କନକ ବ୍ୟୁରୋ : ଜନ୍ ବୋଲଟନ୍ ...ସେହି ବ୍ୟକ୍ତି, ଯିଏ ଦିନେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବେ ତାଙ୍କ ନୀତିକୁ ସମର୍ଥନ କରୁଥିଲେ । କିନ୍ତୁ ପରେ ତାଙ୍କ ବିରୋଧରେ ଖଣ୍ଡା ଉଠାଇଥିଲେ ଏବଂ ଜଣେ ପ୍ରମୁଖ ସମାଲୋଚକ ପାଲଟି ଗଲେ । ଭାରତ ଉପରେ ଅତ୍ୟଧିକ ଶୁଳ୍କ ଲଗାଯିବାର ସବୁଠାରୁ କଠୋର ସମାଲୋଚ ହେଲେ ଜନ୍ ବୋଲଟନ୍‌ । ତାଙ୍କ ଉପରେ ବର୍ତ୍ତମାନ ଟ୍ରମ୍ପଙ୍କ ଏଫବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବୋଲଟନ୍‌ଙ୍କ ଘର ଏବଂ କାର୍ଯ୍ୟାଳୟରେ ଶୁକ୍ରବାର ଏଫବିଆଇ ଚଢ଼ାଉ କରିଥିଲା ।

ବୋଲଟନ୍‌ଙ୍କ ଘରେ ଏଫବିଆଇ ଚଢ଼ାଉ

Advertisment

ଏଫବିଆଇ ଅଧିକାରୀମାନେ ଜନ୍ ବୋଲଟନ୍‌ଙ୍କ ମେରିଲ୍ୟାଣ୍ଡର ବେଥେସଡା ସ୍ଥିତ ଘରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ । ଏହି ଚଢ଼ାଉ ଏଫବିଆଇର ଭାରତୀୟ ବଂଶୋଦ୍ଭବ ନିର୍ଦ୍ଦେଶକ କାଶ ପଟେଲଙ୍କ ସିଧାସଳଖ ନିର୍ଦ୍ଦେଶରେ କରାଯାଇଥିଲା । ଚଢ଼ାଉର କିଛି ସମୟ ପରେ କାଶ ପଟେଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଥିଲେ - 'କେହି ବି ଆଇନଠାରୁ ଉର୍ଦ୍ଧ୍ୱରେ ନୁହଁନ୍ତି... ଏଫବିଆଇ ଏଜେଣ୍ଟମାନେ ନିଜ ମିସନରେ ଅଛନ୍ତି।' କାଶ ପଟେଲଙ୍କୁ ଟ୍ରମ୍ପଙ୍କର ଅତ୍ୟନ୍ତ ଘନିଷ୍ଠ ବୋଲି ବିବେଚନା କରାଯାଏ ।

ଏହି ଚଢ଼ାଉ କେଉଁ କାରଣରୁ କରାଯାଇଛି, ତାହା ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କୁହାଯାଇନାହିଁ । କିନ୍ତୁ ଘଟଣାକ୍ରମ ବିଷୟରେ ଅବଗତ ଜାତୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ, ଏହି ମାମଲା ଗୋପନୀୟ ଦସ୍ତାବିଜର ଭୁଲ୍ ବ୍ୟବହାର ଅଭିଯୋଗ ସହ ଜଡ଼ିତ।

ଜନ୍ ବୋଲଟନ୍ କିଏ ?
•    ଜନ୍ ବୋଲଟନ୍‌ଙ୍କ ପୂରା ନାମ ହେଉଛି ଜନ୍ ରବର୍ଟ ବୋଲଟନ୍ ।
•    ୟେଲ୍ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପରେ ସେ ଆଇନ ଅଧ୍ୟୟନ କରିଥିଲେ ।
•    ୨୦୧୮-୧୯ ମଧ୍ୟରେ ରାଷ୍ଟ୍ରପତି ଟ୍ରମ୍ପଙ୍କର ୧୭ ମାସ ପାଇଁ ଜାତୀୟ ସୁରକ୍ଷା ପରାମର୍ଶଦାତା ଥିଲେ ।
•    ଜର୍ଜ ବୁଶଙ୍କ ସମୟରେ ୨୦୦୫-୦୬ରେ ସେ ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ଥିଲେ ।
•    ବୁଶଙ୍କ ସମୟରେ ସେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।
•    ଜନ୍ ବୋଲଟନ୍ ସହକାରୀ ଆଟର୍ଣ୍ଣି ଜେନେରାଲ୍ ମଧ୍ୟ ରହିସାରିଛନ୍ତି ।

ବୋଲଟନ୍‌ଙ୍କ ଉପରେ ଟ୍ରମ୍ପ୍ ଏତେ କ୍ରୋଧିତ କାହିଁକି?

