ଓ ମନ୍ଦିରରେ କଳାକନା ବୁଲାଉଛନ୍ତି ଲୁଟେରା । ଚୋରଙ୍କୁ ଧରିବାରେ ପୁଲିସ ବିଫଳ । ସ୍ଥାନୀୟ ଲୋକ କହୁଛନ୍ତି, ପ୍ରହସନ ପାଲଟିଛି ସନ୍ଧାନୀ କୁକୁର ଓ ଫରେନସିକ ଟିମ୍‌ର ଯାଞ୍ଚ । ରାତି ହେଲେ ଘର ଛାଡ଼ି ବାହାରକୁ ଯିବାକୁ ଲାଗୁଛି ଭୟ । ପୁଲିସର ପାରିବାପଣିଆକୁ ନେଇ ଉଠିଛି ପ୍ରଶ୍ନ । ନୀଳଗିରିରେ ଦିନକୁ ଦିନ ବଢ଼ୁଛି ଚୋରଙ୍କ ପ୍ରାଦୁର୍ଭାବ । ୬ ମାସ ହେଲାଣି ନୀଳଗିରିର ଭିନ୍ନଭିନ୍ନ ମନ୍ଦିର ଓ ଘରୁ ଚୋରି ହୋଇଛି । ଯାତ୍ରା, ମହୋତ୍ସବ ଯେଉଁଠି ଚୋରମାନେ ସେଇଠି । ଥାନାରେ ମାଳମାଳ ଅଭିଯୋଗ ହେଉଛି । ସନ୍ଧାନୀ କୁକୁର ଆସୁଛି, ଫରେନସିକ୍ ଟିମ୍ ବି ଆସୁଛି । ପୁଲିସ ତଦନ୍ତ କରୁଛି ହେଲେ ଚୋର ଧରାପଡ଼ୁନି । ପୁଲିସର ନିଷ୍କ୍ରିୟତା ପାଇଁ ଚିନ୍ତାରେ ନୀଳଗିରିବାସୀ। ରାତି ହେଲେ ଘର ଛାଡ଼ି ଯିବାକୁ ଭୟ ଲାଗୁଛି । 

Advertisment

ସୂଚନା ଅନୁଯାୟୀ...
ଜାନୁଆରି ୯ରେ ନୟାପାଟଣା ଗାଁର ତିନି ଜଣଙ୍କ ଘରୁ ଲୁଟ୍‌ 
ସୌଭାଗ୍ୟ ରଣା, ମାନସ ରଣା ଓ କମଳା ରଣାଙ୍କ ଘରେ କଳାକନା ବୁଲାଇ ଦେଇଥିଲେ ଲୁଟେରା 
ଫେବ୍ରୁଆରି ୧୧ରେ ବର୍‌ହମପୁର ଥାନା ଅନ୍ତର୍ଗତ ଚାଷିଣୀକୁଲା ଗାଁର ଘରର ତାଲା ଭାଙ୍ଗି ଲୁଟ୍‌ 
ଜୁନ୍‌ ୧୯ ତାରିଖରେ ଟାଙ୍ଗଣା ଗାଁର ବିଶ୍ବନାଥ ବୁଗୁଡ଼ାଇଙ୍କ ଘରୁ ଲୁଟ୍‌
ଜୁନ୍‌ ୨୧ରେ ନୀଳଗିରି ଥାନା ତିନିଦେଶ ଗାଁର କନକଲତାଙ୍କ ଘରେ ପଶିଥିଲେ ଚୋର
ଭାତ ଅଣ୍ଡା ତରକାରୀ କରି ଖାଇବା ସହ ୩ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଲୁଟି ନେଇଥିଲେ
ମେ’ ୨୦ରେ ନୀଳଗିରି ବଜାରର ଉମାମଣି ଦାସଙ୍କ ବେକରୁ ଚେନ୍‌ ଝାମ୍ପି ନେଇଥିଲେ ଲୁଟେରା
ଜୁଲାଇ ୭ରେ ପୋଡ଼ାଶୁଳ ଛକରେ ସରସ୍ବତୀ ପାତ୍ରଙ୍କ ଘରର କବାଟ ତାଡ଼ି ୪୦ ଲକ୍ଷର ଲୁଟ୍‌

କେବଳ ଘର ନୁହେଁ ମନ୍ଦିରକୁ ବି ଛାଡ଼ିନାହାନ୍ତି । କାଳୀ ମନ୍ଦିର, ଶନି ମନ୍ଦିର, ଲକ୍ଷ୍ମୀ ନାରାୟଣ ମନ୍ଦିର, ବୈଷ୍ଣୋଦେବୀ  ମନ୍ଦିର, ତାରିଣୀ ମନ୍ଦିରରୁ ଲୁଟ୍‌ ହୋଇଛି । ଦାନ ହୁଣ୍ଡି ସହ ଠାକୁରଙ୍କ ଅଳଙ୍କାର ଓ ଆସବାବପତ୍ର ଚୋରାଇ ନେଇଛନ୍ତି । ପଞ୍ଚାୟତ କାର୍ଯ୍ୟାଳୟକୁ ବି ଛାଡ଼ୁନାହାନ୍ତି ଚୋର । ସ୍ଥାନୀୟ ଅଞ୍ଚଳର ସୁରକ୍ଷା ଲାଗି ନୀଳଗିରି ଓ ବରହମପୁରରେ ଦୁଇଟି ଥାନା, ଈଶ୍ବରପୁର ଓ ଅଯୋଧ୍ୟାରେ ଦୁଇଟି ଫାଣ୍ଡି ରହିଛି । ତଥାପି ଚୋରି, ଡକାୟତି ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ପୁଲିସ । ଚୋର, ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଚୋରି କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।