କନକ ବ୍ୟୁରୋ: ଚାଷୀ ପରିବାରର ପୁଅ ହୋଇଥବାରୁ କ୍ଷେତରେ ସେ କରୁଥିଲେ କ୍ରିକେଟ ପ୍ରାକ୍ଟିସ । ଆଉ ତାପରେ ତାଙ୍କ ସଂଘର୍ଷ ତାଙ୍କୁ ଏତେ ସଫଳତା ଦେଇଥିଲା ଯେ ସେ ସିଧା କ୍ଷେତରୁ କ୍ରିକେଟ ମୈଦାନରେ ପହଞ୍ଚିଯାଇଥିଲେ । ଆଉ ଭାରତୀୟ ଟିମର ଅଧିନାୟକ ହୋଇପାରିଛନ୍ତି । ଆମେ କହୁଛୁ ଭାରତୀୟ ଟେଷ୍ଟ ଅଧିନାୟକ ଶୁବମନ ଗିଲଙ୍କ କଥା । ଗିଲ ଏମିତି ଜଣେ କ୍ରିକେଟର ଯିଏ କମ ବୟସରେ ବଡ଼ ଉପଲବ୍ଧି ହାସଲ କରିଛନ୍ତି । ୨୦ ବର୍ଷ ହୋଇଥିବା ବେଳେ ଦଳ ପାଇଁ ଡେବ୍ୟୁ କରିଥିଲେ । ମାତ୍ର ୫ ବର୍ଷ ଭିତରେ ଦଳ ପାଇଁ ଖେଳି ଅନେକ ରେକର୍ଡ କରିଛନ୍ତି । ଆଜି ଏହି ଯୁବ, ପ୍ରତିଭାବନ କ୍ରିକେଟରଙ୍କ ଜନ୍ମ ଦିନ । ଆଜି ୨୬ ବର୍ଷରେ ପହଞ୍ଚିଛନ୍ତି ଏହି ଭାରତୀୟ କ୍ରିକେଟର । 

Advertisment

୮ ସେପ୍ଟେମ୍ୱର ୧୯୯୯ ମସିହା ପଞ୍ଜାବର ଫାଜିଲକା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ଶୁବମନ ଗିଲ । ତାଙ୍କ ପରିବାର ଆରମ୍ଭରୁ ଚାଷ କାମ ସହ ଜଡ଼ିତ ଥିଲେ । ମାତ୍ର ୩ ବର୍ଷ ବୟସରେ ଶୁବମନ କ୍ଷେତରେ ବ୍ୟାଟ ଧରି ଖେଳିବା ଆରମ୍ଭ କରିଥିଲେ । କ୍ରିକେଟ ପ୍ରତି ତାଙ୍କର ଆଗ୍ରହ ପିଲାବେଳୁ ଦେଖିବାକୁ ମିଳିଥିଲା । ତାଙ୍କ ବାପା ଲଖବିନ୍ଦର ସିଂ ତାଙ୍କ ପ୍ରତିଭାକୁ ଚିହ୍ନି ପାରିଥିଲେ । ତେଣୁ ତାଙ୍କୁ ବଲ ପକାଇ ଉତ୍ସାହିତ କରିଥିଲେ । ଏହି ପ୍ରାରମ୍ଭିକ ସଂଘର୍ଷ ଶୁବମନଙ୍କ କ୍ୟାରିୟରରେ ମୂଳଦୁଆ ପକାଇଥିଲା । 