ଜନ୍ ବୋଲଟନ୍‌ଙ୍କୁ ବୈଦେଶିକ ବ୍ୟାପାରର ବିଶେଷଜ୍ଞ ଭାବେ ବିବେଚନା କରାଯାଏ । ଟ୍ରମ୍ପ ସରକାରରେ ଇରାନ, ଉତ୍ତର କୋରିଆ, ଆଫଗାନିସ୍ତାନ ଭଳି ଅନେକ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ସହ ତାଙ୍କର ମତଭେଦ ଚର୍ଚ୍ଚାରେ ରହିଥିଲା । ଜନ୍ ବୋଲଟନ୍ ଗୋଟିଏ ପୁସ୍ତକ ଲେଖିଥିଲେ, ଯାହାକୁ ଟ୍ରମ୍ପ ପ୍ରଶାସନ ଗୋପନୀୟ ସୂଚନା ଥିବା କହି ଅଟକାଇବାକୁ ଚେଷ୍ଟା କରିଥିଲା ।

ଏହି ପୁସ୍ତକକୁ ନେଇ ବୋଲଟନ୍‌ଙ୍କ ବିରୋଧରେ ମକଦ୍ଦମା ମଧ୍ୟ ଚାଲିଥିଲା, କିନ୍ତୁ ୨୦୨୧ରେ ଏହି ମାମଲା ବନ୍ଦ କରି ଦିଆଯାଇଥିଲା । ବୋଲଟନ୍‌ଙ୍କ ପୁସ୍ତକ 'The Room Where It Happened'ରେ ଲେଖାଥିଲା ଯେ ଟ୍ରମ୍ପଙ୍କର ବୈଦେଶିକ ନୀତି ବିଷୟରେ ଆଦୌ ଜ୍ଞାନ ନାହିଁ । ସେ ନିଜେ ଜାଣି ନାହାନ୍ତି ଯେ ସେ ହ୍ୱାଇଟ୍ ହାଉସକୁ କିପରି ଚଳାଉଛନ୍ତି । ସେ ହ୍ୱାଇଟ୍ ହାଉସରେ ଷଡ଼୍‌ଯନ୍ତ୍ର ରଚାଯାଉଥିବା ଅଭିଯୋଗ ମଧ୍ୟ କରିଥିଲେ ।

ଏହା ଉପରେ ଟ୍ରମ୍ପ, ବୋଲଟନ୍‌ଙ୍କୁ ଯୁଦ୍ଧ କରାଇବାକୁ ଚାହୁଥିବା ଜଣେ ପାଗଳ ବୋଲି କହିଥିଲେ ଏବଂ କହିଥିଲେ ଯେ ଯଦି ତାଙ୍କ କଥା ଚାଲିବ, ତେବେ ସେ ଷଷ୍ଠ ବିଶ୍ୱଯୁଦ୍ଧ କରାଇଦେବେ । ଟ୍ରମ୍ପ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ମାତ୍ରେ ବୋଲଟନ୍‌ଙ୍କ ସୁରକ୍ଷା ବ୍ୟବସ୍ଥାକୁ ରଦ୍ଦ କରିଦେଇଥିଲେ, ଏହା ଜାଣିବା ସତ୍ତ୍ୱେ ଯେ ଇରାନ ତାଙ୍କୁ ହତ୍ୟା କରିବାକୁ ଷଡ଼୍‌ଯନ୍ତ୍ର କରୁଛି ।

ଭାରତ ଉପରେ ଶୁଳ୍କର କଠୋର ସମାଲୋଚକ

ସାମ୍ପ୍ରତିକ ଶୁଳ୍କକୁ ନେଇ ବୋଲଟନ୍ କଠୋର ସମାଲୋଚନା କରୁଥିଲେ । ସେ ଟ୍ରମ୍ପଙ୍କୁ ପଥଭ୍ରଷ୍ଟ ରାଷ୍ଟ୍ରପତି ବୋଲି ମଧ୍ୟ କହିଥିଲେ । ଟ୍ରମ୍ପ ସରକାରଙ୍କ ଉପରେ ଭାରତ ସହ ପାତରଅନ୍ତର କରୁଥିବା ଅଭିଯୋଗ ଆଣିଥିଲେ ଏବଂ କହିଥିଲେ ଯେ ଋଷରୁ ସବୁଠାରୁ ଅଧିକ ତେଲ କିଣୁଥିବା ଚୀନ୍‌କୁ ଛାଡ଼ି ଦିଆଯାଉଛି, କିନ୍ତୁ ଭାରତକୁ ଟାର୍ଗେଟ କରାଯାଉଛି । ଏହାଦ୍ୱାରା ଦ୍ୱିପାକ୍ଷିକ ସମ୍ପର୍କ ଏକ ଅତ୍ୟନ୍ତ ଖରାପ ପର୍ଯ୍ୟାୟରେ ପହଞ୍ଚିଛି । ଏହା ଟ୍ରମ୍ପ ସରକାରଙ୍କର ଏକ ବଡ଼ ଭୁଲ୍ ବୋଲି ପ୍ରମାଣିତ ହୋଇପାରେ ।