କନକ ବ୍ୟୁରୋ : ଆଲମୁନିୟମ, ଷ୍ଟିଲ ପରେ ଅଟୋ ସେକ୍ଟର ଉପରେ ଟାରିଫ ଲଗାଟାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କାର, ଅଟୋ ପାର୍ଟ୍ସ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି ଟ୍ରମ୍ପ । ଆମଦାନୀ ହେଉଥିବା କାର ଏବଂ କାର ପାର୍ଟ୍ସ ଉପରେ ଆସନ୍ତା ଏପ୍ରିଲ୍‌ ୩ ତାରିଖରୁ ଆମେରିକା ବର୍ଦ୍ଧିତ ଶୁଳ୍କ ଲାଗୁ ହେବ । ଘରୋଇ କାର ଉତ୍ପାଦନ ଅଭିବୃଦ୍ଧି ପାଇଁ ଆମରିକା ବିଦେଶୀ କମ୍ପାନୀ କାର ଉପରେ ଏଭଳି ଟାରିଫ ଲଗାଇଥିବା କୁହାଯାଉଛି । ଏହାଦ୍ବାରା ଚୀନ, କାନାଡା, ମେସ୍କିକୋ ଭଳି ଭାରତ ମଧ୍ୟ ପ୍ରଭାବିତ ହେବ । କେବଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଥିବା କାର୍‌ ନୁହେଁ ଇଞ୍ଜିନ୍‌, ପାୱାର୍‌ଡ୍ରେନ୍ ସିଷ୍ଟମ୍‌ ଏବଂ ଇଲେକ୍ଟ୍ରିକାଲ ପାର୍ଟସ୍‌ ଭଳି ଗୁରୁତ୍ବପୂର୍ଣ୍ଣ କାର୍‌ ପାର୍ଟସ୍‌ ଉପରେ ଟାରିଫ୍‌ ଲାଗୁ ହେବ । ଯାହା ଦ୍ବାରା ଭାରତର ମୁଖ୍ୟ ବିକ୍ରେତାମାନଙ୍କୁ କ୍ଷତି ସହିବାକୁ ପଡିବ । କିନ୍ତୁ ଆମେରିକାକୁ ବାର୍ଷିକ ୮ ଲକ୍ଷ ୫୯ ହଜାର କୋଟି ଟଙ୍କାର ଲାଭ ମିଳିବ ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଆଳକନ କରାଯାଇଛି ।

Advertisment

ଭାରତ ବଜାରରେ ଟାରିଫ୍‌ର ପ୍ରଭାବ
ଟ୍ରମ୍ପଙ୍କ ଟାରିଫ ବୃଦ୍ଧି ଘୋଷଣା ପରେ ଏହାର ପ୍ରଭାବ ସେୟାର ବଜାରରେ ପଡିଛି । ଭାରତୀୟ ସେୟାର ବଜାରରେ କାର କମ୍ପାନୀର ସେୟାର କମିଥିବା ଦେଖିବାକୁ ମିଳିଛି । ଗୁରୁବାର ଟାଟା ମୋଟର୍ସର ସେୟାର ୫% ହ୍ରାସ ପାଇଛି । ଜାଗୁଆର, ଲାଣ୍ଡ ରୋଭର ଭଳି ବିଳାସପୂର୍ଣ୍ଣ କାର୍‌ କମ୍ପାନୀର ମାଲିକାନା ଟାଟା ପାଖରେ ଅଛି । ତେଣୁ ଆମେରିକାର ଶୁଳ୍କ ବୃଦ୍ଧିର ପ୍ରଭାବ ଟାଟା ମୋଟର୍ସ ଉପରେ ପଡିଛି । ମେକ୍ସିକୋ, କାନାଡା, ଜାପାନ୍‌ ଭଳି ଦେଶ ଅପେକ୍ଷା ଭାରତ ସିଧାସଳଖ ଆମେରିକାକୁ କମ୍‌ କାର୍‌ ବିକ୍ରି କରେ । ୨୦୨୩ ଭାରତ ଆମେରିକାକୁ ୧୨ ହଜାର କୋଟି ଟଙ୍କାର କାର୍‌ ବିକ୍ରି କରିଥିଲା । କିନ୍ତୁ ଟାରିଫ ବୃଦ୍ଧି ଭାରତର କାର ନିର୍ମାତାଙ୍କ ଲାଭ ଉପରେ ପ୍ରଭାବ ପକାଇବ । ଭାରତ ଏବେ ବିଦେଶୀ କାର୍‌ ଆମଦାନୀ ଉପରେ ୧୦୦ % ଶୁଳ୍କ ଲଗାଉଛି । ହେଲେ ଆମେରିକାର ଟାରିଫ ବୃଦ୍ଧି ପରେ ଏଥିରେ ପରିବର୍ତ୍ତନ କରିପାରେ ଭାରତ । ତେବେ ଶୁଳ୍କ ବୃଦ୍ଧି ଦ୍ବାରା ସାରା ବିଶ୍ବର ଯୋଗାଣ ଚେନ ପ୍ରଭାବିତ ହେବ ବୋଲି କୁହାଯାଉଛି ।