କନକ ବ୍ୟୁରୋ: ଲୋଭ ମଣିଷକୁ କେଉଁ ସ୍ତରକୁ ନେଇଯାଏ, ତାହାର ଏକ ଉଦାହରଣ ଦିଲ୍ଲୀରେ ଦେଖିବାକୁ ମିଳିଛି । ଦିଲ୍ଲୀ ନଜଫଗଡରେ ଚମକାଇଦେଲା ଭଳି ଘଟଣା ଘଟିଛି । ଏଠାରେ ଜଣେ ବ୍ୟକ୍ତି କୋଟିଏ ଟଙ୍କାର ଇନସ୍ୟୁରାନ୍ସ କ୍ଲେମ ପାଇଁ ନିଜ ପୁଅର ମୃତ୍ୟୁ ଡ୍ରାମା ରଚିବା ସହ ତା’ର ଦଶାହ ମଧ୍ୟ ସାରିଦେଇଛନ୍ତି । ହେଲେ ଘଟଣାକ୍ରମରେ ପୋଲିସକୁ ସନ୍ଦେହ ହେବାରୁ ଏହାର ଯାଞ୍ଚ ହୋଇଥିଲା, ଆଉ ମାଟି ଖୋଳୁ ଖୋଳୁ ମହାଦେବ ବାହାରିବା ପରି ସତ ଜଣାପଡିଥିଲା ।
ସୂଚନା ମୁତାବକ, ପ୍ରଥମେ ବାପା ପୁଅ ନାଁରେ କୋଟିଏ ଟଙ୍କାର ଲାଇଫ୍ ଇନସ୍ୟୁରାନ୍ସ କରାଇଥିଲେ । ଏହାପରେ ମାର୍ଚ୍ଚ ୫ ତାରିଖ ରାତିରେ ପୁଅର ଦୁର୍ଘଟଣା କାହାଣୀ ରଚିଲେ । ତାଙ୍କ କହିବା ଅନୁସାରେ, ପୁଅ ଗଗନର ଦୁର୍ଘଟଣା ନଜଫଗଡ ନିକଟରେ ହେଲା, ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା ସେଠାରୁ ତାଙ୍କୁ ବଡ ହସ୍ପିଟାଲକୁ ରେଫର କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଖାଲି ଏତିକି ନୁହେଁ ଘରେ ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟାର ଡ୍ରାମା କରିବା ସହ ପୁଅ ପାଇଁ ଶୁଦ୍ଧି ହେବା ସହ ଏକାଦଶାହ ମଧ୍ୟ ପାଳିଲେ ।
ଏହାର କିଛି ଦିନ ପରେ ପୁଅ ନାଁରେ କରିଥିବା ଇନସ୍ୟୁରାନ୍ସ କ୍ଲେମ କରିବାରୁ ଇନସ୍ୟୁରାନ୍ସ କମ୍ପାନୀ ପକ୍ଷରୁ ଜଣେ ଅଧିକାରୀ ଦୁର୍ଘଟଣା ଘଟିଥିବା ଅଞ୍ଚଳ ଅନ୍ତର୍ଗତ ଥାନାକୁ କିଛି ତଥ୍ୟ ହାସଲ କରିବାକୁ ଯାଇଥିଲେ । ହେଲେ ସେଠାରେ ସେଭଳି କୌଣସି ଦୁର୍ଘଟଣା ଘଟିନାହିଁ କି ଗଗନ ନାଁରେ କାହାର ମୃତ୍ୟୁ ହୋଇନାହିଁ ବୋଲି କହିଥିଲା ପୋଲିସ । ହେଲେ ଏହି ଘଟଣାରେ ପୋଲିସର ସନ୍ଦେହ ହେବାରେ ନିଜ ଆଡୁ ମାଲା ଦାଏର କରି ଯାଞ୍ଚ ଆରମ୍ଭ କରିଥିଲା ପୋଲିସ । ଗଗନଙ୍କ ବାପାଙ୍କ କହିବା ଅନୁସାରେ, ହସ୍ପିଟାଲକୁ ଯାଇ ଯାଞ୍ଚ କରିବା ପରେ ଏଭଳି ନାଁରେ କାହାରି ମୃତ୍ୟୁ ହୋଇନାହିଁ ବୋଲି କହିଥିଲେ ମେଡିକାଲ କର୍ତ୍ତପକ୍ଷ । ସେଥିରୁ ପୋଲିସ ସନ୍ଦେହ ଦୃଢିଭୁତ ହେବାରୁ ଗଗନଙ୍କ ଘରକୁ ଯାଇ ତାଙ୍କ ବାପାଙ୍କୁ ଜେରା କରିଥିଲା ପୋଲିସ । ଆଉ କଡା ଜେରାରେ ସତ ମାନିଥିଲେ ବାପା ଆଉ ପୁଅ ଗଗନ । ଏଥିରେ ଓକିଲଙ୍କର ବି ହାତ ଥିବା କଥା କହିଥିଲେ । ଏ ଘଟଣାରେ ପୋଲିସ ଯାଞ୍ଚକୁ ତ୍ବରାନ୍ବିତ କରୁଛି ।