କନକ ବ୍ୟୁରୋ : ହାତୀ ପରେ ଚିନ୍ତା ବଢାଇଛି ଭାଲୁ । କିଛି ଦିନ ହେବ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ କେରଜୁଳି ଗାଁରେ ବୁଲୁଛି ଭାଲୁ । ଭାଲୁକୁ ଟ୍ରାଙ୍କୁଲାଇଜ କରିବାରେ ବିଫଳ ହୋଇଛି ବନ ବିଭାଗ । ଭାଲୁକୁ ଟ୍ରାଙ୍କୁଲାଇଜ ପାଇଁ ପ୍ରେରଣ ହୋଇଥିବା ଇଂଜେକସନ୍ ଫରେଷ୍ଟରଙ୍କ ଦେହରେ ବାଜିବାରୁ ସେ ଗୁରୁତର ହୋଇଥିଲେ । ପ୍ରାୟ ୧୦ ଘଂଟା ପାଇଁ ଚେତାଶୂନ୍ୟ ହୋଇଥିଲେ । ଯଦିଓ ଫରେଷ୍ଟର ଦିପକ ସାହୁ ବର୍ତ୍ତମାନ ସୁସ୍ଥ ଅଛନ୍ତି କିନ୍ତୁ ଗ୍ରାମବାସୀ ଭୟଭୀତ ।

ହାତୀକୁ ନେଇ ଚର୍ଚ୍ଚାରେ ଥିବା ଢେଙ୍କାନାଳରେ ଏବେ ଭାଲୁ ମାତିଛି । ଭାଲୁକୁ ଧରିବାକୁ ଯାଇ ବନ ଅଧିକାରୀ ଟ୍ରାଙ୍କୁଲାଇଜ ହେବା ପରେ ଫେରିଯାଇଛି ବନ ବିଭାଗ । ମଙ୍ଗଳବାର ଭାଲୁକୁ ଟ୍ରାଙ୍କୁଲାଇଜ କରିବା ପାଇଁ ଉଦ୍ୟମ କରି ବିଫଳ ହୋଇଛି ବନ ବିଭାଗ । ଏପଟେ ଆହୁରି ଆକ୍ରମଣାତ୍ମକ ହୋଇଛି ଭାଲୁ । ବିଲ ମଝିରେ ରହୁଛି, ଲୋକଙ୍କୁ ଦେଖିବା କ୍ଷଣି ଗୋଡ଼ାଇ ଆସୁଛି । କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜରେ ଜନବସତି ମୁହାଁ ଭାଲୁ । ଘରୁ ବାହାରିବାକୁ ଡରୁଛନ୍ତି ଗ୍ରାମବାସୀ ।

ଟ୍ରାଙ୍କୁଲାଇଜ ଇଂଜେକସନରେ ଫରେଷ୍ଟର ଚେତାଶୂନ୍ୟ ହେବା ପରେ ଅପରେସନ ବିଅର ବନ୍ଦ ରହିଛି । ଏହାକୁ ନେଇ ବନବିଭାଗର କାର୍ୟ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଛି । ଭାଲୁକୁ ଟ୍ରାଙ୍କୁଲାଇଜ ପାଇଁ ଆସିଥିବା ବନ କର୍ମଚାରୀ ଟ୍ରାଙ୍କୁଲାଇଜ ଟ୍ରେନିଂ ନେଇଛନ୍ତି ତ ? ନିୟମ ଅନୁସାରେ, ଟ୍ରାଙ୍କୁଲାଇଜ୍ ସମୟରେ ସମ୍ପୃକ୍ତ ଅଂଚଳରୁ ଲୋକଙ୍କୁ ଖାଲି କରାଯାଏ । ଏଭଳି ନିୟମ ସତ୍ତ୍ୱେ ଫରେଷ୍ଟରଙ୍କ ଦେହରେ କେମିତି ବାଜିଲା ଟ୍ରାଙ୍କୁଲାଇଜ ଇଞ୍ଜେକସନ ? ତାର ତଦନ୍ତ ହେବାର ଆବଶ୍ୟକତା ରହିଛି ।

ଭାଲୁକୁ ଟ୍ରାଙ୍କୁଲାଇଜ ଫେଲ ମାରିବା ପରଠୁ ଗ୍ରାମବାସୀ ଭୟଭିତ ଅବସ୍ଥାରେ ରହୁଛନ୍ତି । ତୁରନ୍ତ ଭାଲୁ ଉଦ୍ଧାର କରି ସ୍ଥାନାନ୍ତର କରିବାକୁ ଦାବି ହୋଇଛି ।