କନକ ବ୍ୟୁରୋ : କୋଇଡା ପଡିଆ ଠାରେ ଚାଲିଥିଲା ଯାତ୍ରା । ମଂଚସ୍ଥ ହେଉଥିଲା ସ୍ୱପ୍ନ ମହଲର ନୂଆ ନାଟକ ‘ଚକା ଆଖି ମୋ ଶେଷ ସାକ୍ଷୀ’। ଆଉ ସେତିକି ବେଳେ ଆସିଥିଲା ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀଙ୍କ ପିତୃ ବିୟୋଗ ଖବର । ନାଟକଟି ଆରମ୍ଭ ହୋଇଯାଇଥିବାରୁ ବାପାଙ୍କୁ ହରାଇବାର ଦୁଃଖକୁ ନିଜ ଭିତରେ ଲୁଚାଇ ମୁହଁରେ ରଙ୍ଗମାଖି ଅଭିନୟ କରିଥିଲେ ଅଭିନେତ୍ରୀ । କାରଣ କଳାକରଙ୍କ ପାଇଁ ଦର୍ଶକ ହେଉଛନ୍ତି ଭଗବାନ । ଅଭିନୟ ସମୟରେ ଆଖିରୁ ଲୁହ ବହୁଥାଏ, କିନ୍ତୁ ଅଭିନୟରେ କିଛି କମି ନଥାଏ । 

ପ୍ରଥମ ଥର ନାଟକଟି ପରିବେଶଣ ହେଉଥିବାରୁ ନାଟ୍ୟକାର, ନିର୍ଦ୍ଦେଶକ ଓ ଲେଖକଙ୍କ ସହ ଶହଶହ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତା । ରାତି ବଢ଼ିବା ସହ ଗୋଟିଏ ପରେ ଗୋଟିଏ ସିନ୍ ଓ ସଂଳାପ ଆଗକୁ ବଢ଼ି ଚାଲିଥାଏ । ମୁଖ୍ୟ ଭୂମିକାରେ ଥାଆନ୍ତି ଅଭିନେତ୍ରୀ ଟିକିନା ସ୍ୱାଇଁ । ଯାତ୍ରା ଚାଲିଥିବା ବେଳେ ଅଭିନେତ୍ରୀଙ୍କ ସ୍ୱାମୀ ସୁଭେନ୍ଦୁ ଚୌଧୁରୀଙ୍କ ପାଖକୁ ଆସିଥିଲା ଫୋନ କଲ । ଆଉ ଧର୍ମ ସଙ୍କଟରେ ପଡିଯାଇଥିଲେ ଜ୍ୱାଇଁ । ସଙ୍ଗେସଙ୍ଗେ ଅଭିନେତ୍ରୀଙ୍କୁ କିଛି କହିନଥିଲେ, ପରେ ଟିକିଏ ଫୁରୁସତ୍ ଦେଖି ଜଣାଇଥିଲେ ଏହି ଦୁଃଖଦ ଖବର । ଏକଥା ଶୁଣି ଟିକିନାଙ୍କ ପାଦତଳୁ ମାଟି ଖସିଯାଇଥିଲା । କିନ୍ତୁ ଦର୍ଶକଙ୍କ ମନୋରଂଜନ ପାଇଁ  ନିଜ ଦୁଃଖକୁ ନିଜ ଭିତରେ ରଖି, ଛଳଛଳ ଆଖିରେ କରିଥିଲେ ଅଭିନୟ ।

ନାଟକରେ ଅଭିନୟର ମିଛ ଲୁହ ସ୍ଥାନରେ ଥିଲା ସତସତିକା ଲୁହ, କିନ୍ତୁ କାହାରିକୁ ଜାଣିବାକୁ ଦେଲେ ନାହିଁ, ନିଜ ଲୁହକୁ ନିଜେ ପିଇଗଲେ ଅଭିନେତ୍ରୀ ଟିକିନା । ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ନାଟକକର ନିର୍ଦ୍ଦେଶକ, ନାଟ୍ୟକାର, ସାଥୀ କଳାକାର ।