କନକ ବ୍ୟୁରୋ: ବାଲେଶ୍ବର ଏଫଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ରାଜନୀତି ତେଜିବା ପରେ ବଡ଼ ବୟାନ ରଖିଛନ୍ତି ସୌମ୍ୟାଶ୍ରୀଙ୍କ ବାପା । ଘଟଣାକୁ ରାଜନୀତିକରଣ ନକରିବାକୁ ସେ ଅନୁରୋଧ କରିଛନ୍ତି। ଆଉ କହିଛନ୍ତି, ମୋ ଝିଅ ଚାଲିଯାଇଛି । ତେଣୁ ତାକୁ ନେଇ ଆଉ ରାଜନୀତି କରାନଯାଉ । ସରକାର ଘଟଣାକୁ ନେଇ ସମ୍ବେଦନଶୀଳ ଅଛନ୍ତି । ଆମର କିଛି ଦାବି ମଧ୍ୟ ପୂରଣ କରିଛନ୍ତି । ତେବେ ଆଉ କିଛି ଦାବି ପୂରଣ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି । ଗତକାଲି ରାଷ୍ଟ୍ରପତି ୧୦ ମିନିଟ୍‌ ମୋ ସହ ଆଲୋଚନା କରିଥିଲେ। ଝିଅ ବଞ୍ଚିବା ପାଇଁ ସେ ପ୍ରାର୍ଥନା କରିଥିଲେ । କିନ୍ତୁ ମୋ ଝିଅ ବଞ୍ଚିପାରିଲା ନାହିଁ । ନ୍ୟାୟ ନପାଇବା ପର୍ଯ୍ୟନ୍ତ ମୁଁ ଲଢ଼େଇ ଜାରି ରଖିବି ବୋଲି କହିଛନ୍ତି ସୌମ୍ୟାଶ୍ରୀଙ୍କ ବାପା । 

Advertisment

ଫକିର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଘଟଣାସ୍ଥଳରେ ପୂର୍ବାଞ୍ଚଳ ଡିଆଇଜିଙ୍କ ସହ ସାଇନଣ୍ଟିଫିକ୍ ଟିମ୍ ପ୍ରାୟ ଏକ ଘଣ୍ଟା ଧରି ତଦନ୍ତ କରିଥିଲେ । ଯେଉଁ ସ୍ଥାନରେ ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମାହୁତି କରିଥିଲେ ସେହି ସ୍ଥାନରେ ବୁଲି ବୁଲି ତଦନ୍ତ କରି ଫେରିଛନ୍ତି ବାଲେଶ୍ବର ଡିଆଇଜି ସତ୍ୟଜିତ ନାୟକ । ତାଙ୍କ ପ୍ରତିକ୍ରିୟାରେ ସେ କହିଛନ୍ତି ଏହି ଘଟଣାରେ ନିରପେକ୍ଷ ତଦନ୍ତ ଚାଲିଛି ତଦନ୍ତ ରିପୋର୍ଟ ଆସିଲେ ଆମେ ଜଣାଇବୁ ।