କନକ ବ୍ୟୁରୋ: ଦ୍ବିତୀୟ ବିବାହ ନିଶା ବାପାକୁ କରିଦେଲା ପିଶାଚ। ଜନ୍ମଦାତା ଭୁଲିଗଲା ପୁତ୍ରମୋହ, ଗାମୁଛାରେ ଦୁଇ ନାବାଳକ ପୁଅଙ୍କ ତଣ୍ଟି ଚିପି କଲା ହତ୍ୟା, ବୀଭତ୍ସ କାଣ୍ଡରେ ସହଯୋଗୀ ସାଜିଥିଲା ଜେଜେମା। ନୟାଗଡ ଭାପୁରରେ ୨ଶିଶୁଙ୍କ ମୃତ୍ୟୁ ପଛର ସାଂଘାତିକ ସତ ସାମ୍ନାକୁ ଆସିଥିବା ବେଳେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ୍। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନାର ଦ୍ବାରସ୍ଥ ହେଲେ ମୃତ ନାବାଳକ ଦ୍ବୟଙ୍କ ସମ୍ପର୍କୀୟ।
ବାପା...ଭବିଷ୍ୟତ ପାଇଁ ପ୍ରେରଣା, ବିଶ୍ବାସ ଆଉ ଭରସାର ଅନ୍ୟ ଏକ ନାଁ। କୁହାଯାଏ ବାପା ଥିଲା ପୁଅ ସଭାରେ ହାରେନା, ମା ଥିଲା ପୁଅ ଦୁନିଆ ଡରେନା। ଜନ୍ମକଲା ମା’ ଅଢେଇ ବର୍ଷ ତଳେ ଆରପାରିକୁ ଚାଲିଯାଇଥିଲା। ଦୁଃଖକୁ ଆଦରି ନେଇ ବାପାଙ୍କ ସାହାରାରେ ବଞ୍ଚିବାକୁ ଆଶା ବାନ୍ଧିଥିଲେ ଦୁଇ ପୁଅ। ହେଲେ ଦ୍ବିତୀୟ ବିବାହ ବାଟରେ କଣ୍ଟା ହେବାରୁ ଜନ୍ମକଲା ପୁଅଙ୍କୁ ସୈତାନ ବାପା ଯେ ମାରିଦେଇପାରେ, ଏହା ଅବିଶ୍ବାସ ଲାଗୁଥାଇପାରେ। ହେଲେ ନୟାଗଡ ଭାପୁରରେ ୨ଶିଶୁଙ୍କ ମୃତ୍ୟୁ ପଛର କିଛି ସାଂଘାତିକ ସତ ଆସିଛି ସାମ୍ନାକୁ, ଖୋଲିଛି ପୁତ୍ରହନ୍ତା ବାପା ଓ ଜେଜେମାର ଅସଲ ମୁଖା। ଘଟଣାରେ ଉଭୟଙ୍କୁ ଗିରଫ କରି ଅନ୍ୟ ସହଯୋଗୀଙ୍କୁ ଖୋଜୁଛି ନୟାଗଡ଼ ପୁଲିସ୍।
ନୟାଗଡ଼ ଭାପୁର ଧାନଚାଙ୍ଗଡ଼ା ଗାଁର ପ୍ରକାଶ ମହାନ୍ତି ୧୫ ବର୍ଷ ତଳେ ବିବାହ କରିଥଲେ। ବଡ଼ ପୁଅର ବୟସ ୧୪ ଓ ସାନ ପୁଅକୁ ହୋଇଥିଲା ମାତ୍ର ୧୧ ବର୍ଷ। ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ଦ୍ବିତୀୟ ବିବାହ ପାଇଁ ମନ ବଳାଇଥିଲେ ପ୍ରକାଶ, ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଦୁଇ ପୁଅ। ପୂର୍ବ ଯୋଜନା ମୁତାବକ ୯ ତାରିଖ ରାତିରେ ବେକରେ ଗାମୁଛା ଚାପି ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲା ବାପା, ଆଉ ଏହି ହତ୍ୟାକାଣ୍ଡରେ ସହଯୋଗ କରିଥିଲା ଜେଜେ ମା।
ତଦନ୍ତ ପରେ ସତ ସାମ୍ନାକୁ ଆସିଛି, ଗିରଫ ହୋଇଛନ୍ତି ବାପା ଓ ଜେଜେମା। ସେପଟେ ମୃତ ଦୁଇ ଶିଶୁଙ୍କ ମାମୁଁ ଓ ପରିବାର ଲୋକେ ଏସପିଙ୍କୁ ଭେଟି ଘଟଣାରେ ସମ୍ପୃକ୍ତି ଥିବା ଅନ୍ୟ ମାନଙ୍କୁ ଗିରଫ ପାଇଁ ଦାବି କରିଛନ୍ତି।