କନକବ୍ୟୁରୋ :  ଓଡ଼ିଶାର କଳିଙ୍ଗା ଘାଟିରେ ହୋଇଛି ଭୂସ୍ଖଳନ । କୋରାପୁଟ, ରାୟଗଡ଼ା, ଗଜପତି ପରେ ଏବେ କନ୍ଧମାଳରେ ହୋଇଛି ଭୂସ୍ଖଳନ । କଳିଙ୍ଗାଘାଟି ପାହାଡ଼ରୁ ଖସିଛି ବଡ଼ ବଡ଼ ପଥର ।  ଭୟାନକ ଦୃଶ୍ୟ ଦେଖିଲେ ଆଖି ସାମନାରେ ଚାଲିଆସୁଛି ଉତ୍ତର ଭାରତର ଦୃଶ୍ୟ । ସଜାଗ ନହେଲେ ଅନ୍ୟ ଜିଲ୍ଲାରେ ବି ଭୂସ୍ଖଳନ ହେବାର ପୂର୍ବାନୁମାନ କରିଛନ୍ତି ଭୂତତ୍ତ୍ବବିତ୍ । 

Advertisment

ଭୂସ୍ଖଳନ କହିଲେ ଆଖି ସାମ୍ନାରେ ଉତ୍ତର ଭାରତର ଚିତ୍ର ସାମ୍ନାକୁ ଆସୁଥିବା ବେଳେ ଏବେ ଚିନ୍ତା ବଢ଼ାଇଛି ଓଡ଼ିଶାର ପାହାଡ଼ିଆ ଅଞ୍ଚଳ  ।   କଳିଙ୍ଗା ଘାଟିରେ ହୋଇଥିବା ଭୂସ୍ଖଳନ ଅନେକଙ୍କ ନିଦ ହଜାଇଛି ।   ପ୍ରକୃତିର ତାଣ୍ଡବଲୀଳା କେତେ ଭୟଙ୍କର ହୋଇପାରେ ତାର ସଂକେତ ଦେଇଛି   । 

( ଏରିଏଲ ଭ୍ୟୁ) ବୁଝାଇ ଦେଇଛି  ଯେ,  ପ୍ରକୃତିକୁ ବିଗାଡ଼ିଲେ ପରିସ୍ଥିତି କେମିତି ଅସମ୍ଭାଳ ହୋଇଯାଏ  ।   ବର୍ଷ ବର୍ଷ ଧରି କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା  ସବୁକିଛି ମାତ୍ର କିଛି ସମୟରେ ଛାରଖାର ହୋଇଯାଇଛି । ଗଞ୍ଜାମରୁ କନ୍ଧମାଳ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି  ।  ଯାତାୟାତ ସ୍ବାଭାବିକ କରିବାକୁ ପ୍ରଶାସନ ପକ୍ଷରୁ ମାଟି ପଥରକୁ ହଟାଯାଉଛି । 

ପୂର୍ବରୁ କୋରାପୁଟ, ରାୟଗଡ଼ା, ଗଜପତି ଜିଲ୍ଳାରେ ଭୂସ୍ଖଳନ ହୋଇଥିଲା । ଗୋଟିଏ ପଟେ ଜଳବାୟୁ ପରିବର୍ତ୍ତନ  ହେଉଛି ଆଉ ଅନ୍ୟ ପଟେ ପ୍ରକୃତିକୁ ନଷ୍ଟ କରିବାରେ ବ୍ୟସ୍ତ ଅଛି ମଣିଷ ସମାଜ ।   ବିକାଶ ଆଳରେ କେଉଁଠି ପାହାଡ଼ ଉପରେ ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ  ହେଉଛି ତ ଆଉ କେଉଁଠି ଗମନାଗମନକୁ ସହଜ କରିବା ପାଇଁ ରାସ୍ତା ଓସାର ହୋଇଚାଲିଛି ।  ଦିନରାତି ପାହାଡ଼କୁ କାଟି ନୂଆ ନୂଆ ରାସ୍ତା ତିଆରି ହେଉଛି  ।  ଅନେକ ସ୍ଥାନରେ ପାହାଡ଼ ଭିତରେ ସୁଡ଼ଙ୍ଗ ବି ନିର୍ମାଣ କରାଯାଉଛି। ପାହାଡ଼ର ଉପରଭାଗରୁ ଗଛ କଟାଯାଉଛି ଓ ତଳ ଭାଗରୁ ମାଟି ଖନନ ହେଉଛି। ଏସବୁ କାରଣରୁ ଭୂସ୍ଖଳନ ହେଉଥିବା କହିଛନ୍ତି ଭୂତତ୍ତ୍ବବିତ୍ ।  ବେଳ ଥାଉ ଥାଉ ସଜାଗ ନହେଲେ ଓଡ଼ିଶାରେ ବି ସ୍ଥିତି ଉଦ୍‌ବେଗଜନକ ହୋଇପାରେ ବୋଲି ବିଶେଷଜ୍ଞ ଚେତାଇ ଦେଇଛନ୍ତି ।