ଶୁବମନଙ୍କ ପାଇଁ ତାଙ୍କ ବାପା ଫାଜିଲକାରୁ ମୋହାଲି ସ୍ଥାନାନ୍ତର ହୋଇଥିଲେ । ସେ ଯେପରି ଭଲ ତାଲିମ ନେଇପାରିବେ ସେଥିପାଇଁ ସେ ପଞ୍ଜାବ କ୍ରିକେଟ ଆସୋସିଏସନ ଆଇଏଏସ ବିନ୍ଦ୍ରା ଷ୍ଟାଡିୟମ ନିକଟରେ ଏକ ଘର ଭଡ଼ା ନେଇ ରହିଥିଲେ । ଏହାପରେ ମୋହାଲିର ଏକ ସ୍କୁଲରେ ପାଠ ପଢ଼ିବା ସହ କ୍ରିକେଟ ଏକାଡେମୀରେ ଯୋଗ ଦେଇଥିଲେ । ୧୧ ବର୍ଷ ବୟସରେ ପଞ୍ଜାବ ଅଣ୍ଡର ୧୬ରେ ସ୍ଥାନ ପାଇଥିଲେ । ବିଜୟ ମର୍ଚ୍ଚାଣ୍ଟ ଅପରାଜିତ ଦ୍ବିଶତକ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେତେବେଳେ ସେ ବିସିସିଆଇ ତରଫରୁ ସର୍ବୋତ୍ତମ ଅଣ୍ଡର ୧୬ କ୍ରିକେଟର ପାଇଁ ଏମ ଚିଦାମ୍ୱରମ ଟ୍ରଫି ମଧ୍ୟ ପାଇଥିଲେ । 

ତାପରେ ୨୦୧୮ ମସିହାରେ ଶୁବମନ ୧୯ ବର୍ଷରୁ କମ୍ ବିଶ୍ୱକପରେ ଉପ ଅଧିନାୟକ ଭାବେ ଚମତ୍କାର ପ୍ରଦର୍ଶନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ସେ ପାକିସ୍ତାନ ବିପକ୍ଷରେ ଏକ ଚମତ୍କାର ଶତକ ସହିତ ୩୭୨ ରନ କରିଥିଲେ । ଏହାପରେ ସେ ଆଉ ପଛକୁ ଫେରିନଥିଲେ । ପରେ ଆଇପିଏଲରେ କେକେଆର ଟିମରେ ଡେବ୍ୟୁ କରିଥିଲେ । ଆଉ ଏବେ ଗୁଜରାଟ ଟିମରେ ଅଧିନାୟକ ଅଛନ୍ତି । ୨୦୧୯ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ଡେବ୍ୟୁ କରିବା ପରେ ୨୦୨୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟରେ ଡେବ୍ୟୁ କରିଥିଲେ । ଏହାପରେ ତାଙ୍କୁ ୨୩ ବର୍ଷ ହୋଇଥିବା ବେଳେ ସେ ୨୦୨୩ରେ ଟି-୨୦ ଡେବ୍ୟୁ କରିଥିଲେ । ସେ ଦିନିକିଆରେ ଦ୍ବିଶତକ ହାସଲ କରି ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ ଭାବେ ଏହି ରେକର୍ଡ ହାସଲ କରିଥିଲେ । 

୫ ବର୍ଷ ଭିତରେ ଶୁବମନ ଅନେକ ରେକର୍ଡ ନିଜ ନାଁରେ କରିଛନ୍ତି । ତାଙ୍କୁ ଟେଷ୍ଟର ନୂଆ ଅଧିନାୟକ କରାଯିବା ପରେ ଟେଷ୍ଟ କ୍ରିକେଟରେ ନୂଆ ଯୁଗ ଆରମ୍ଭ ହୋଇଛି । ବର୍ତ୍ତମାନ ସେ ଟିମ ଇଣ୍ଡିଆର ଭବିଷ୍ୟତ । କ୍ଷେତରୁ ଆରମ୍ଭ ହୋଇଥିବା କ୍ରିକେଟର ଯାତ୍ରା ବିଶ୍ୱ କ୍ରିକେଟର ଉଚ୍ଚତମ ଶିଖରରେ ପହଞ୍ଚି ସାରିଛି । ଆଉ ଏବେ ଦେଖିବା ବାକି ରହିଲା ଶୁବମନ ଭାରତୀୟ କ୍ରିକେଟକୁ କେତେ ଆଗକୁ ନେଇ ଯାଉଛନ୍ତି ।