କନକ ବ୍ୟୁରୋ : ପୁଟିନଙ୍କୁ ଚେକ୍ ଦେବାକୁ ଆମେରିକାର ବଡ ପ୍ଲାନ୍ । ରୁଷ-ୟୁକ୍ରେନ ଯୁଦ୍ଧ ପାଇଁ ଘାତକ ଅସ୍ତ୍ରଶସ୍ତ୍ର ପଠାଇଛି ଏବେ ଆମେରିକା । କୁହାଯାଉଛି ଆମେରିକା ପଠାଇଥିବା ଏହି ଅସ୍ତ୍ରଶସ୍ତ୍ର ସବୁଠାର ଘାତକ ହେବ । ପ୍ରାୟ ୨୭୫ ମିଲିୟନର ୱେପନ ଡିଲ୍ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ସାମ୍ନାକୁ ଆସିଛି । ଏହି ଚୁକ୍ତି ଅନୁସାରେ, ଆମେରିକା ୟୁକ୍ରେନକୁ ଲ୍ୟାଣ୍ଡମାଇନ୍, ଡ୍ରୋନ୍ ଇତ୍ୟାଦି ପଠାଇଛି । ଏଥିସହିତ ଆମେରିକା ଏହାର ସବୁଠାରୁ ଘାତକ ହିମର୍ସ ରକେଟ୍ ସିଷ୍ଟମ ବି ପଠାଇଛି ୟୁକ୍ରେନକୁ । ଯାହା ରୁଷ ସେନାର ଚିନ୍ତା ବଢାଇପାରେ । ସେପଟେ ଆମେରିକାଠୁ ସହାୟତା ପାଇବା ପରେ ୟୁକ୍ରେନ ରାଷ୍ଟ୍ରପତି ଜେଲନେସ୍କି ବାଇଡେନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଜେଲନେସ୍କି କହିଛନ୍ତି, ଯୁଦ୍ଧ ସମୟରେ ଆମେରିକା ସହାୟତା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ, ଏହା ଏବେ ଏହି ଯୁଦ୍ଧର ଗତିପଥ ବଦଳାଇଦେଇପାରେ ।
ସେପଟେ ୟୁକ୍ରେନ ରାଜଧାନୀ କିଭ୍ରେ ଥିବା ନିଜର ଦୂତାବାସକୁ ୪ ରାଷ୍ଟ୍ର ବନ୍ଦ କରିଦେଇଛନ୍ତି । ଦୂତାବାସ ବନ୍ଦ କରିଥିବା ରାଷ୍ଟ୍ରଗୁଡ଼ିକ ହେଲେ ଆମେରିକା, ସ୍ପେନ୍, ଇଟାଲି ଓ ଗ୍ରୀସ୍ । ରୁଷ୍ ସେନାର ଆକ୍ରମଣ ଆଶଙ୍କା କରି ଏହି ରାଷ୍ଟ୍ରଗୁଡ଼ିକ ଏପରି ପଦକ୍ଷେପ ନେଇଛନ୍ତି । ଆମେରିକା ଦୂତାବାସ ପକ୍ଷରୁ କୁହାଯାଇଛି ଯେ କିଭ୍ ସ୍ଥିତ ଦୂତାବାସ ଉପରେ ନଭେମ୍ବର ୨୦ରେ ରୁଷ୍ ପକ୍ଷରୁ ବଡ ଧରଣର ଆକ୍ରମଣ ନେଇ ସୂଚନା ମିଳିଛି । ସୂଚନା ଆଧାରରେ ଦୂତାବାସକୁ ବନ୍ଦ କରାଯିବା ସହିତ କର୍ମଚାରୀମାନଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ କୁହାଯାଇଛି । ଏହା ସହିତ ୟୁକ୍ରେନସ୍ଥିତ ନିଜର ନାଗରିକଙ୍କୁ ସତର୍କ ରହିବା ଲାଗି ଏହି ରାଷ୍ଟ୍ରଗୁଡ଼ିକ ପରାମର୍ଶ ଦେଇଛନ୍ତି । ଆମେରିକା ନାଗରିକଙ୍କୁ ୟୁକ୍ରେନ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସତର୍କ ସୂଚନା ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । ସେମାନଙ୍କୁ ନିକଟସ୍ଥ ଆଶ୍ରୟସ୍ଥଳକୁ ଚାଲିଯିବାକୁ କୁହାଯାଇଛି । ଜରୁରୀପରିସ୍ଥିତିରେ ଯୋଗାଯୋଗ ଲାଗି ସ୍ବତନ୍ତ୍ର ନମ୍ବର ଦିଆଯାଇଛି । ରୁଷ-ୟୁକ୍ରେନ ଯୁଦ୍ଧକୁ ୧୦୦୦ ଦିନ ପୂରଣ ହେବା ସହିତ ଏହା ନୂଆ ପର୍ଯ୍ୟାୟରେ ପହଞ୍ଚିଛି । ରୁଷ୍ ଉପରେ ୟୁକ୍ରେନ ଆମେରିକା ନିର୍ମିତ ଏଟିଏସିଏମଏସ୍ କ୍ଷେପଣାସ୍ତ୍ର ମାଡ କରିବା ପରେ ଯୁଦ୍ଧ ଉତ୍ତେଜନା ବୃଦ୍ଧି ପାଇଛି ।