କନକ ନ୍ୟୁଜ୍ : ମନ ଭିତରୁ ମାନବିକତାକୁ ମାରି ସାରିଲାଣି ମଣିଷ । ଟଙ୍କା ଲୋଭ ଯେମିତି ସମସ୍ତଙ୍କୁ ସଇତାନ ସଜାଇ ସାରିଲାଣି । ଯେଉଁଥିପାଇଁ ବାପା ପୁଅର ସଂପର୍କକୁ ବି ଭୁଲିଯାଉଛି ମଣିଷ । ଯୌତୁକ ଲୋଭୀ ସ୍ବାମୀ କେମିତି ହିତାହିତ ଜ୍ଞାନ ଭୁଲି ସ୍ତ୍ରୀକୁ ମାରପିଟ୍ କରିବା ସହ ୮ ମାସର ପୁଅକୁ ଓଲଟା ଲଟକାଇ ପୂରା ଗାଁ ବୁଲାଇଲା ତାହାର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଉତ୍ତରପ୍ରଦେଶର ରାମପୁରରେ ଜଣେ ପିତା କ୍ରୁରତାର ସବୁ ସୀମା ପାର୍ କରିଛନ୍ତି । ପତ୍ନୀ ବାପା ଘରୁ ଯୌତୁକ ଆଣିଲେନି ବୋଲି ନିଜର କୁନିପୁଅକୁ ଓଲଟା ଲଟକାଇ ପୂରା ଗାଁ ବୁଲାଇଲା ସଇତାନ ବାପା । ସ୍ତ୍ରୀ ସହ ଝଗଡ଼ା କରି ବାପା ଏଭଳି ଚରମ ପଦକ୍ଷେପ ଉଠାଇଥିଲା । ଏନେଇ ପତ୍ନୀ ବିରୋଧ କରିଥିଲେ ମଧ୍ୟ ତାଙ୍କ ସହ ମାରପିଟ କରିଥିଲା ସ୍ବାମୀ । ଘଟଣାଟି ସାମ୍ନାକୁ ଆସିବା ପରେ କ୍ରୁର ବାପାକୁ ଗିରଫ କରିଛି ପୁଲିସ ।
ଉତ୍ତରପ୍ରଦେଶ ମିଲକଖାନମ ଅଞ୍ଚଳର ଯୁବତୀ ସୁମନଙ୍କ ସହ ଦେଢ଼ ବର୍ଷ ତଳେ କରନପୁର ନିବାସୀ ସଞ୍ଜୁଙ୍କ ବିବାହ ହୋଇଥିଲା । ବିବାହ ପରେ ପତ୍ନୀଙ୍କୁ ଯୌତୁକ ପାଇଁ ବାରମ୍ବାର ପ୍ରତାଡ଼ିତ କରୁଥିଲେ ସଞ୍ଜୁ । ପ୍ରତିଦିନ ମାରପିଟ କାରଣରୁ ସୁମନ ପରିବାରକୁ ଡକାଇଥିଲେ ଯେଉଁଥିରେ ଚିଡ଼ିଯାଇ ପତ୍ନୀକୁ ଧକ୍କା ମାରିବା ସହ ସଞ୍ଜୁ ୮ ମାସର ପୁଅର ଗୋଡ଼କୁ ଧରି ପୂରା ଗାଁ ବୁଲାଇଥିଲେ । ଟଙ୍କାର ଲୋଭ ସଇତାନ ବାପାକୁ ଏମିତି ବାଇଆ କରିଥିଲା ଯେ କଅଁଳ ପିଲାର କାନ୍ଦ ତା’ କାନରେ ପଡୁନଥିଲା । ଗାଁ ଲୋକ ଏବଂ ପରିବାର ଯେତେ ଚେଷ୍ଟା କଲେ ମଧ୍ୟ ସଞ୍ଜୁ ପୁଅକୁ ଛାଡୁନଥିଲା କିନ୍ତୁ ଅଧଘଣ୍ଟା ପରେ ଯେଣତେଣ ଭାବେ ପୁଅକୁ ପରିବାର ଲୋକ ବାପାଠାରୁ ଛଡ଼ାଇ ଆଣିଥିଲେ । ନାତି ଏବଂ ଝିଅର ଏଭଳି ଅବସ୍ଥା ଦେଖି ସୁମନଙ୍କ ବାପା ଦୁହିଁଙ୍କୁ ଘରକୁ ନେଇଗଲେ । ଏହାର ଭିଡିଓ ଜଣେ ଗ୍ରାମବାସୀ ସୋସିଆଲ୍ ମିଡିଆରେ ଭାଇରାଲ୍ କରିବା ସହ ପୁଲିସକୁ ମଧ୍ୟ ଟ୍ୟାଗ୍ କରିଦେଲେ । ଯେଉଁ ଆଧାରରେ ପୁଲିସ ବର୍ତ୍ତମାନ ସଞ୍ଜୁକୁ ଗିରଫ କରିବାରେ ସଫଳ ହୋଇଛି । ତେବେ ଅଧିକ ସମୟ ପବନରେ ଝୁଲିବା କାରଣରୁ କୁନିପୁଅର ସ୍ବାସ୍ଥ୍ୟ ଖରାପ ଥିବା ଜଣାପଡ଼ିଛି ।