କନକବ୍ୟୁରୋ : ଆଖି ପିଛୁଳାକେ ଘଟୁଛି ସଡ଼କ ଦୁର୍ଘଟଣା । ନିମିଷକେ ପାଣି ଫୋଟକା ଭଳି ମିଳେଇ ଯାଉଛି ଜୀବନ । ଆଜି ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୯ ଜଣଙ୍କ ଜୀବନ ଯାଇଛି । ପ୍ରାୟ ୪ ଜଣ ଗୁରୁତର ହୋଇଛନ୍ତି । ତେବେ ସବୁଠୁ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ । ଯେଉଁଠି ଅଜଣା ଗାଡ଼ି ଧକ୍କାରେ ଉଜୁଡ଼ି ଯାଇଛି ଗୋଟିଏ ପରିବାର ।
ବୁକୁଫଟା କାନ୍ଦରେ ଫାଟି ପଡ଼ୁଛି ହସ୍ପିଟାଲ ପରିସର । କିଏ ନିଜ ଭାଇକୁ ଖୋଜୁଛି, ଆଉ କିଏ ଅଣ୍ଡାଳି ପକାଉଛି କୁନି ପିଲାଙ୍କ ମୁହଁକୁ ଥରୁଟେ ଦେଖିନେବା ପାଇଁ । ନା ଆଉ ସେ ଖିଲି ଖିଲି ହସ ଶୁଭିବ, ନା ଦୋରଟି କଥାରେ ଆଉ କିଏ ଅଝଟ କରିବ । ସଡ଼କ ଦୁର୍ଘଟଣାରେ ଆଖି ବୁଜିଛନ୍ତି ବାପା, ମାଆ, ୬ ବର୍ଷୀୟା ଝିଅ ଓ ୮ ବର୍ଷୀୟା ଝିଆରୀ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳର ଭାବଗ୍ରାହୀ କାରୁଆଁ ନିଜ ଝିଅ ନାଁରେ ବ୍ୟାଙ୍କରେ ଟଙ୍କା ରଖିବା ପାଇଁ ଓ କିଛି କିଣାକିଣି ପାଇଁ କାମାକ୍ଷାନଗର ଯାଉଥିଲେ । ହେଲେ ତାଙ୍କ ବାଇକକୁ ମାଳପୁରା ଓଭରବ୍ରିଜ ନିକଟରେ ଧକ୍କା ଦେଇଥିଲା ଅଜଣା ଗାଡ଼ି ।
ଆଜି ବିଭିନ୍ନ ସ୍ଥାନରେ ଦୁର୍ଘଟଣାରେ ଅତିକମରେ ୯ ଜଣଙ୍କ ମୃତ୍ୟୁ ଘଟିଛି । ବରଗଡ଼ ବାଇପାସରେ କାର୍ ଡିଭାଇଡରରେ ପିଟି ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଛି। ଛତ୍ରପୁର ପକୁଡ଼ିବନ୍ଧ ଜଙ୍କସନରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ଜଣେ ଆହତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଛନ୍ତି ବିଧାୟକ ସିଦ୍ଧାନ୍ତ ମହାପାତ୍ର । ବାଲେଶ୍ୱର ସୋରରେ ପୋଲକୁ ବାଇକ୍ ପିଟି ଚାଳକର ଜୀବନ ଯାଇଛି ।
ସେପଟେ ସୁବର୍ଣ୍ଣପୁର ତରଭାରେ ଏକାଠି ଜଳିଛି ସ୍ବାମୀ-ସ୍ତ୍ରୀଙ୍କ ଜୁଇ । ଗତ ମଙ୍ଗଳବାର ଜମ୍ମୁରେ ବୈଷ୍ଣୋଦେବୀ ଦର୍ଶନ ସାରି ଫେରିବା ବାଟରେ ତୀର୍ଥଯାତ୍ରା ପାଲଟିଥିଲା ଶେଷଯାତ୍ରା । ଆଉ ଆଜି ଶୋକାକୁଳ ପରିବେଶରେ ବିଚିତ୍ରା ସାହୁ ଓ ବବିତା ସାହୁଙ୍କର ଚିତା ଜଳିଛି। ଦିନକୁ ଦିନ ଦୁର୍ଘଟଣା ବଢ଼ି ଚାଲିଥିବା ବେଳେ, ରାସ୍ତାକୁ ଗୋଡ଼ କାଢ଼ିଲେ ମଣିଷ ଘରକୁ ସୁରକ୍ଷିତ ଫେରିବ କି ନାହିଁ, ଏବେ କହିବା ମୁସ୍କିଲ ହୋଇପଡ଼ିଛି