କନକ ବ୍ୟୁରୋ : ନିବାସ ପ୍ରମାଣପତ୍ର (Residence Certificate) ତିଆରି କରିବା ପାଇଁ ଲୋକ ବିଭିନ୍ନ ପ୍ରକାର ଅଜବ ଗଜବ ଆଇଡିଆ ବାହାର କରୁଛନ୍ତି । ବିହାରରେ ତ ଯେମିତି ଏହା ଥମିବାର ନାଁ ନେଉନି । ତେବେ ମୁଜାଫରପୁରରେ ନକଲି ଆବାସିକ ପ୍ରମାଣପତ୍ର ପ୍ରସ୍ତୁତ କରିବାର ଅଜବ ମାମଲା ସାମ୍ନାକୁ ଆସୁଛି । ବର୍ତ୍ତମାନ ଏକ ନିବାସ ପ୍ରମାଣପତ୍ର ତିଆରି କରିବା ପାଇଁ ଅନଲାଇନ୍ ଆବେଦନ ଆସିଛି ଯେଉଁଥିରେ ବାପାଙ୍କ ନାଁ ରାକ୍ଷସ ଲେଖାଯାଇଛି । ସେହିପରି ମାଆଙ୍କ ନାଁ କରପ୍ସନ୍ (Corruption) ଲେଖାଯାଇଛି ଏବଂ ଗାଁ ଖେତଲପୁର, ପୋଷ୍ଟ ଶାହି ମୀନାପୁର, ବ୍ଲକ ଓରାଇ, ଜିଲ୍ଲା ମୁଜାଫରପୁର ବୋଲି ଦର୍ଶାଯାଇଛି । ଏହି ଆବେଦନ ଜୁଲାଇ ୨୪ ତାରିଖରେ ମୁଜାଫରପୁରରେ କରାଯାଇଥିବା ବେଳେ ଅନଲାଇନ୍ ଆବେଦନ ସମୟରେ ଫଟୋ ଜାଗାରେ କାର୍ଟୁନ୍ ଫଟୋ ଅପଲୋଡ୍ କରାଯାଇଛି । ତେବେ ଏହି ମାମଲା ସାମ୍ନାକୁ ଆସିବା ପରେ ଓରାଇ ବ୍ଲକର ଅଞ୍ଚଳ ଅଧିକାରୀ ଗୌତମ କୁମାର ସୋମବାର ଦିନ ଥାନାରେ ଏକ ଅଜ୍ଞାତ ବ୍ୟକ୍ତିଙ୍କ ବିରୁଦ୍ଧରେ ଏଫଆଇଆର୍ (FIR) ଦାଖଲ କରିଛନ୍ତି ।

Advertisment

ଗୌତମ କୁମାର କହିଛନ୍ତି ଯେ ଏହିଭଳି କାମ କରି ବିହାର ସରକାରଙ୍କ ଛବିକୁ ମଧ୍ୟ ଖରାପ କରିବାକୁ ଚେଷ୍ଟା କରାଯାଉଛି । ଓରାଇ ଥାନାଧ୍ୟକ୍ଷ ରାଜା ସିଂ କହିଛନ୍ତି ଯେ ଅଜ୍ଞାତ ଲୋକ ବିରୁଦ୍ଧରେ ଏଫଆଇଆର୍ ଦାଖଲ କରାଯାଇ ତଦନ୍ତ କରାଯାଉଛି । ୨୯ ଜୁଲାଇରେ ମୁଜାଫରପୁରର ସରୈୟାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନାଁରେ ଆବାସିକ ପ୍ରମାଣପତ୍ର ତିଆରି କରିବା ପାଇଁ ଆବେଦନ କରାଯାଇଥିଲା । ସରୈୟା ଅଞ୍ଚଳର ରାଜସ୍ୱ ଅଧିକାରୀ ଅଭିଷେକ ସିଂ ଏହି ମାମଲାରେ କେସ୍ ଦାଖଲ କରିଥିଲେ ।

ଏହିଭଳି ଅନେକ ମାମଲା ଏପର୍ଯ୍ୟନ୍ତ ସାମ୍ନାକୁ ଆସିସାରିଛି । ରବିବାର ଦିନ ମଧ୍ୟ ଅନେକ ଅଲଗା ଅଲଗା ନାଁରେ ନିବାସ ପ୍ରମାଣପତ୍ର ତିଆରି କରିବା ପାଇଁ ଆବେଦନ ଦିଆଯାଇଥିଲା । ରାଜ୍ୟରେ ଅଲଗା ଅଲଗା ଅଞ୍ଚଳ କାର୍ଯ୍ୟାଳୟରେ କେବେ ଡଗ୍ ବାବୁ ତ କେବେ ଡଗେଶ ବାବୁ, କେବେ Kkkkkkk, କେବେ bbbbb, କେବେ ସୋନାଲିକା କୁମାରୀ ତ କେବେ ସାମସଙ୍ଗ ଏବଂ ବ୍ଲୁଟୁଥ୍ ନାଁରେ ଆବାସ ପ୍ରମାଣପତ୍ର ତିଆରି ପାଇଁ ଆବେଦନ ଆରଟିପିଏସ୍ (RTPS) ମାଧ୍ୟମରେ କରାଯାଇଥିଲା । ଯଦିଓ ଏହି ସମସ୍ତ ମାମଲା ସାମ୍ନାକୁ ଆସିବା ପରେ ତତ୍କାଳୀନ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଥିଲା ।