କନକବ୍ୟୁରୋ: ପିପିଲି ପରେ କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ଆତଙ୍କ । ଡେରାବିଶ ଅଂଚଳରେ ବାର୍ଡ ଫ୍ଲୁ ଚିହ୍ନଟ ପରେ କେନ୍ଦ୍ରାପଡ଼ାରେ କୁକୁଡ଼ା ଓ ଅଣ୍ଡା ବିକ୍ରି ଉପରେ ନିଶେଧାଦେଶ ଜାରି କରାଯାଇଛି । ମାଇକ ଯୋଗେ ପୌରସଂସ୍ଥା ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି ।

Advertisment

କୁକୁଡ଼ା ନଖାଇବାକୁ ଡାକବାଜି ଯନ୍ତ୍ର ଜରିଆରେ ପରାମର୍ଶ ଦେଇଛି ପୌର ପ୍ରଶାସନ । ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ବେଳେ ବିଭିନ୍ନ ସ୍ଥାନରେ କୁକୁଡ଼ା ମରା ଅଭିଯାନ ଜାରି ରହିଛି

ସେପଟେ ପୁରୀ ଜିଲ୍ଲାରେ ଧିରେ ଧିରେ ସୁଧୁରୁଛି ବାର୍ଡ ଫ୍ଲୁ ସ୍ଥିତି । ପିପିଲି ବ୍ଲକରେ ୫୭ଟି କୁକୁଡ଼ା ଫାର୍ମ ବିଶୋଧନ କରାଯାଇଛି ।  ୧୫ହଜାର ୪୩୮ ଟି କୁକୁଡ଼ା ମରାଯାଇ ପୋତାହୋଇଛି । ଏହି କାର୍ଯ୍ୟ ପାଇଁ ୧୩ ରାପିଡ଼ ରେସ୍ପନ୍ସ ଟିମର ୫୨ଜଣ କର୍ମୀ ନିୟୋଜିତ ଥିବା ବେଳେ ୨୦ ଜଣ ଚାଷୀଙ୍କୁ ୬ ଲକ୍ଷ ୪୯ ହଜାର ଟଙ୍କା କ୍ଷତିପୂରଣ ଦିଆଯାଇଛି ।

ସେହିପରି ଡେଲାଙ୍ଗ ବ୍ଲକରେ ୭୪ଟି କୁକୁଡ଼ା ଫାର୍ମ ବିଶୋଧନ କରାଯାଇ ୮ହଜାର ୧୦ଟି କୁକୁଡ଼ା ମରାଯାଇଛି । ୧୦ଟି ରାପିଡ଼ ରେସ୍ପପନ୍ସ ଟିମର ୫୦ ଜଣିଆ କର୍ମୀ ନିୟୋଜିତ ଥିଲେ । ୮ ଜଣ କୁକୁଡ଼ା ଚାଷୀଙ୍କୁ ୪ ଲକ୍ଷ ୫୬ହଜାର ୬୬୦ ଟଙ୍କା କ୍ଷତିପୂରଣ ଦିଆଯାଇଛି । ସତ୍ୟବାଦୀରେ ୨୬ ଟି କୁକୁଡ଼ା ଫାର୍ମ ବିଷୋଧନ କରାଯାଇଛି । ୧୪ ହଜାର ୮୦୫ ଟି କୁକୁଡ଼ା ମରାଯାଇ ପୋତାଯାଇଛି । ୧୦ ଟି ରାପିଡ଼ ରେସ୍ପପନ୍ସ ଟିମର ୪୦ ଜଣ କର୍ମୀ ନିୟୋଜିତ ଥିଲେ। ୩୨ ଜଣ କୁକୁଡ଼ା ଚାଷୀଙ୍କୁ ୩ ଲକ୍ଷ ୪୫ ହଜାର କ୍ଷତିପୂରଣ ଦିଆଯାଇଛି ।

ସେହିପରି ନିମାପଡା ବ୍ଲକରେ ୫୦ ଫାର୍ମ ବିଷୋଧନ କରାଯାଇ ୧୦ ହଜାର ୬୦୭ଟି କୁକୁଡ଼ା ମରାଯାଇଛି । ୧୨ ଜଣିଆ ରାପିଡ଼ ର୍ରେସ୍ପପନ୍ସ ଟିମର ୫୦ ଜଣ କର୍ମୀ ନିୟୋଜିତ ଥିଲେ। କୁକୁଡ଼ା ଚାଷୀଙ୍କୁ ୫ ଲକ୍ଷ ୬୮ ହଜାର ୬୦ ଟଙ୍କା କ୍ଷତିପୂରଣ ଦିଆଯାଇଛି । ଅନେକ ସ୍ଥାନରେ ଏବେ ବି କୁକୁଡ଼ା ମରା ଅଭିଯାନ ଜାରି ରହିଛି । ଯାହାକୁ ନେଇ କୁକୁଡ଼ା ଚାଷୀ ଚିନ୍ତାରେ ପଡ଼ିଛନ୍ତି । କେଇଜଣ ଚିହ୍ନା ମୁହଁଙ୍କୁ କ୍ଷତିପୂରଣ ଦେଇ ପ୍ରଶାସନ କାମ ସାରିଦେଉଥିବା ଚାଷୀ ଅଭିଯୋଗ କରିଛନ୍ତି । ଅନେକ ଚାଷୀ ଏବେ କ୍ଷତିପୂରଣ ପାଇବାରୁ ବଂଚିତ ଅଛନ୍ତି ।